Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ODISHA NEWS 4 months ago

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ ଅଦ୍ୟାବଧି ଛୁଇଁ ନାହିଁ । 

ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ମୌସୁମି ସ୍ପର୍ଶ କରିନାହିଁ । ମଙ୍ଗଳବାର ମୌସୁମି ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି । ବୌଦ୍ଧ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲାର ଅଳ୍ପ ଅଂଶ, କୋରାପୁଟର କିଛି ଅଂଶ, ରାୟଗଡ଼ା, କନ୍ଧମାଳ, ଅନୁଗୋଳ ଏବଂ ଦେବଗଡ଼ର ଅଧିକାଂଶ ସ୍ଥାନକୁ ମୌସୁମି ଛୁଇଁଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ମଧ୍ୟରେ ମୌସୁମି ଅବଶିଷ୍ଟ ଅଞ୍ଚଳକୁ ପ୍ରବେଶ କରିବା ନିମନ୍ତେ ପାଗ ଅନୁକୂଳ ରହିଛି ।  .

କିନ୍ତୁ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଖୋରଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲାକୁ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ କରିଛି ମୌସୁମି।

ସାଧାରଣତଃ ମୌସୁମି ଦକ୍ଷିଣ ଓଡ଼ିଶାର ମାଲକାନଗିରି ଏବଂ କୋରାପୁଟ ଜିଲାକୁ ପ୍ରଥମେ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଉତ୍ତର ଓଡ଼ିଶାର ବାଲେଶ୍ବର, ପାରାଦ୍ବୀପ ଏବଂ ମୟୂରଭଞ୍ଜ ଦେଇ ରାଜ୍ୟକୁ ପ୍ରବେଶ କରିଛି । ରାଜ୍ୟକୁ ମୌସୁମି ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ଦେଖାନାହିଁ। ଅକ୍ଷୟ ତୃତୀୟା ଓ ରଜପର୍ବ ଗଲାଣି । ଅନେକ ଚାଷ ଜମି ଶୁଖିଲା ପଡ଼ିଛି । ଚାଷୀ ଧାନ ବୁଣିବା ପାଇଁ ବର୍ଷାକୁ ଅପେକ୍ଷା କରି ବସିଛନ୍ତି। ଯଦି ସରକାର ତୁରନ୍ତ କେନାଲ ଓ ଉଠା ଜଳସେଚନ ମାଧ୍ୟମରେ ପାଣି ନ ଯୋଗାନ୍ତି ତେବେ ଚଳିତ ବର୍ଷ ରାଜ୍ୟର ଚାଷୀ ଅଣ୍ଟା ସଳଖି ପାରିବେ ନାହିଁ। ପାଣିପାଗ ବିଭାଗର ସୂଚନାନୁଯାୟୀ, ଜୁନ ୧ରୁ ୧୬ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୮୩ ମି.ମି. ହେବାକୁ ଥିବାବେଳେ ୪୬.୬ ମି.ମି. ହୋଇଛି, ଯାହାକି ୪୪% ନିଅଣ୍ଟିଆ ବର୍ଷା । 

ଢେଙ୍କାନାଳ ଜିଲାରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଥିବା ବେଳେ ଭଦ୍ରକ, ନୟାଗଡ଼, ଖୋରଧା ଏବଂ କେନ୍ଦ୍ରାପଡ଼ା ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ଏହି ୫ଟି ଜିଲାକୁ ଛାଡ଼ି ଦେଲେ ଅବଶିଷ୍ଟ ୨୫ଟି ଜିଲାରେ ନିଅଣ୍ଟିଆ ବର୍ଷା ରହିଛି, ତେଣୁ ଏସବୁ ଜିଲାରେ ଚାଷ କାମ ଆଗେଇ ପାରିନାହିଁ । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ବୌଦ୍ଧରେ ଦିନ ତାପମାତ୍ରା ୪୨.୬ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୪୦.୮, ସମ୍ବଲପୁରରେ ୪୧.୨, ହୀରାକୁଦରେ ୪୨, ବଲାଙ୍ଗିରରେ ୪୦.୩, ଟିଟିଲାଗଡ଼ରେ ୪୧, ସୁବର୍ଣ୍ଣପୁରରେ ୪୧.୮, ଭୁବନେଶ୍ବରରେ ୩୯.୨ ଏବଂ କଟକରେ ୩୭.୬ ଡିଗ୍ରୀ ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲାକୁ ଗ୍ରୀଷ୍ମ ଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । 

ମଙ୍ଗଳବାର ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ଥିବାବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୪୯% ଥିଲା। କିନ୍ତୁ ହିଟ୍‌ ଇଣ୍ଡେକ୍ସ ୫୦ ଡିଗ୍ରୀ ଥିଲା। ଅର୍ଥାତ ୩୮.୬ ଡିଗ୍ରୀ ତାପମାତ୍ରା ଥାଇ ୫୦ ଡିଗ୍ରୀ ଭଳି ଅନୁଭୂତ ହେଉଥିଲା। ରାଜଧାନୀରେ ପ୍ରଚଣ୍ଡ ଗୁଳୁଗୁଳି ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS