Dailyhunt
ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର

ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର

ODISHA NEWS 9 months ago

ନାକଟିଦେଉଳ, (୨୭/୦୫) : ଆପ୍ର. : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ପୁରୋହିତ(୫୨)ଙ୍କର ମଙ୍ଗଳବାର ସକାଳୁ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । 

ନାକଟିଦେଉଳ ଥାନା ବାଟଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଲୁଗାଡ଼ିଆ ଗ୍ରାମର ସନ୍ତୋଷ ଶତପଥୀଙ୍କ ପତ୍ନୀ ଗତ ୪ ବର୍ଷ ହେଲା ବାଟଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳ ପ୍ରାୟ ୬ଟା ସମୟରେ ନିଜ ଘର ବାଡ଼ିରେ ଥିବା କୂଅରୁ ପାଣି ଉଠାଇବା ପାଇଁ ମୋଟର ପମ୍ପ ଲଗାଉଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେ ତଳେ ଲୋଟି ପଡ଼ିଥିଲେ । ସ୍ତ୍ରୀ ତଳେ ପଡ଼ିଥିବା ଦେଖି ସ୍ୱାମୀ ସନ୍ତୋଷ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବାବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଝଟକା ଖାଇ ପାଟି କରିବାରୁ ପାଖରେ ଥିବା ଦୁଇ ଜଣ ଯୁବକ ଆସି ଏକ କାଠ ବାଡ଼ି ଦ୍ୱାରା ବିଦ୍ୟୁତ ତାରକୁ ପିଟି ଅଲଗା କରିଥିଲେ ।

ତେବେ ଏହି ଘଟଣାରେ ସ୍ୱାମୀ ସନ୍ତୋଷଙ୍କ ଡାହାଣ ହାତ ପାପୁଲିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । 

ସଙ୍ଗେ ସଙ୍ଗେ ଉଭୟଙ୍କୁ ନାକଟିଦେଉଳ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଅନିତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଖବର ପାଇ ନାକଟିଦେଉଳ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବାସହ କେସ ନଂ ୬/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣାପଡିଛି। ତାଙ୍କର ଦୁଇଟି ପୁଅ ଓ ଝିଅ ମଧ୍ୟରୁ ପୁଅ ଆମେରିକାରେ ଚାକିରି କରୁଥିବାବେଳେ ଝିଅଟି ଘରେ ରହିଛି। ଅନିତା ପୁରୋହିତ ଜଣେ ଛାତ୍ରବତ୍ସଳ, ମେଳାପୀ ଓ ପରୋପକାରୀ ଶିକ୍ଷୟିତ୍ରୀ ଭାବେ ପରିଚିତ। ତାଙ୍କ ମୃତ୍ୟୁରେ ଅଞ୍ଚଳବାସୀ ତଥା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS