Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାଣି ପାଇଁ ୫ କିମି ପଦଯାତ୍ରା

ପାଣି ପାଇଁ ୫ କିମି ପଦଯାତ୍ରା

ODISHA NEWS 4 months ago

ବେଲପଡ଼ା, (୨୭/୦୫) : ଆପ୍ର : ପାଣି ପାଇଁ ମହିଳା ଅଭିନବ ପ୍ରତିବାଦ କରିଛନ୍ତି । ମୁଣ୍ଡରେ ଗରା ଆଉ କାଖରେ ମାଠିଆ ଧରି ପ୍ରଚଣ୍ଡ ଖରାରେ ୫ କିଲୋମିଟର ଦୂର ପଦଯାତ୍ରା କରିବା ପରେ ଏକ ଭ୍ୟାନରେ ଆସି ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳର ମହିଳା । 

ଶୋଷରେ ମରିବା ଅପେକ୍ଷା ଚାଲି ଚାଲି ଜୀବନ ଦେବୁ ବୋଲି ମହିଳାମାନେ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ । ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ମାଠିଆ ଭାଙ୍ଗି ପ୍ରତିବାଦ କରିଥିଲେ । ଅନ୍ୟପକ୍ଷରେ ପ୍ରଚଣ୍ଡ ଖରାରେ ଚାଲି ଚାଲି ଜଣେ ଆନ୍ଦୋଳନକାରୀ ମହିଳା ଚେତାଶୂନ୍ୟ ହୋଇପଡ଼ିଥିଲେ । ବେଲପଡ଼ା ବ୍ଲକ ନାଗଫେଣା ଗାଁ'ରେ ଦୀର୍ଘଦିନ ହେବ ପାଣି ସମସ୍ୟା ଲାଗିରହିଛି। ପିଇବା ପାଣି ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।

ଏଭଳି ସ୍ଥିତିରେ ଗାଁରେ ବସୁଧା ଯୋଜନା ପ୍ରକଳ୍ପ ଥାଇ ସୁଦ୍ଧା ଲୋକଙ୍କୁ ପାଣି ଦିଆଯାଉନାହିଁ । ନିମ୍ନମାନର କାମ ଯୋଗୁଁଁ ଟ୍ୟାପ୍‌ ଭାଙ୍ଗିପଡ଼ିଥିବା ବେଳେ ପାଣିମୋଟର ଅଚଳ ଅବସ୍ଥାରେ ପଡ଼ିଛି । 

ଏମିତି ଅବସ୍ଥାରେ ଗାଁର ମାତ୍ର ୨ଟି ନଳକୂପ ୪ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଶୋଷ ମେଣ୍ଟାଉଛି । ପ୍ରତିଦିନ ସକାଳ ହେଲେ ପାଣି ଟୋପେ ପାଇଁ ମହିଳାଙ୍କ ଭିତରେ ପ୍ରତିଯୋଗିତା ଲାଗୁଛି । ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଅପେକ୍ଷା ପରେ ପାଣି ଟୋପେ ମିଳୁଛି । ଏମିତି ସ୍ଥିତିରେ ଚଳିବା କଷ୍ଟକର ହୋଇପଡ଼ିଛି। ଟାଣ ଖରା ସାଙ୍ଗକୁ ପିଇବା ପାଣି ଲୋକଙ୍କ ନିଦ ହଜିଛି । ଅନ୍ୟପଟେ ଏ ନେଇ ଦାୟିତ୍ବରେ ଥିବା ବେଲପଡ଼ା ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି । ଶେଷରେ କିଛି ଉପାୟ ନ ପାଇ ଅସନ୍ତୁଷ୍ଟ ମହିଳା ମଙ୍ଗଳବାର ଗରା ମାଠିଆ ଧରି ଜଳ ଦାବିରେ ବ୍ଲକ ଅଭିମୁଖେ ପଦଯାତ୍ରା କରିଥିଲେ । 

ଗାଁ'ରୁ ୫କିଲୋମିଟର ଦୂର ପଦଯାତ୍ରା କରିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲା । ଫଳରେ ଏକ ଭ୍ୟାନରେ ଯାଇ ବ୍ଲକରେ ପହଞ୍ଚିଥିଲେ ଆନ୍ଦୋଳନକାରୀ। ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିବା ପରେ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିଥିଲେ। ତୁରନ୍ତ ଗାଁରେ ପିଇବା ପାଣି ସୁବିଧା କରାଯାଉ ବୋଲି ସେମାନେ ଦାବି ରଖିଥିଲେ। ପରେ ବେଲପଡ଼ା ବିଡିଓ ରାଜେଶ ମେହେର ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କୁ ତାଗିଦା କରି ତୁରନ୍ତ ଗାଁକୁ ପାନୀୟ ଜଳ ବ୍ୟବସ୍ଥା ପାଇଁ ନିର୍ଦେଶ ଦେବାରୁ ଆନ୍ଦୋଳନରୁ ଓହରିଥିଲେ ଗ୍ରାମବାସୀ। ଆନ୍ଦୋଳନରେ କୋଶଳ ନେତା ବି ସାମିଲ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS