Dailyhunt
ପୁରୁଣା ନୋଟ୍‌ ବନ୍ଦ ପାଇଁ ଆର୍‌ବିଆଇର ଯୋଜନା!

ପୁରୁଣା ନୋଟ୍‌ ବନ୍ଦ ପାଇଁ ଆର୍‌ବିଆଇର ଯୋଜନା!

ନୂଆଦିଲ୍ଲୀ,୨୪ା୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏ ସମ୍ପର୍କରେ ମଧ୍ୟ ଆର୍‌ବିଆଇର ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି। ଦେଶରୁ ଖୁବ୍‌ ଶୀଘ୍ର ପୁରୁଣା ୫ ଟଙ୍କିଆ, ୧୦ ଟଙ୍କିଆ ଓ ୧୦୦ଟଙ୍କିଆ ନୋଟ୍‌କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଯୋଜନା କରୁଥିବା ଜଣାପଡ଼ିଛି। ସେହିଭଳି ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ ସୁଦ୍ଧା ଏହିସବୁ ପୁରୁଣା ନୋଟ୍‌ ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ପ୍ରସ୍ତାବ ରହିଛି। ଦେଶର ଶୀର୍ଷ ବ୍ୟାଙ୍କ୍‌ ଏହିସବୁ ପୁରୁଣା ନୋଟ୍‌ଗୁଡିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁଛି।
ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରିଜର୍ଭ ବ୍ୟାଙ୍କର ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର (ଏଜିଏମ୍‌) ବି.ମହେଶ ଜିଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲାସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ମତ ଦେଇଥିବା ଜଣାପଡିଛି।

ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ ଶେଷ ସୁଦ୍ଧା ପୁରୁଣା ୫ଟଙ୍କିଆ, ୧୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ୍‌ ସବୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ପକ୍ଷରୁ ଯୋଜନା କରାଯାଉଥିବା ବିଷୟରେ ସେ ମତ ପ୍ରକାଶ କରିଛନ୍ତି। ବିମୁଦ୍ରୀକରଣ ସମୟରେ ଟଙ୍କାର ଅଭାବ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୯ରେ ନୂଆ ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ କରିଥିଲା। ଏହାର କୌଣସି ପ୍ରକାର ଅସୁବିଧା ନ ଆସୁ ବୋଲି ଚିନ୍ତାକରି ରିଜର୍ଭ ବ୍ୟାଙ୍କ ପୁରୁଣା ନୋଟ୍‌ଗୁଡିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନୂଆ ନୋଟ୍‌ର ପ୍ରଚଳନକରି ବଜାର ଆବଶ୍ୟକତା ପୂରଣ କରିଥିଲା ବୋଲି ସୂଚନା ମିଳିଛି। ୨୦୧୬ ନଭେମ୍ବର ୮ ତାରିଖ ରାତି ୮ ଘଟିକା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ର ପ୍ରଚଳନକୁ ଅଚଳକରି ବିମୁଦ୍ରୀକରଣ ସମ୍ପର୍କରେ ଘୋଷଣା କରିଥିଲେ। ସେହିଭଳି ନୋଟ୍‌ ବନ୍ଦୀ ପରଠାରୁ ଦେଶରେ ଏ ପର୍ଯ୍ୟନ୍ତ ଆର୍‌ବିଆଇ ଭିନ୍ନ ଭିନ୍ନ ମୂଲ୍ୟର ୭ଟି ନୋଟ୍‌ ଜାରି କରି ସାରିଛି। ଫଳରେ ୨୦୦୦, ୫୦୦, ୨୦୦, ୧୦୦, ୫୦, ୨୦ ଓ ୧୦ ଟଙ୍କିଆ ନୋଟ୍‌ ସାମିଲ ହୋଇଛି। ଏହିସବୁ ମହାତ୍ମା ଗାନ୍ଧୀଙ୍କ ସିରିଜ ନୋଟ୍‌ ପଛରେ ଐତିହାସିକ ସ୍ଥାନର ଫଟୋକୁ ସ୍ଥାନ ଦିଆଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri