Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହକି ବିଶ୍ବକପ୍‌ରେ କେବେ ହେବ ଭାରତ-ପାକିସ୍ତାନ ମହାମୁକାବିଲା ? ସାମ୍ନାକୁ ଆସିଲା ତାରିଖ...

ହକି ବିଶ୍ବକପ୍‌ରେ କେବେ ହେବ ଭାରତ-ପାକିସ୍ତାନ ମହାମୁକାବିଲା ? ସାମ୍ନାକୁ ଆସିଲା ତାରିଖ...

Argus News Odia 2 months ago
ଦୀର୍ଘ ଦିନ ଧରି ନୀଳ ରଙ୍ଗର ଜର୍ସିରେ ଖେଳୁଥିବା ଟିମ୍ ଇଣ୍ଡିଆ ଏଥର କେଶରିଆ ରଙ୍ଗର ଜର୍ସିରେ ନଜର ଆସିବ। ତେବେ ଏହି ପରିବର୍ତ୍ତନକୁ ନେଇ ଅନେକ ହକି ଦିଗ୍ଗଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ଧନରାଜ ପିଲ୍ଲାଇ ମଧ୍ୟ ଏହା ଉପରେ ନିଜର ନାରାଜି ଜଣାଇଛନ୍ତି ।ଆଉ କିଛି ଦିନ ପରେ ଆରମ୍ଭ ହେବ ହକି ବିଶ୍ବକପ୍‌ ୨୦୨୬ ।
ତେବେ ହକି ବିଶ୍ବକପ୍‌ ପୂର୍ବରୁ ଭାରତୀୟ ହକି ଦଳର ଜର୍ସିକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ତେବେ ଏହି ଜର୍ସି ବିବାଦ ମଧ୍ୟରେ ଭାରତୀୟ ଦଳର ନଜର ଏବେ କେବଳ ଟ୍ରଫି ଉପରେ । ସେପଟେ ହେବାକୁ ଥିବା ହକି ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ମନରେ ବଢ଼ିଛି ଉତ୍କଣ୍ଠା । ଗୋଟିଏ ପୁଲ୍‌ରେ ଉଭୟ ଦଳ ଥିବାରୁ ପୁଣି ଥରେ ଦେଖିବାକୁ ମିଳିବ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ରୋମାଞ୍ଚକର ଲଢ଼େଇ ।

ବେଲଜିୟମ ଓ ନେଦରଲ୍ୟାଣ୍ଡରେ ହେବ ବିଶ୍ୱକପ୍

ହକି ବିଶ୍ବକପ୍‌ ୨୦୨୬ର ଆୟୋଜନ ମିଳିତ ଭାବେ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ କରୁଛନ୍ତି । ଏହା ହେଉଛି ହକି ବିଶ୍ବକପ୍‌ର ୧୬ତମ ସଂସ୍କରଣ । ଏଥିରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ୱାଭ୍ରେ ଏବଂ ଆମଷ୍ଟେଲଭିନ୍‌ର ଦୁଇଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ଏହି ବିଶ୍ୱକପ୍ ଅଗଷ୍ଟ ୧୪ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ୧୬ଟି ଦଳକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ଭାରତ ଏବଂ ପାକିସ୍ତାନ 'ପୁଲ୍ ଡି'ରେ ରହିଛନ୍ତି। ଏହି ପୁଲ୍‌ରେ ଭାରତ-ପାକିସ୍ତାନ ବ୍ୟତୀତ ୱେଲ୍ସ ଏବଂ ଇଂଲଣ୍ଡ ମଧ୍ୟ ଅଛନ୍ତି ।

୧୯ ଅଗଷ୍ଟରେ ଭାରତ-ପାକିସ୍ତାନ ମହାମୁକାବିଲା

ତେବେ ହକି ବିଶ୍ବକପ୍‌ରେ ଅଗଷ୍ଟ ୧୯ରେ ଏକ ମହାମୁକାବିଲା ଖେଳାଯିବ । ଏହି ଦିନ ଭାରତ ଏବଂ ପାକିସ୍ତାନ ହକି ଦଳ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ ନେଦରଲ୍ୟାଣ୍ଡର ୱାଗନର ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ପ୍ରାୟ ସକାଳ ୧୧ଟା ୩୦ରେ ଆରମ୍ଭ ହେବ । ଏହା ଭାରତର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ।

ଭାରତ ନିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୫ରେ ୱେଲ୍ସ ବିପକ୍ଷରେ ଖେଳିବ । ଏହା ପରେ ଅଗଷ୍ଟ ୧୭ରେ ଇଂଲଣ୍ଡ ସହ ମୁହାଁମୁହିଁ ହେବ। ଭାରତ ତା'ର ତିନୋଟି ଗ୍ରୁପ୍ ମ୍ୟାଚ୍ ୱାଗନର ଷ୍ଟାଡିୟମରେ ଖେଳିବ ।

ଇତିହାସରେ ପାକିସ୍ତାନ ଆଗରେ, କିନ୍ତୁ ବର୍ତ୍ତମାନ ଭାରତ ଶକ୍ତିଶାଳୀ

ହକି ବିଶ୍ବକପରେ ଭାରତର ରେକର୍ଡ ଭଲ ରହିଛି, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ମୋଟ ମୁକାବିଲାରେ ପାକିସ୍ତାନ ଆଗରେ ରହିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୮୩ଟି ମ୍ୟାଚ୍‌ରେ ପାକିସ୍ତାନ ୮୨ଟି ଜିତିଛି, ଯେଉଁଠାରେ ଭାରତ ୬୯ଟି ବିଜୟ ହାସଲ କରିଛି । ୩୨ଟି ମ୍ୟାଚ୍ ଡ୍ର' ରହିଛି ।
ତେବେ ବର୍ତ୍ତମାନର ଫର୍ମକୁ ଦେଖିଲେ ଭାରତୀୟ ହକି ଦଳ ଅଧିକ ଶକ୍ତିଶାଳୀ ମନେ ହେଉଛି । ପ୍ରୋ ଲିଗ୍‌ରେ ଚଳିତ ବର୍ଷ ଭାରତ ପାକିସ୍ତାନକୁ ଦୁଇଥର ପରାସ୍ତ କରିଛି । ପ୍ରଥମ ମ୍ୟାଚ୍‌ରେ ୪-୩ରେ ବିଜୟ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୭-୧ର ବଡ଼ ବ୍ୟବଧାନରେ ପାକିସ୍ତାନକୁ ହରାଇଥିଲା । ତେବେ ହକି ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia