ଭୁବନେଶ୍ବର,୦୧/୦୮: ରାଜ୍ୟରେ ଲଗାଣ ବର୍ଷା ପରେ ମହାନଦୀ ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପାଇବା ସହ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ୁଛି। ୨୨ ଟି ଗେଟରେ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି । ଜଳସ୍ତର ୬୨୫.୪୭ ଫୁଟ ରହିଛି । ଉପର ମୁଣ୍ତରୁ ପ୍ରତି ସେକେଣ୍ତ ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହି ପରି ୨୨ ଟି ଗେଟରେ ୩ ଲକ୍ଷ ୮୯ ହଜାର ୬୦୩ କ୍ୟୁସେକ ଜଳ ନିଷ୍କାସନ ହେଉଛି ।
ସେପଟେ, କଟକ ନିକଟସ୍ଥ ମୁଣ୍ଡଳୀରେ ମହାନଦୀର ଜଳପ୍ରବାହ ବଢ଼ି ୭,୧୮,୦୦୦ କ୍ୟୁସେକ ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନଦୀକୂଳିଆ ତଳିଆ ଅଞ୍ଚଳରେ ପ୍ରଶାସନ ସତର୍କତା ଜାରି କରିଛି। ଜଳସ୍ତର ଓ ପ୍ରବାହ ଉପରେ ନିରନ୍ତର ନଜର ରଖାଯାଉଥିବା ଜଳସମ୍ପଦ ବିଭାଗ ସୂଚନା ଦେଇଛି।ହୀରାକୁଦରୁ ଜଳ ନିଷ୍କାସନ ଜାରି ଥିବାରୁ ମହାନଦୀର ତଳମୁଣ୍ଡ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ଏବଂ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଜାରି ରହିଛି।
ମହାନଦୀରେ ପ୍ରବଳ ଜଳସ୍ରୋତ। ମୁଣ୍ଡଳୀରେ ପ୍ରତି ୩ ଘଣ୍ଟାରେ ପ୍ରାୟ ୧୦ ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେ ସ୍ରୋତ ଏବେ ମଧ୍ୟ ତୀବ୍ର ରହିଛି । ମୁଣ୍ଡଳୀରେ ଏବେ ୭ ଲକ୍ଷ ୧୧ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି। ଗତ କାଲି ତୁଳନାରେ ଯଥେଷ୍ଟ କମିଛି ଜଳସ୍ତର। ତେବେ ଉପରମୁଣ୍ଡରେ ହୀରାକୁଦ ଡ୍ୟାମରୁ ଖୋଲାଯାଇଥିବା ୨୨ଟି ଗେଟର ପାଣି ପହଞ୍ଚିବା ପରେ ପୁଣି ବଢ଼ିବ ଜଳସ୍ତର। ମୁଣ୍ଡଳିରେ ବନ୍ୟା ଜଳ ସ୍ଥିତି ଉପର ମୁଣ୍ଡରେ ୯୧.୫୦ ଫୁଟ ଓ ତଳ ମୁଣ୍ଡରେ ୮୮.୯୦ ଫୁଟ ରହିଛି।
ପଢନ୍ତୁ ଏଡି ଖବର: ଚଳିତ ବନ୍ୟାରେ ୧୫ଟି ଜିଲ୍ଲା ପ୍ରଭାବିତ,ଜଳବନ୍ଦୀରେ ୨ ଲକ୍ଷ ୬୮ ହଜାର ୯୪୩ ଲୋକ
ଦେବୀ ନଦୀ ବନ୍ୟା ପାଣିରେ ପ୍ରଭାବିତ ହୋଇଛି ତରସାହି ଟାପୁ। ତରାସାହି ଚାରି ପଟେ ପାଣି । ମଝିରେ ୧୭ ଶହରୁ ଅଧିକ ପରିବାର ବସବାସ କରୁଛ ନ୍ତି। ଏଠି ପୁରୀ ଜିଲ୍ଲାର ତାଳଦା ଓ ଜଗତସିଂହପୁର ଜିଲ୍ଲାର ତରାସାହି ପଞ୍ଚାୟତରେ ୮ ହଜାରରୁ ଅଧିକ ଲୋକ ଅଛନ୍ତି । ଏଠିକାର ଲୋକ ଗୋପାଳନ ଓ ମାଛ ଧରି ପରିବାର ପ୍ରତିପୋଶଣ କରନ୍ତି ।
ଜୀବନ ତ ରହିଛି କିନ୍ତୁ ଦେବୀ ବନ୍ୟା ଜୀବିକାକୁ ପ୍ରଭାବିତ ଗଭୀର ଭାବେ ପ୍ରଭାବିତ କରିଛି । ୨୦୦ ଏକରରୁ ଅଧିକ ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ୨୦୦୦ ରୁ ଅଧିକ ଗାଈ ମହିଁଷି ଖାଦ୍ୟ ଅଭାବାରୁ ଡହଳ ବିକଳ ହେଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଗୋଖାଦ୍ୟ ପହଞ୍ଚିନି । ଅନ୍ୟପଟେ ଦେବୀ ନଦୀରେ ବନ୍ୟା ପାଣି ଉବୁଟୁବୁ ଥିବାରୁ ଲୋକଙ୍କ ଭିତରେ ଛନକା ପଶିଛି ।
ବଢୁଛି ପାଣି, ବଢ଼ିବ ବିପଦ । ବନ୍ୟା ଆଶଙ୍କାରେ ନଈକୂଳିଆ ବାସିନ୍ଦା ଛାନିଆ । କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟା ନଦୀ ଓ ତା'ର ଶାଖା ନଦୀ ରାଜୁଆ, ମକରା, କଣିଆ, ଲୁଣା ନଦୀରେ ବନ୍ୟା ଜଳ ପତନ ବୃଦ୍ଧି ପାଇବାରେ ଲାଗିଛି । ନଦୀ ସବୁ ଫୁଲି ଅନେକ ଛୋଟ ବନ୍ଧ ବୁଡ଼ାଇଲାଣି । ପ୍ରଶାସନ ପକ୍ଷରୁ ଘେରିରେ ବାଲି ବସ୍ତା ପକାଇ ପାଣି ରୋକିବାକୁ ଚେଷ୍ଟା କରାଯାଉଛି ।
ଦୟା ଓ ରାଜୁଆ ନଦୀର ମଧ୍ୟ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, ବଡ଼ାସ, ଗଡ଼ ବଳଭଦ୍ରପୁର, ପାଣ୍ଡିଆକେରା ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକ ତିନିଦିନ ହେଲା ଜଳବନ୍ଦୀ ହୋଇରହିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ କଣାସ ବ୍ଲକର ୨୮ ଗ୍ରାମ ପଞ୍ଚାୟତରେ ଥିବା ୨୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖା ଯାଇଛି । ପାଣ୍ଡିଆକେରା ଗ୍ରାମ ପଞ୍ଚାୟତର ବଗିପଡା ଗ୍ରାମର ୫ଟି ହରିଜନ ପରିବାର ବାସ ଗୃହରେ ବନ୍ୟା ଜଳ ପଶିବାରୁ ସେମାନଙ୍କୁ ଗ୍ରାମରେ ଥିବା ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଉଛି । ଦୋକନ୍ଦା ଗ୍ରାମକୁ ବନ୍ୟା ଦାଉରୁ ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ଘେରି ବନ୍ଦ ଭାଙ୍ଗି ଯିବାରୁ ବନ୍ୟା ଜଳ ଗ୍ରାମ ଭିତରେ ପ୍ରବେଶ କରିବାରୁ ୬୦ ପରିବାରରେ ପାଣି ଘେରରେ ରହିଛନ୍ତି।ଲୋକଙ୍କ ରାସନ ସାମଗ୍ରୀ ଏବଂ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ଖାଇବା ଏବଂ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ ଓ ତହସିଲିଦାର ହିମାଂଶୁ ଶେଖର ଗିରି ଉପସ୍ଥିତ ରହି ଭାଙ୍ଗି ଯାଇଥିବା ଘେରି ବନ୍ଧକୁ ବାଲି ବସ୍ତା ପକାଇ ବନ୍ଧାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ।

