ଯଦି ମନରେ ଦୃଢ଼ ଇଚ୍ଛା ଥାଏ, ତେବେ ବାଟରେ ଆସୁଥିବା ପ୍ରତିବନ୍ଧକ ବି ଲକ୍ଷ୍ୟ ଆଗରେ ଛୋଟ ହୋଇଯାଏ । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ୭ ବର୍ଷୀୟ ଦିବ୍ୟାଙ୍ଗ ଛାତ୍ରୀ ରାଗିଣୀ । ଗୋଟିଏ ଗୋଡ଼ରେ ସେ ପ୍ରତିଦିନ ପ୍ରାୟ ୪୦୦ ମିଟର ରାସ୍ତା ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି । ରାଗିଣୀଙ୍କ ଏହି ସଂଘର୍ଷର ଭିଡିଓ ଏବେ ସାମ୍ନାକୁ ଆସିଛି ।
ଭିଡିଓଟି ଦେଖିଲେ ଯେକୌଣସି ଲୋକଙ୍କ ଆଖିରେ ଲୁହ ଆସିଯିବ ।
ଉତ୍ତରପ୍ରଦେଶର ବଲିଆ ଜିଲ୍ଲା ମନିୟର ବ୍ଲକ୍ର ଦିଘେଡ଼ା ଗ୍ରାମସଭା ଅଧୀନ ରାଣୀପୁରରେ ରାଗିଣୀଙ୍କ ଘର । ସେ ଦିଘେଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ରୀ । ସ୍କୁଲ ଘରଠାରୁ ମାତ୍ର ୪୦୦ ମିଟର ଦୂର । କିନ୍ତୁ ରାଗିଣୀଙ୍କ ପାଇଁ ଏହି ଦୂରତା ଯେମିତି ଶହ ଶହ କିଲୋମିଟର ସମାନ ।
ରାଗିଣୀଙ୍କ ମା' ବବିତା ଦେବୀଙ୍କ କହିବା ଅନୁସାରେ, ରାଗିଣୀ ମାତ୍ର ୬ ମାସର ହୋଇଥିବା ବେଳେ ତାଙ୍କୁ କୋଳରେ ଧରି ଔଷଧ ଆଣିବାକୁ ଯାଉଥିଲେ । ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣାରେ ରାଗିଣୀଙ୍କ ଗୋଡ଼ ଗୁରୁତର ଭାବେ ଆହତ ହୋଇଥିଲା । ବହୁ ସ୍ଥାନରେ ଚିକିତ୍ସା କରାଇଥିଲେ ମଧ୍ୟ ଗୋଡ଼ଟି ଠିକ୍ ହୋଇପାରିନଥିଲା ।
ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ । ବାପା ଦିନମଜୁରିଆ ଭାବେ କାମ କରନ୍ତି । ତେଣୁ ଦାମୀ ଚିକିତ୍ସା କରାଇବା ପରିବାର ପାଇଁ ସମ୍ଭବ ହୋଇପାରୁନାହିଁ । ହେଲେ ପାଠପଢ଼ା ପ୍ରତି ରାଗିଣୀଙ୍କ ଆଗ୍ରହ କମିନାହିଁ । ଘର ସାମ୍ନା ଦେଇ ଅନ୍ୟ ପିଲାମାନେ ସ୍କୁଲ ବ୍ୟାଗ୍ ଧରି ଯାଉଥିବା ଦେଖିଲେ ସେ ମଧ୍ୟ ସ୍କୁଲ ଯିବାକୁ ଜିଦ୍ କରନ୍ତି ।
କେବେ ପରିବାରର କେହି ତାଙ୍କୁ ସ୍କୁଲରେ ଛାଡ଼ି ଆସନ୍ତି, ତ କେବେ ରାଗିଣୀ ନିଜେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲ ଯାଆନ୍ତି । ରାସ୍ତାରେ ଅନେକଥର ଥକିଯାଇ ମାଟିରେ ବସିପଡ଼ନ୍ତି, ଆଖିରୁ ଲୁହ ଝରେ । ତଥାପି ପାଠପଢ଼ାର ସ୍ୱପ୍ନ ଛାଡ଼ିବାକୁ ସେ ପ୍ରସ୍ତୁତ ନୁହନ୍ତି ।
ରାଗିଣୀଙ୍କୁ ଏବେ ଦରକାର ଦୟା ନୁହେଁ, ଏକ ସହାୟତାର ହାତ । ଏକ କୃତ୍ରିମ ଗୋଡ଼ କିମ୍ବା ଟ୍ରାଇସାଇକେଲ୍ ମିଳିଲେ ତାଙ୍କ ସ୍କୁଲ ଯିବା ଆଗକୁ ବଢ଼ିବା ସହଜ ହୋଇପାରିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ ପାଲ ଯାଦବ ମଧ୍ୟ ରାଗିଣୀଙ୍କୁ ସରକାରୀ ସହାୟତା ମିଳିବା ଆବଶ୍ୟକ ବୋଲି କହିଛନ୍ତି । ଯୋଜନାରେ ତାଙ୍କ ନାମ ପଞ୍ଜିକରଣ କରାଯାଇଛି ଏବଂ ସୁଯୋଗ ମିଳିଲେ ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।
ପ୍ରତିଦିନର କଷ୍ଟ ଓ ଲୁହ ସତ୍ତ୍ୱେ ରାଗିଣୀଙ୍କ ମନରେ ହାର ମାନିବାର ଚିନ୍ତା ନାହିଁ । ଗୋଟିଏ ଗୋଡ଼ରେ ସେ ଆଗକୁ ବଢ଼ୁଛନ୍ତି କାରଣ ତାଙ୍କ ସ୍ୱପ୍ନ ହେଉଛି ପାଠ ପଢ଼ି ଜୀବନରେ କିଛି କରିବା ।

