ଶିଶୁ କହିଲା କାହା ସହ ରହିବି, କିନ୍ତୁ କୋର୍ଟ କହିଲେ- କେବଳ ପସନ୍ଦ ନୁହେଁ, ପିଲାର ଭବିଷ୍ୟତ ସବୁଠୁ ବଡ଼ । ୧୨ ବର୍ଷର ଶିଶୁର ହେପାଜତ ମାମଲାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ଶିଶୁର ଇଚ୍ଛାକୁ ଗୁରୁତ୍ୱ ଦିଆଯିବ, ହେଲେ ତାହା ହେପାଜତ ନିଷ୍ପତ୍ତିର ଏକମାତ୍ର ମାପକାଠି ହୋଇପାରିବ ନାହିଁ ।
ଜଷ୍ଟିସ୍ ବିବେକ ଅଗ୍ରୱାଲ ଓ ଜଷ୍ଟିସ୍ ଅବନୀନ୍ଦ୍ର କୁମାର ସିଂହଙ୍କୁ ନେଇ ଗଠିତ ଡିଭିଜନ୍ ବେଞ୍ଚ ଅଗଷ୍ଟ ୨୦ରେ ଏହି ରାୟ ଦେଇଛନ୍ତି । ଶିଶୁର ବାପା ଅଭିଷେକ ସିଂହ ଶାହଡୋଲ ପରିବାର ଅଦାଲତଙ୍କ ୨୦୨୦ ଜୁଲାଇର ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପରିବାର ଅଦାଲତ ଶିଶୁର ହେପାଜତ ମାଆ ଅନନ୍ୟା ଓରଫ୍ ପ୍ରିୟା ସିଂହଙ୍କଠାରୁ ବାପାଙ୍କୁ ଦେବା ପାଇଁ ଆବେଦନକୁ ଖାରଜ କରିଥିଲେ ।
ବାପାଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ, ୧୨ ବର୍ଷ ବୟସର ଶିଶୁ ନିଜ ଇଚ୍ଛା ପ୍ରକାଶ କରିବାରେ ସକ୍ଷମ। ତାଙ୍କ ଅଭିଯୋଗ ଥିଲା ଯେ ମାଆ ଶିଶୁକୁ ଶାହଡୋଲରୁ ଉତ୍ତରପ୍ରଦେଶର ଗାଜିଆବାଦ ନେଇଯାଇଥିବାରୁ ତାଙ୍କର ଶିଶୁକୁ ଦେଖା କରିବାର ଅଧିକାର ପ୍ରଭାବିତ ହୋଇଛି ।
ଅନ୍ୟପକ୍ଷରେ ଶିଶୁର ମାଆ କହିଥିଲେ ଯେ, ଶିଶୁ ଗାଜିଆବାଦର ଏକ ସ୍କୁଲରେ ପାଠ ପଢ଼ୁଛି ଏବଂ ତାଙ୍କ ତତ୍ତ୍ୱାବଧାନରେ ଉପଯୁକ୍ତ ଯତ୍ନ ଓ ଶିକ୍ଷା ପାଉଛି । ଅଦାଲତଙ୍କୁ ଏହା ମଧ୍ୟ ଜଣାଇଥିଲେ ଯେ ଅଭିଷେକ ସିଂହ ପୁନଃବିବାହ କରିଛନ୍ତି ଏବଂ ଡିସେମ୍ବର ୨୦୨୧ରେ ହାଇକୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ, ସେ ଗାଜିଆବାଦରେ ପିଲାଟିକୁ ଭେଟିବାକୁ କୌଣସି ଚେଷ୍ଟା କରି ନଥିଲେ ।
ହାଇକୋର୍ଟ କହିଛନ୍ତି ଯେ ପିଲାଟିର କଲ୍ୟାଣ ହେପାଜତ ମାମଲାରେ ସର୍ବୋପରି ଏବଂ ଯଦିଓ ପିଲାଟିର ପସନ୍ଦ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ହେପାଜତ ନିର୍ଣ୍ଣୟ ପାଇଁ ଏକମାତ୍ର ଆଧାର ଭାବରେ କାର୍ଯ୍ୟ କରିପାରିବ ନାହିଁ ।
କୋର୍ଟ କହିଛନ୍ତି ଯେ ଶିଶୁର ବୟସ ଏବଂ ବିକାଶର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ମାଆର ଯତ୍ନ, ମାର୍ଗଦର୍ଶନ, ଶିକ୍ଷା ଏବଂ ଭାବପ୍ରବଣ ସମର୍ଥନ ତାଙ୍କ ସର୍ବୋତ୍ତମ ସ୍ୱାର୍ଥ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋର୍ଟ ବିବେକ ସିଂହ ବନାମ ରୋମାନି ସିଂହ ଏବଂ ରୁଚି ମାଜୁ ବନାମ ସଞ୍ଜୀବ ମାଜୁ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି।
ବାପାଙ୍କୁ ମିଳିଲା ଭେଟିବାର ଅଧିକାର
ହେପାଜତ ମାଆଙ୍କ ପାଖରେ ରଖାଯାଇଥିବା ବେଳେ ହାଇକୋର୍ଟ ବାପାଙ୍କ ପାଇଁ ଶିଶୁକୁ ଭେଟିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ପ୍ରତି କାର୍ଯ୍ୟଦିବସ ଶନିବାର ବାପା ଶାହଡୋଲରେ ଶିଶୁକୁ ଭେଟିପାରିବେ । ଏହା ସହ ପ୍ରତି ରବିବାର ରାତି ୮ଟାରୁ ୮ଟା ୩୦ ପର୍ଯ୍ୟନ୍ତ ଭିଡିଓ କଲ୍ରେ ଶିଶୁ ସହ କଥା ହେବାର ଅନୁମତି ମଧ୍ୟ ଦିଆଯାଇଛି । ମାଆଙ୍କୁ ତାଙ୍କ ମୋବାଇଲ୍ ନମ୍ବର ବାପାଙ୍କ ସହ ସେୟାର କରିବାକୁ ପଡିବ । କିନ୍ତୁ ସେଥିରେ ମଧ୍ୟ ଏକ ସର୍ତ୍ତ ଲାଗୁ କରାଯାଇଛି ଯେ ବାପା ଅପମାନଜନକ ଭାଷା କିମ୍ବା କୌଣସି ପ୍ରକାରର ଅସଦାଚରଣ କରିପାରିବେ ନାହିଁ । ଯଦି ଏହି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ଭିଡିଓ କଲ୍ ସୁବିଧା ବନ୍ଦ କରାଯାଇପାରିବ ।

