ମୁମ୍ବାଇ,୨୦/୦୯: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତ୍ରୀ ନିଜ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ବିଦେଶୀ ବ୍ୟବସାୟୀ ୱିଲିୟମ୍ ଇସମାଏଲଙ୍କ ସହ ତାଙ୍କ ବିବାହର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ସୂଚନା ଅନୁସାରେ, ୪୧ ବର୍ଷୀୟ ଜେନିଫର ଚଳିତ ବର୍ଷ ଜୁଲାଇରେ ୟୁକେରେ ୱିଲିୟମ୍ ଇସମାଏଲଙ୍କୁ ଖ୍ରୀଷ୍ଟିଆନ୍ ରୀତିନୀତିରେ ବିବାହ କରିଥିଲେ।
ଗୋଆରେ ଆୟୋଜିତ ଏହି ବିବାହ ଉତ୍ସବରେ ଜେନିଫର ଓ ୱିଲିୟମ୍ ପୁଣିଥରେ ଖ୍ରୀଷ୍ଟିଆନ୍ ପରମ୍ପରା ଅନୁସାରେ ବିବାହ କରିଥିବା ଖବର ଆସିଛି। ଏହି ଅବସରରେ ବଲିଉଡ୍ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନେକ ପରିଚିତ ଚେହେରା ମଧ୍ୟ ଯୋଗ ଦେଇଥିଲେ। ରିତେଶ ଦେଶମୁଖ, ଜେନେଲିଆ ଡିସୁଜା, ଶବୀର ଆହଲୁୱାଲିଆ ଓ କରଣ ୱାହିଙ୍କ ଭଳି ତାରକାଙ୍କ ଉପସ୍ଥିତି ବିବାହ ଉତ୍ସବର ଆକର୍ଷଣ ବଢ଼ାଇଥିଲା।
ପଢନ୍ତୁ ଏହି ଖବର:: ଅନ୍ତରଙ୍ଗ ଦୃଶ୍ୟ ସୁଟିଂରେ କାହିଁକି ଅଜବ ଲାଗିଲା ରାଧିକାଙ୍କୁ?
ଗୋଆ ବିବାହ ସମୟରେ ଜେନିଫର ଏକ ସୁନ୍ଦର ପାଷ୍ଟେଲ୍ ରଙ୍ଗର ୱେଷ୍ଟର୍ଣ୍ଣ ଗାଉନ୍ ପିନ୍ଧିଥିଲେ। ସିମ୍ପଲ୍ ମେକଅପ୍ ଓ ଖୋଲା କେଶରେ ଅଭିନେତ୍ରୀଙ୍କ ଲୁକ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ବିବାହ ସମୟରେ ଉଭୟ ଜେନିଫର ଓ ୱିଲିୟମ୍ ପରସ୍ପରଙ୍କୁ ବିବାହ ପ୍ରତିଜ୍ଞା କରିଥିଲେ। ଏହି ସମୟର କିଛି ରୋମାଣ୍ଟିକ୍ ମୁହୂର୍ତ୍ତର ଭିଡିଓ ମଧ୍ୟ ଅନଲାଇନ୍ରେ ଭାଇରାଲ ହେଉଛି।
ବିବାହ ଉତ୍ସବରେ ନବଦମ୍ପତିଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିବା ନେଇ ପ୍ରଶଂସକମାନେ ଚର୍ଚ୍ଚା କରୁଛନ୍ତି। ଉଭୟଙ୍କ ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି।
ତେବେ ଜେନିଫର ୱିଙ୍ଗେଟ୍ଙ୍କ ପାଇଁ ଏହା ହେଉଛି ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। ୨୦୧୨ ଏପ୍ରିଲରେ ମୁମ୍ବାଇରେ ଉଭୟଙ୍କ ବିବାହ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ଦୀର୍ଘ ସମୟ ଧରି ତିଷ୍ଠି ନଥିଲା। ବିବାହର ପ୍ରାୟ ଦୁଇ ବର୍ଷ ପରେ, ୨୦୧୪ ନଭେମ୍ବରରେ ଉଭୟ ଅଲଗା ହେବା ନେଇ ଘୋଷଣା କରିଥିଲେ। ଏହାପରେ ଜେନିଫର ନିଜ କ୍ୟାରିୟର ଓ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିଥିଲେ।
ଅନ୍ୟପଟେ କରଣ ସିଂହ ଗ୍ରୋଭର ପରେ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କରିଥିଲେ। ଏବେ ଜେନିଫର ମଧ୍ୟ ୱିଲିୟମ୍ ଇସମାଏଲଙ୍କ ସହ ନୂଆ ଜୀବନ ଆରମ୍ଭ କରିଥିବା ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।

