ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ୨୦୨୬ ଟି-୨୦ ବିଶ୍ବକପ୍ ଜିତିଥିଲା । ଆଉ ବିଶ୍ବକପ୍ ଟାଇଟଲ ଜିତାଇବାର କିଛି ସମୟ ପରେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ତାଙ୍କୁ କେବଳ ଦଳରୁ ବାଦ୍ ଦିଆଯାଇନଥିଲା, ବରଂ T20 ଅଧିନାୟକ ପଦରୁ ମଧ୍ୟ ବିଦା କରାଯାଇଥିଲା । ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଅଧିନାୟକ କରାଯାଇଥିଲା ।
ଦଳରେ ନାଁ ନଥିବା ଦେଖି ହସିଥିଲେ ସୂର୍ଯ୍ୟ
ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ ସହ ଆଲୋଚନା ବେଳେ ସୂର୍ଯ୍ୟକୁମାର କହିଛନ୍ତି ଯେ ଦଳ ଘୋଷଣା ସମୟରେ ତାଙ୍କ ନାଁ ନଥିବା ଦେଖି ସେ ପ୍ରଥମେ ହସିଥିଲେ । ତେବେ ଏହି ହସ ପଛରେ ଥିଲା ନିରାଶା ଓ ଆଶ୍ଚର୍ଯ୍ୟ ।
ସୂର୍ଯ୍ୟଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷରେ ଦଳ ତାଙ୍କ ଅଧିନାୟକତ୍ୱରେ କୌଣସି ଦ୍ୱିପାକ୍ଷିକ T20 ସିରିଜ୍ ହାରିନଥିଲା । ଏହା ସହ ଭାରତ ବିଶ୍ୱକପ୍ ଓ ଏସିଆ କପ୍ ଭଳି ବଡ଼ ଟାଇଟଲ୍ ମଧ୍ୟ ଜିତିଥିଲା । ତେଣୁ ହଠାତ୍ ପରିବର୍ତ୍ତନ କାହିଁକି ଆସିଲା, ସେହି ପ୍ରଶ୍ନ ତାଙ୍କ ମନରେ ବାରମ୍ବାର ଘୁରୁଥିଲା ।
'ଏମିତି କେମିତି ହୋଇପାରେ?'
ସୂର୍ଯ୍ୟକୁମାର କହିଛନ୍ତି ଯେ ଦଳରୁ ବାଦ୍ ପଡ଼ିବା ପରେ ପ୍ରାୟ ଦେଢ଼ ମାସ ଘରେ ରହି ସେ ଏହି ଘଟଣା ବିଷୟରେ ଚିନ୍ତା କରୁଥିଲେ । ତାଙ୍କ ମନରେ ବାରମ୍ବାର ଗୋଟିଏ ପ୍ରଶ୍ନ ଆସୁଥିଲା-"ଏମିତି କେମିତି ହୋଇପାରେ ?" ବିଶ୍ୱକପ୍ ଜିତିବାର କିଛି ସମୟ ପରେ ହିଁ ଏଭଳି ନିଷ୍ପତ୍ତି ତାଙ୍କ ପାଇଁ ସହଜ ନଥିଲା । ତେବେ ପରିବାର ଓ ସାଙ୍ଗମାନେ ତାଙ୍କୁ ବୁଝାଇଥିଲେ ଯେ ଜୀବନରେ ଉତ୍ଥାନ-ପତନ ଲାଗି ରହିଥାଏ ।
ଟିମ୍ ଘୋଷଣା ପୂର୍ବରୁ ଆସିଥିଲା ଫୋନ୍
ସୂର୍ଯ୍ୟକୁମାର ଆହୁରି ଏକ ବଡ଼ ଖୁଲାସା କରିଛନ୍ତି । ଦଳ ଘୋଷଣା ହେବାର ପ୍ରାୟ ୨ରୁ ୩ ଦିନ ପୂର୍ବରୁ ସିଲେକ୍ସନ କମିଟି ତାଙ୍କୁ ଫୋନ୍ କରି ନିଷ୍ପତ୍ତି ବିଷୟରେ ଜଣାଇଥିଲା । ତାଙ୍କୁ କୁହାଯାଇଥିଲା ଯେ ଆଗାମୀ ଇଂଲଣ୍ଡ ଓ ଆୟର୍ଲାଣ୍ଡ T20 ସିରିଜ୍ ପାଇଁ ଚୟନ ହେବାକୁ ଥିବା ଦଳରେ ତାଙ୍କ ନାଁ ରହିବ ନାହିଁ । ଶ୍ରେୟସ ଆୟରଙ୍କୁ ନୂଆ T20 ଅଧିନାୟକ ଭାବେ ଦାୟିତ୍ୱ ଦିଆଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା ।
ସୂର୍ଯ୍ୟ କହିଛନ୍ତି ଯେ ସେ ସେତେବେଳେ କୌଣସି ବିରୋଧ କରିନଥିଲେ। କାରଣ ଚୟନକର୍ତ୍ତାମାନେ ଦଳର ଭଲ ପାଇଁ ହିଁ ଏହି ନିଷ୍ପତ୍ତି ନେଇଥିବେ ବୋଲି ସେ ଭାବିଥିଲେ ।
ଜୁଲାଇ ୨୦୨୪ରେ ମିଳିଥିଲା ଅଧିନାୟକ ଦାୟିତ୍ୱ
ସୂର୍ଯ୍ୟକୁମାର ଯାଦବ ଜୁଲାଇ ୨୦୨୪ରେ ଭାରତୀୟ T20 ଦଳର ଅଧିନାୟକ ହୋଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ଦ୍ୱିପାକ୍ଷିକ T20 ସିରିଜ୍ରେ ଅପରାଜିତ ରହିବା ସହ ବଡ଼ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ପାଇଥିଲା । ତେବେ ୨୦୨୬ ଆଇପିଏଲ୍ରେ ସୂର୍ଯ୍ୟଙ୍କ ବ୍ୟାଟିଂ ଫର୍ମ ଆଶାନୁରୂପ ନଥିବା କଥା ଚୟନକୁ ନେଇ ଆଲୋଚନାରେ ଆସିଥିଲା । ଚୟନକର୍ତ୍ତାମାନେ ଦଳର ଆଗାମୀ ଭବିଷ୍ୟତକୁ ମଧ୍ୟ ଧ୍ୟାନରେ ରଖି ନୂଆ ନେତୃତ୍ୱ ଦିଗକୁ ଯିବାର ନିଷ୍ପତ୍ତି ନେଇଥିବା କହିଥିଲେ ।

