ସିରିଜ୍ ଜିତିଲା ଭାରତ । କିନ୍ତୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍କୁ ଭାରତ ହାତରୁ ଛଡ଼ାଇ ନେଲା ଶ୍ରୀଲଙ୍କା । କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଡ୍ର'ରେ ଶେଷ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ୧-୦ରେ ସିରିଜ୍ କବ୍ଜା କରିଛି । ପଞ୍ଚମ ଦିନରେ ଭାରତୀୟ ବୋଲରଙ୍କ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।
ପ୍ରଥମ ପାଳିରେ ଭାରତ ୧୩୮ ଓଭରରେ ୯ ୱିକେଟ୍ ହରାଇ ୫୦୩ ରନ୍ କରି ପାଳି ଘୋଷଣା କରିଥିଲା । ଭାରତ ପକ୍ଷରୁ ଦେବଦତ୍ତ ପଡିକ୍କଲ ସର୍ବାଧିକ ୧୧୭ ରନ୍ କରିଥିଲେ । ସେ ୧୯୩ ବଲ୍ର ସାମ୍ନା କରି ଏହି ଶତକୀୟ ଇନିଂସ୍ ଖେଳିଥିଲେ । ଧ୍ରୁବ ଜୁରେଲ ମଧ୍ୟ ଚମତ୍କାର ବ୍ୟାଟିଂ କରି ୧୭୭ ବଲ୍ରେ ୧୧୫ ରନ୍ କରିଥିଲେ । ଏହାସହ ଋଷଭ ପନ୍ତ ୬୩ ଏବଂ ଅଧିନାୟକ ଶୁବମନ ଗିଲ୍ ୫୦ ରନ୍ କରିଥିଲେ ।
ଜବାବରେ ଶ୍ରୀଲଙ୍କାର ପ୍ରଥମ ପାଳି ମାତ୍ର ୨୯୦ ରନ୍ରେ ଅଲଆଉଟ ହୋଇଥିଲା । ୮୯.୪ ଓଭରରେ ଶ୍ରୀଲଙ୍କା ଅଲଆଉଟ୍ ହୋଇଥିବା ବେଳେ ସୋନଲ ଦିନୁଷା ୧୬୨ ବଲ୍ରେ ୧୦୩ ରନ୍ର ଶତକୀୟ ଇନିଂସ୍ ଖେଳିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ମାନବ ସୁଥାର ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସାରାଂଶ ଜୈନ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ପ୍ରଥମ ପାଳିରେ ପଛୁଆ ରହିବା ପରେ ଭାରତ ଶ୍ରୀଲଙ୍କାକୁ ଫଲୋଅନ୍ ଦେଇଥିଲା । ଏହାପରେ ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ଅସାଧାରଣ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ପକାଇଥିଲା । ସୋନଲ ଦିନୁଷା ଦ୍ବିତୀୟ ଇନିଂସରେ ମଧ୍ୟ ଶତକ ହାସଲ କରିଥିଲେ । ସେ ୨୬୪ ବଲ୍ରେ ଅପରାଜିତ ୧୩୩ ରନ୍ କରିଥିଲେ। ଏହାଦ୍ୱାରା ସେ ମ୍ୟାଚ୍ର ଉଭୟ ପାଳିରେ ଶତକ ହାସଲ କରି ଭାରତର ବିଜୟ ଆଶାକୁ ଧୂଳିସାତ୍ କରିଦେଇଥିଲେ ।
ଶ୍ରୀଲଙ୍କା ୧୫୪ ଓଭରରେ ୯ ୱିକେଟ୍ ହରାଇ ୪୨୯ ରନ୍ କରିଥିଲା। ଶେଷରେ ନିର୍ଦ୍ଧାରିତ ସମୟ ସରିଯିବାରୁ ଅମ୍ପାୟାର ମ୍ୟାଚ୍କୁ ଡ୍ର' ଘୋଷଣା କରିଥିଲେ । ଦ୍ୱିତୀୟ ପାଳିରେ ଭାରତୀୟ ବୋଲରମାନେ ଶ୍ରୀଲଙ୍କାର ଶେଷ ୱିକେଟ୍ ନେବାରେ ସଫଳ ହୋଇପାରିନଥିଲେ । ମାନବ ସୁଥାର ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ସାରାଂଶ ଜୈନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଦ୍ୱିତୀୟ ଟେଷ୍ଟ ଡ୍ର' ହୋଇଥିଲେ ମଧ୍ୟ ଭାରତ ୧-୦ରେ ସିରିଜ୍ ଜିତିଛି ।

