
ବଡ଼ ପରଦାରେ ଦେଖିବାକୁ ମିଳିବ ସୌରଭ ଗାଙ୍ଗୁଲିଙ୍କ ଜୀବନୀ । ଦୀର୍ଘ ଦିନର କଳ୍ପନାଜଳ୍ପନା ଏବଂ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଗାଙ୍ଗୁଲିଙ୍କ ବାୟୋପିକ୍ ‘ଦାଦା: ଦ ସୌରଭ ଗାଙ୍ଗୁଲି ଷ୍ଟୋରୀ’ର ସୁଟିଂ ୧ ଏପ୍ରିଲ୍ ଅର୍ଥାତ୍ ଗତକାଲି ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।
ଏହି ଚଳଚ୍ଚିତ୍ରରେ ସୌରଭ ଗାଙ୍ଗୁଲିଙ୍କ ଦମଦାର ବ୍ୟକ୍ତିତ୍ୱକୁ ପରଦାରେ ଜୀବନ୍ତ କରିବା ପାଇଁ ବଲିଉଡର ଅଭିନେତା ରାଜକୁମାର ରାଓଙ୍କୁ ଚୟନ କରାଯାଇଛି।
ପୂର୍ବରୁ ଅନେକ ନାମ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ, ଶେଷରେ ରାଜକୁମାରଙ୍କ ଅଭିନୟ ଶୈଳୀ ଓ ଚରିତ୍ର ଭିତରେ ହଜିଯିବାର କ୍ଷମତା ପାଇଁ ତାଙ୍କୁ ଚୂଡ଼ାନ୍ତ କରାଯାଇଛି।ସୌରଭଙ୍କ ଭଳି ବାମହାତୀ ବ୍ୟାଟିଂ ଶୈଳୀ ଏବଂ ତାଙ୍କର ଚାଲିଚଳନକୁ ଆୟତ୍ତ କରିବା ପାଇଁ ସେ ବିଶେଷ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, “ଏହା ଆରମ୍ଭ ହେଲା… ଦାଦା, ଆପଣଙ୍କ ପାଇଁ।” ସୌରଭ ମଧ୍ୟ ରାଜକୁମାରଙ୍କ ଚୟନରେ ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି।
https://www.instagram.com/p/DWlU9zAiSut/?igsh=MXRudnJhcXVyOWJmNg==
ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ‘ଉଡାନ’ ଏବଂ ‘ଲୁଟେରା’ ଭଳି ଚଳଚ୍ଚିତ୍ରର ଦକ୍ଷ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନେ। ମୋଟୱାନେ ନିଜର ନିଖୁଣ କାହାଣୀ କହିବା ଶୈଳୀ ପାଇଁ ଜଣାଶୁଣା। ସେ ଇଡେନ ଗାର୍ଡେନର ‘ସୌରଭ ଗାଙ୍ଗୁଲି ଷ୍ଟାଣ୍ଡ’ର ଏକ ଫଟୋ ଶେୟାର କରି ଲେଖିଛନ୍ତି, “ଆସନ ଗ୍ରହଣ କରନ୍ତୁ”, ଯାହା ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠାକୁ ଦ୍ୱିଗୁଣିତ କରିଦେଇଛି। ଲଭ ରଞ୍ଜନ ଓ ଅଙ୍କୁର ଗର୍ଗଙ୍କ ‘ଲଭ୍ ଫିଲ୍ମସ’ ବ୍ୟାନରରେ ଏହି ବ୍ୟୟବହୁଳ ସିନେମା ନିର୍ମାଣ ହେଉଛି।
https://www.instagram.com/p/DWlqzkcjR_0/?igsh=YWxpaG5yY3k4dmZ6
ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବାକୁ ଯାଉଛି। ତେବେ ରାଜକୁମାର ରାଓ ପରଦାରେ କେତେ ସଫଳତାର ସହ ‘ପ୍ରିନ୍ସ ଅଫ୍ କୋଲକାତା’ଙ୍କ ଅନ୍ଦାଜକୁ ଫୁଟାଇ ପାରୁଛନ୍ତି, ତାହା ଦେଖିବା ବେଶ୍ ରୋମାଞ୍ଚକର ହେବ। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।

