
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମାଧ୍ୟମରେ ମାନସିକ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ 'ଏସଏସଡିଏଆଇ' ପକ୍ଷରୁ କରାଯାଇଛି ଏହି ଅଭିନବ ପ୍ରୟାସ । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ 'ସେରେନା ଏଆଇ'ର ଶୁଭାରମ୍ଭ ହୋଇଛି ।
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ମାନସିକ ସ୍ୱାସ୍ଥ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଭାରତ ଭଳି ଜନବହୁଳ ଦେଶରେ ମାନସିକ ରୋଗ ବିଶେଷଜ୍ଞଙ୍କ ଅଭାବ ଏବଂ ଚିକିତ୍ସା କ୍ଷେତ୍ରରେ ରହିଥିବା ଅସଙ୍ଗତିକୁ ଦୂର କରିବା ପାଇଁ ଏହି ‘ଲାର୍ଜ ଲାଙ୍ଗୁଏଜ୍ ମଡେଲ୍’ ଆଧାରିତ 'ସେରେନା ଏଆଇ' ସହାୟକ ହେବ। ଏହା କେବଳ ତଥ୍ୟ ଭିତ୍ତିକ ବିଶ୍ଳେଷଣ କରିବ ନାହିଁ, ବରଂ କ୍ଲିନିକାଲ୍ ସପୋର୍ଟ ସିଷ୍ଟମକୁ ଅଧିକ ସୁଦୃଢ଼ କରିବା ସହ ମାନସିକ ସ୍ୱାସ୍ଥ୍ୟସେବାରେ ଆଣିଛି ନୂଆ ଦିଗନ୍ତ ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂସ୍ଥାର ପ୍ରତିଷ୍ଠାତା ତଥା ଏଆଇ ଇଞ୍ଜିନିୟର ଡାନିଏଲ୍ ଇସାକ ଇଥି ଏବଂ ସହ-ପ୍ରତିଷ୍ଠାତା ତଥା ମାନସିକ ରୋଗ ବିଶେଷଜ୍ଞ ସ୍ନିଗ୍ଧା ପ୍ରଧାନ ଉପସ୍ଥିତ ରହି ଏହି ନୂତନ ଜ୍ଞାନକୌଶଳର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ବିଶେଷ କରି 'ଏଆଇ ପ୍ରେସକ୍ରିପସନ', ମାନସିକ ରୋଗର ନିରାକରଣ ଓ ଚିକିତ୍ସା ପ୍ରଣାଳୀରେ କିଭଳି ପରିବର୍ତ୍ତନ ଆଣିବ, ସେ ନେଇ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।
ଏସଏସଡିଏଆଇର କହିବା ଅନୁଯାୟୀ, ଭବିଷ୍ୟତର ଚିକିତ୍ସା ବିଜ୍ଞାନ ସମ୍ପୂର୍ଣ୍ଣ ଭାବେ ଡାଟା-ଡ୍ରିଭେନ୍ ବା ତଥ୍ୟ ଆଧାରିତ ହେବ। ସେରେନା ଏଆଇ ମାଧ୍ୟମରେ ସ୍ୱଳ୍ପ ଖର୍ଚ୍ଚରେ ଏବଂ ସହଜରେ ମାନସିକ ଚିକିତ୍ସା ସେବା ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ଏହି ମିଶନର ମୂଳ ଲକ୍ଷ୍ୟ। ରାଜ୍ୟର ଏହି ପ୍ରଥମ ଏଆଇ ଭିତ୍ତିକ ମାନସିକ ସ୍ୱାସ୍ଥ୍ୟ ସମାଧାନ କାର୍ଯ୍ୟକ୍ରମକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସାଧାରଣରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ଏହା କେବଳ ଓଡ଼ିଶା ନୁହେଁ, ବରଂ ସମଗ୍ର ଭାରତର ମାନସିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

