ଗୌହାଟୀ,୩୦/୦୭: ଆସାମରେ ବନ୍ୟାସ୍ଥିତି ଭୟଙ୍କର ହୋଇଛି । ଗତ ୨୪ ଘଣ୍ଟାରେ ଆଉ ୭ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି ପାଇଛି । ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ୭ ଜିଲ୍ଲା ଜଳମଗ୍ନ ରହିଛି । ସେଠାରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆସାମ ସରକାର ମୃତକଙ୍କ ପରିବାରକୁ ଦିଆଯିବାକୁ ଥିବା ଅନୁକମ୍ପା ରାଶିକୁ ୪ ଲକ୍ଷ ଟଙ୍କାରୁ ୯ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଆସାମ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟର ଶିବସାଗର, ଗୋଲାଘାଟ, ଜୋରହାଟ, ଚରାଇଦେବ, ନଙ୍ଗାବ, ସୋନିତପୁର, କାମରୁମ ମେଟ୍ରୋପଲିଟାନ ସମେତ ୭ ଜିଲ୍ଲା ବନ୍ୟାର ଶିକାର ହୋଇଛି । ଏହି ଜିଲ୍ଲାଗୁଡ଼ିକରେ ୬୨୨ ଗ୍ରାମ ପାଣିରେ ବୁଡ଼ିରହିଛି । ଚରାଇଦେବରେ ସର୍ବାଧିକ ୧.୪୨ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫ ହଜାର ୩୪୧ ହେକ୍ଟର ଜମିରେ ଲାଗିଥିବା ଫସଲ ବନ୍ୟା ପାଣିରେ ବୁଡ଼ିଛି । ପ୍ରଭାବିତ ଅଞ୍ଚଳରେ ୮୧ କ୍ୟାମ୍ପ୍ ବନାଯାଇଛି । ସେଠାରେ ୩୨ ହଜାର ୪୭୭ ଲୋକ ଆଶ୍ରୟ ନେଇଛନ୍ତି । ଭାରତୀୟ ବାୟୁସେନା, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ସମେତ ବିଭିନ୍ନ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ପଢନ୍ତୁ ଏହି ଖବର: ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ ମେଟ୍ରୋ; ଭିଡ଼ିଓ ଭାଇରାଲ
ଆସାମର ମନ୍ତ୍ରୀ ଅତୁଲ ବୋରା କହିଛନ୍ତି, "ଆମର କିଛି ଦଳୀୟ ସହଯୋଗୀ ପୀଡିତ ପରିବାର ଏବଂ ପ୍ରଭାବିତ ଅଞ୍ଚଳକୁ ସହାୟତା କରିବା ପାଇଁ ଘଟଣାସ୍ଥଳରେ ରହିଛନ୍ତି। ସାଂସଦ, ବିଧାୟକ, ବରିଷ୍ଠ ଦଳୀୟ ଅଧିକାରୀ ଏବଂ ଆସାମ ପୋଲିସଙ୍କୁ ନେଇ ଗଠିତ ଆସାମ ଗଣ ପରିଷଦର ଏକ ଦଳ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରୁଥିବା ରିଲିଫ୍ ଗାଡ଼ି ସହିତ ଆସିଥିଲେ। ଏହି ବିପର୍ଯ୍ୟୟ ଏବଂ ଦୁର୍ଭାଗ୍ୟଜନକ ଜୀବନହାନି ସତ୍ତ୍ୱେ, ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ସରକାର ପ୍ରତି ପରିବାରକୁ 15,000 ଟଙ୍କା ସହାୟତା ସମେତ ପ୍ରଭାବଶାଳୀ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ସରକାର ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି, ଏବଂ ପୋଷାକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି। ବର୍ତ୍ତମାନ ପ୍ରାୟ 30 ଟି ରିଲିଫ୍ ସାମଗ୍ରୀ ବୋଝେଇ ଗାଡ଼ି ରଖାଯାଇଛି, ପ୍ରଭାବିତ ଜନସଂଖ୍ୟାକୁ ସହାୟତା କରିବା ପାଇଁ ପ୍ରୟାସ ଜାରି ରହିଛି। ଏହା ଜାରି ରହିବ।"

