ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ଏକ ଗମ୍ଭୀର ପ୍ରସଙ୍ଗ ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରେ ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ସାମଗ୍ରୀ (CSEAM) ସହ ଜଡିତ ବେଆଇନ ବିଷୟବସ୍ତୁକୁ ପ୍ରବେଶ ପ୍ରଦାନ କରୁଥିବା ବିଜ୍ଞାପନ ପ୍ରକାଶ ପାଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ଏହି ଘଟଣା ପରେ ମେଟାର ବିଷୟବସ୍ତୁ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ଆଲଗୋରିଦମର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି। କେବଳ ବିଜ୍ଞାପନ ହଟାଇବା ନୁହେଁ, ବରଂ ଏପରି ବେଆଇନ ବିଷୟବସ୍ତୁ ପ୍ଲାଟଫର୍ମରେ କିପରି ପ୍ରଚାରିତ ହେଲା ଏବଂ ଆଲଗୋରିଦମ ମାଧ୍ୟମରେ ଏହାର ପ୍ରସାର କିପରି ହେଲା, ସେନେଇ ମଧ୍ୟ ସରକାର ଜବାବ ମାଗିଛନ୍ତି। ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ ମେଟାକୁ ସଂଶୋଧନମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।
ପଢନ୍ତୁ ଏହି ଖବର: ସାଇବର ଜାଲିଆତି ରୋକିବା ପାଇଁ ବଡ଼ ପଦକ୍ଷେପ,ଟେଲିଗ୍ରାମ୍ ଓ ସିଗନାଲ୍ ଆପ୍କୁ କେନ୍ଦ୍ରର ନୋଟିସ୍
ବିବିସିର ଏକ ତଦନ୍ତମୂଳକ ରିପୋର୍ଟରେ ଦାବି କରାଯାଇଛି ଯେ ଇନଷ୍ଟାଗ୍ରାମରେ ଏପରି କିଛି ଦେୟଯୁକ୍ତ ବିଜ୍ଞାପନ ପ୍ରକାଶ ପାଇଥିଲା, ଯାହା ବ୍ୟବହାରକାରୀଙ୍କୁ ଟେଲିଗ୍ରାମ ଚ୍ୟାନେଲକୁ ନେଇଯାଉଥିଲା। ସେଠାରେ ମାତ୍ର ୯୯ ଟଙ୍କାରେ ବେଆଇନ ଶିଶୁ ଯୌନ ଶୋଷଣ ସାମଗ୍ରୀ ପ୍ରବେଶ ଦେବାର ପ୍ରଲୋଭନ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ମେଟା ଅଧିକାରୀଙ୍କୁ ସମନ କରି ସ୍ପଷ୍ଟୀକରଣ ମାଗିଥିଲେ।
ଏହି ପ୍ରସଙ୍ଗରେ ମେଟା ପକ୍ଷରୁ କୁହାଯାଇଛି ଯେ କମ୍ପାନୀର ସିଷ୍ଟମ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ନୁହେଁ। ତେବେ ବିବିସିର ରିପୋର୍ଟ ପରେ ସମ୍ପୃକ୍ତ ଅନେକ ବିଜ୍ଞାପନକୁ ହଟାଇ ଦିଆଯାଇଛି, ଆପତ୍ତିଜନକ ଆକାଉଣ୍ଟଗୁଡ଼ିକୁ ନିଲମ୍ବିତ କରାଯାଇଛି ଏବଂ ଏପରି ବିଷୟବସ୍ତୁ ଚିହ୍ନଟ ଓ ରୋକିବା ପାଇଁ ସକ୍ରିୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଜାରି ରହିଛି।
ଏହି ଘଟଣା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମର ଦାୟିତ୍ୱ, ବିଷୟବସ୍ତୁ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ଅନଲାଇନରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି।
ସେପଟେ OTT ପ୍ଲାଟଫର୍ମରୁ ବଢ଼ୁଥିବା ଅନଲାଇନ୍ ଫିଲ୍ମ ଏବଂ ବିଷୟବସ୍ତୁର ପାଇରେସିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଖବର ସରବରାହ ସଂସ୍ଥା ANI ଶନିବାର ଦିନ ରିପୋର୍ଟ କରିଛି ଯେ ସରକାର ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ଏକ ନୋଟିସ ଜାରି କରିଛନ୍ତି, ଯେଉଁଥିରେ ଏହାର ପ୍ଲାଟଫର୍ମରେ ପାଇରେଟେଡ୍ ଫିଲ୍ମ ଏବଂ OTT ବିଷୟବସ୍ତୁର ବ୍ୟାପକ ପ୍ରସାରଣ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।
ନୋଟିସ ଅନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (I&B) ଟେଲିଗ୍ରାମକୁ ବିନା ଅନୁମତିରେ OTT ପ୍ଲାଟଫର୍ମରେ ଫିଲ୍ମ ଏବଂ ୱେବ୍ ସିରିଜ୍ ସମେତ କପିରାଇଟ୍ ବିଷୟବସ୍ତୁ ବଣ୍ଟୁଥିବା ଚ୍ୟାନେଲ ଏବଂ ଗୋଷ୍ଠୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି । ଅନଲାଇନ୍ ପାଇରେସି ଏବଂ ଭାରତର ମନୋରଞ୍ଜନ ଇକୋସିଷ୍ଟମ ଉପରେ ଏହାର ପ୍ରଭାବ ବିଷୟରେ ବଢ଼ୁଥିବା ଚିନ୍ତା ମଧ୍ୟରେ ଏହି ନୋଟିସ ଜାରି କରାଯାଇଛି ।

