Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆନ୍ଧ୍ର କାକିନାଡ଼ାରୁ ଆସି ପୁରୀ ସମୁଦ୍ରରେ ଫସିଗଲେ ୧୦ ମତ୍ସ୍ୟଜୀବୀ

ଆନ୍ଧ୍ର କାକିନାଡ଼ାରୁ ଆସି ପୁରୀ ସମୁଦ୍ରରେ ଫସିଗଲେ ୧୦ ମତ୍ସ୍ୟଜୀବୀ

Argus News Odia 2 weeks ago
ପୁରୀ: ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ଅଶାନ୍ତ ରହିଛି ଓଡ଼ିଶା ଉପକୂଳ । ଯେଉଁଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କତା ସଂକେତ ରହିଛି । ଏହାରି ଭିତରେ ପୁରୀ ଉପକୂଳ ସମୁଦ୍ରରେ ୧୦ ଜଣ ମତ୍ସ୍ୟଜୀବୀ ଫସି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମଝି ସମୁଦ୍ରରେ ମାଛ ଧରା ଡଙ୍ଗା ଫସି ଯାଇଥିଲା ।
ପୁରୀ ପୋଲିସ ସୁରକ୍ଷିତ ଭାବେ ଡଙ୍ଗାରୁ ଆନ୍ଧ୍ରର ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଫିସିଂ ହାର୍ବରରୁ ମାଛ ଧରିବା ପାଇଁ IND-AP-V5-MM-872 ନମ୍ବର ବିଶିଷ୍ଟ ଏକ ମାଛ ଧରା ଡଙ୍ଗାରେ ୧୦ ଜଣ ବାହାରିଥିଲେ ।

ଏଥିସହ ପଢ଼ନ୍ତୁ: ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ, ୨୪ ଘଣ୍ଟାରେ ଭୁବନେଶ୍ବରରେ ୧୧୨ ମିମି ବର୍ଷା

କାକିନାଡ଼ାରୁ ବାହାରି ଆସିବା ପରେ ମଝି ସମୁଦ୍ରରେ ଫସି ଯାଇଥିଲେ । ଡଙ୍ଗାଟିର ଇଞ୍ଜିନ୍ ଅଚଳ ହୋଇଯିବା ସହ ନଙ୍ଗର ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିଲା । ଶେଷରେ ଭାସି ଭାସି ଆସି ପୁରୀର ତାଜ ହୋଟେଲ ଉପକୂଳ ନିକଟରୁ ପ୍ରାୟ ୨ରୁ ୩ କିଲୋମିଟର ଦୂରରେ ପ୍ରତିକୂଳ ପରିବେଶରେ ଅଟକି ରହିଥିଲେ ।

ଏନେଇ ସୂଚନା ପାଇବା ପରେ ପୁରୀ ଏସ୍‌ପି ତୁରନ୍ତ ଉଦ୍ଧାରକାରୀ ଟିମ୍‌କୁ ଆଲର୍ଟ କରିଥିଲେ । ବଳିଆପଣ୍ଡା ଥାନା ଓ ପେଣ୍ଠକଟା ମେରାଇନ୍ ପୋଲିସ ଥାନାର ଅଧିକାରୀମାନେ ସମନ୍ଵୟ ରକ୍ଷା କରି ମାଛ ଧରା ଡଙ୍ଗା ସହ ଯୋଗାଯୋଗ ସ୍ଥାପନ କରିଥିଲେ ।

ପରେ ନିକଟରେ ଥିବା ବିଶାଖାପାଟ୍ଟଣମର ଏକ ମାଛ ଧରା ଡଙ୍ଗା ଆସି ସମସ୍ତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବାବେଳେ ଘରକ ଫେରିଛନ୍ତି । ଅଚଳ ଡଙ୍ଗାଟିକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ବିଜୟନଗରମ ଜିଲ୍ଲାର ଚିନ୍ତାପଲ୍ଲୀ ଗ୍ରାମର ବାସିନ୍ଦା । ପୁରୀ ପୋଲିସର ତ୍ୱରିତ ପଦକ୍ଷେପକୁ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ପ୍ରଶଂସା କରିଛନ୍ତି ।

ପୁରୀ ପାଇଁ ୟେଲୋ ଆଲର୍ଟ

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏଥିସହ ଓଡ଼ିଶାର ବିଭିନ୍ନ ଜିଲ୍ଲା ଉପରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରବଳ ବର୍ଷା ନେଇ ପୁରୀ ଜିଲ୍ଲାକୁ ରବିବାର ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ୧୦ରୁ ଅଧିକ ମୁଣ୍ଡ ନେଲାଣି ମୁକୁଳା ନାଳ

୭ ପର୍ଯ୍ୟନ୍ତ ସମୁଦ୍ର ମନା

ଏବେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିଛି । ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଉତ୍ତରପୂର୍ବ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ସମୁଦ୍ରକୁ ବାରଣ କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରରେ ଦିଆଯାଇଛି ୩ ନମ୍ବର ସ୍ଥାନୀୟ ସତର୍କତା ସଂକେତ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia