ଆମେରିକାର ଏକ ବ୍ୟସ୍ତ ବହୁଳ ସପିଂ ମଲ୍ରେ ହଠାତ୍ ଗୁଳିର ଶବ୍ଦ । ଆଉ ଏହାର କିଛି ମୁହୂର୍ତ୍ତ ମଧ୍ୟରେ ଖୁସିର ପରିବେଶ ଆତଙ୍କରେ ପରିଣତ ହୋଇଗଲା । ଲୋକେ ନିଜ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିଲେ, ଆଉ ଘଟିଗଲା ଏକ ଭୟଙ୍କର ଗୁଳିକାଣ୍ଡ । ଆମେରିକାର ଇଡାହୋର ଏକ ବ୍ୟସ୍ତ ସପିଂ ମଲ୍ରେ ଘଟିଛି ଏହି ଭୟଙ୍କର ଗୁଳିକାଣ୍ଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ପୋଲିସର ସୂଚନା ଅନୁସାରେ, ଟ୍ୱିନ୍ ଫଲ୍ସର ଏକ ବ୍ୟସ୍ତବହୁଳ ସପିଂ ମଲ୍ ଭିତରେ ଥିବା ଇନ୍-ଏନ୍-ଆଉଟ୍ ବର୍ଗର ରେଷ୍ଟୁରାଣ୍ଟ ନିକଟରେ ଏହି ଘଟଣା ଘଟିଥିଲା । ଟ୍ୱିନ୍ ଫଲ୍ସ ପୋଲିସ୍ ଚିଫ୍ ମ୍ୟାଥ୍ୟୁ ହିକ୍ସ ଘଟଣାକୁ ନେଇ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ରହିଛି । ବର୍ତ୍ତମାନ ଆକ୍ରମଣକାରୀର ପରିଚୟ ଏବଂ ଗୁଳିକାଣ୍ଡ ପଛର କାରଣ ଖୋଜାଯାଉଛି ।
ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ଗୁଳି ଚଳାଉଥିବା ଏବଂ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବା ଦେଖାଯାଉଛି । ଭାରତୀୟ ସମୟ ଅନୁଯାୟୀ ଶନିବାର ଦିନ ପ୍ରାୟ ଅପରାହ୍ନ ୨ଟା ୩୦ ସମୟରେ ଏହି ଘଟଣା ଘଟିଥିଲା ।
ଅଧିକ ପଢ଼ନ୍ତୁ: ସ୍ପେନ ସୀମାକୁ ଧସେଇ ପଶୁଛନ୍ତି ଶରଣାର୍ଥୀ…..ଦଳାଚକଟାରେ ୫୭ ମୃତ, ୟୁରୋପରେ ବଢ଼ିଲା ତୀବ୍ର ଉତ୍ତେଜନା
ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ ଆତ୍ମସମର୍ପଣ କରିବାକୁ କହିଥିଲା। କିନ୍ତୁ ସେ ଗୁଳି ଚଳାଇବା ଜାରି ରଖିଥିଲା । ପରେ ପୋଲିସର ପାଲଟା ଗୁଳିରେ ଆକ୍ରମଣକାରୀ ନିହତ ହୋଇଥିଲା ।
ପୋଲିସ ଅନୁସାରେ, ଆକ୍ରମଣକାରୀ ନିକଟରୁ ଏକ AR-ଷ୍ଟାଇଲ୍ ରାଇଫଲ୍ ମିଳିଛି । ଅଭିଯୋଗ ଅନୁଯାୟୀ, ସେ ରେଷ୍ଟୁରାଣ୍ଟର ପାର୍କିଂ ଲଟ୍ ନିକଟରୁ ଲୋକମାନଙ୍କ ଉପରେ ଗୁଳି ଚଳାଉଥିଲା। ପ୍ରାୟ ଏକ ଘଣ୍ଟା ମଧ୍ୟରେ ପୋଲିସ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।
ସୁରକ୍ଷା ଦୃଷ୍ଟିରୁ ସମଗ୍ର ସପିଂ ମଲ୍ ଏବଂ ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଥିଲା। ନିକଟସ୍ଥ ରାସ୍ତା ଏବଂ ଏକ ପୋଲକୁ ମଧ୍ୟ ବନ୍ଦ କରାଯାଇଥିଲା। ପୋଲିସ ପକ୍ଷରୁ ସମଗ୍ର ମଲ୍ରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା, ହେଲେ କୌଣସି ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବସ୍ତୁ ମିଳିନଥିଲା । ତେବେ ଏହି ଘଟଣା ପୁଣି ଥରେ ଆମେରିକାରେ ବଢ଼ୁଥିବା ମାସ୍ ଶୁଟିଂ ଘଟଣାକୁ ନେଇ ଚିନ୍ତା ବଢ଼ାଇଦେଇଛି ।

