ଆଇପିଏଲ୍ ୨୦୨୭ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣିଥରେ CSK ଜର୍ସିରେ ଦେଖିବାକୁ ମିଳିବ କି? ଏହି ପ୍ରଶ୍ନର ଉତ୍ତର ଏବେ ବି ରହସ୍ୟ ଘେରରେ । ଧୋନି ନିଜେ ଆସନ୍ତା ସିଜିନରେ ଖେଳିବାକୁ ନେଇ କୌଣସି ସ୍ପଷ୍ଟ କରିନାହାନ୍ତି । କିନ୍ତୁ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ୨୦୨୭ରେ ଧୋନିଙ୍କୁ ଖେଳାଳି ଭାବେ ମଇଦାନରେ ଦେଖିବାର ସମ୍ଭାବନା କମ୍ ରହିଛି ।
ମହେନ୍ଦ୍ର ସିଂହ ଧୋନି ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ସମ୍ପର୍କ IPLର ପ୍ରଥମ ସିଜିନରୁ ରହିଆସିଛି । ଚେନ୍ନାଇ ପାଇଁ ଧୋନି କେବଳ ଜଣେ ଖେଳାଳି ନୁହନ୍ତି, ବରଂ ଦଳର ଏକ ବଡ଼ ପରିଚୟ । ଏବେ ପ୍ରଶ୍ନ ହେଉଛି ୪୫ ବର୍ଷ ବୟସରେ ଧୋନି ଆଉ ଏକ ସିଜିନ୍ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବେ ?
CSK CEO କାଶୀ ବିଶ୍ୱନାଥନଙ୍କ କହିବା ଅନୁସାରେ, ଧୋନିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଆଗାମୀ ସିଜିନରେ ଖେଳିବେ ନାହିଁ ବୋଲି କୌଣସି ନିଷ୍ପତ୍ତି ଆସିନାହିଁ । ଏହା ପୂର୍ବରୁ ମଧ୍ୟ ଫ୍ରାଞ୍ଚାଇଜି ସ୍ପଷ୍ଟ କରିଛି ଯେ, CSK ସହ ଧୋନିଙ୍କ ଭବିଷ୍ୟତର ନିଷ୍ପତ୍ତି ନିଜେ ଧୋନି ହିଁ ନେବେ । ତେବେ ସୂତ୍ରର ଦାବି ଅନୁସାରେ, ଆସନ୍ତା ସିଜନରେ ଧୋନିଙ୍କୁ ଖେଳାଳି ଭାବେ ନୁହେଁ, ଅନ୍ୟ ଏକ ଭୂମିକାରେ ଦେଖିବାର ସମ୍ଭାବନା ଅଧିକ ।
ଧୋନିଙ୍କ ପାଇଁ ଫିଟନେସ୍ ବଡ଼ ଚ୍ୟାଲେଞ୍ଜ
ଧୋନିଙ୍କ ଭବିଷ୍ୟତ ଉପରେ ସବୁଠାରୁ ବଡ଼ ପ୍ରଶ୍ନ ତାଙ୍କ ଫିଟନେସକୁ ନେଇ। ବିଶେଷକରି ତାଙ୍କ ଆଣ୍ଠୁ ସମସ୍ୟା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବୟସ ବଢ଼ିବା ସହିତ ଏକ ସମ୍ପୂର୍ଣ୍ଣ IPL ସିଜିନ୍ ପାଇଁ ନିଜକୁ ପ୍ରସ୍ତୁତ କରିବା ତାଙ୍କ ପାଇଁ ସହଜ ହେଉନାହିଁ ।
ଏହା ସହିତ ନିୟମିତ ପ୍ରତିଯୋଗିତାମୂଳକ କ୍ରିକେଟ୍ ନଖେଳିବା ମଧ୍ୟ ଧୋନିଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଘରୋଇ କ୍ରିକେଟ୍ କିମ୍ବା ଅନ୍ୟ କୌଣସି T20 ଲିଗ୍ରେ ନିୟମିତ ଭାବେ ଖେଳୁନାହାନ୍ତି। ଫଳରେ IPL ପୂର୍ବରୁ ତାଙ୍କୁ ଦୀର୍ଘ ସମୟର ମ୍ୟାଚ୍ ପ୍ରାକ୍ଟିସ୍ ମିଳୁନାହିଁ ।
ଖେଳାଳି ନୁହେଁ, ମେଣ୍ଟର ଭୂମିକାରେ ଧୋନି ?
ଯଦି ଧୋନି ୨୦୨୭ରେ ଖେଳାଳି ଭାବେ ମଇଦାନକୁ ନ ଓହ୍ଲାନ୍ତି, ତେବେ CSK ତାଙ୍କୁ ମେଣ୍ଟର ଭାବେ ଦଳ ସହ ଯୋଡ଼ି ରଖିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଧୋନିଙ୍କ ପାଖରେ ବର୍ଷ ବର୍ଷର IPL ଅଭିଜ୍ଞତା ରହିଛି। ଯୁବ ଖେଳାଳିଙ୍କୁ ଗାଇଡ୍ କରିବା, ମ୍ୟାଚ୍ରେ ରଣନୀତି ତିଆରି କରିବା ଏବଂ ଚାପର ସମୟରେ ଶାନ୍ତ ରହି ନିଷ୍ପତ୍ତି ନେବାରେ ତାଙ୍କ ଅଭିଜ୍ଞତା CSK ପାଇଁ ବେଶ୍ ମୂଲ୍ୟବାନ ।
୨୦୨୬ରେ ଖେଳାଳି ଭାବେ ମଇଦାନକୁ ନ ଓହ୍ଲାଇଥିଲେ ମଧ୍ୟ ଧୋନି ଦଳ ସହ ରହି ଖେଳାଳିମାନଙ୍କୁ ଗାଇଡ୍ କରିଥିଲେ। ତେଣୁ ଭବିଷ୍ୟତରେ ତାଙ୍କ ଏହି ଅଭିଜ୍ଞତାକୁ ଅଧିକ ଔପଚାରିକ ଭାବେ ବ୍ୟବହାର କରିବାକୁ CSK ଚାହିଁପାରେ । ତେବେ ଧୋନିଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରାଯିବ ବୋଲି CSK ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ ।
ଫ୍ଲେମିଂଙ୍କ ପରେ CSKରେ ନୂଆ କୋଚ୍ କିଏ ?
ଧୋନିଙ୍କ ଭବିଷ୍ୟତ ସହିତ CSK ସାମ୍ନାରେ ଆଉ ଏକ ବଡ଼ ପ୍ରଶ୍ନ ରହିଛି-ଦଳର ନୂଆ ହେଡ୍ କୋଚ୍ କିଏ ହେବେ ? ଜୁଲାଇ ୨୦୨୬ରେ ଷ୍ଟିଫେନ୍ ଫ୍ଲେମିଂ ଏବଂ CSK ମଧ୍ୟରେ ପ୍ରାୟ ୧୮ ବର୍ଷର ସମ୍ପର୍କ ଶେଷ ହୋଇଥିଲା । ୨୦୦୯ରୁ CSKର ହେଡ୍ କୋଚ୍ ଥିବା ଫ୍ଲେମିଂଙ୍କ ନେତୃତ୍ୱରେ ଦଳ ପାଞ୍ଚଥର IPL ଟାଇଟଲ୍ ଜିତିଥିଲା ।
ହେମଙ୍ଗ ବଦାନୀଙ୍କ ନାମ ଚର୍ଚ୍ଚାରେ
CSKର ପରବର୍ତ୍ତୀ ହେଡ୍ କୋଚ୍ ପଦ ପାଇଁ ଅନେକ ନାମ ଚର୍ଚ୍ଚାରେ ରହିଛି। ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର ହେମଙ୍ଗ ବଦାନୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ବଦାନୀଙ୍କ ପାଖରେ IPL କୋଚିଂର ଅଭିଜ୍ଞତା ରହିଛି ଏବଂ ଚେନ୍ନାଇ କ୍ରିକେଟ୍ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି। ତେବେ CSK ପକ୍ଷରୁ ଏପର୍ଯ୍ୟନ୍ତ ନୂଆ ହେଡ୍ କୋଚ୍ଙ୍କ ନାମ ଅଫିସିଆଲ୍ ଭାବେ ଘୋଷଣା ହୋଇନାହିଁ ।

