ଭୁବନେଶ୍ବର,୦୫/୦୭: ରାଜଧାନୀ ଭୁବନେଶ୍ବରରେ ପ୍ରତିବର୍ଷ ବର୍ଷାରେ ଦହଗଞ୍ଜ ହେଉଛନ୍ତି ଜନସାଧାରଣ। ସାମାନ୍ୟ ବର୍ଷାରେ ଜଳବନ୍ଦି ଘଟଣା ନିତିଦିନିଆ ହୋଇଗଲାଣି। କିନ୍ତୁ ସବୁଠୁ ଅଧିକ କଷ୍ଟ ଦେଉଛି ମୁକୁଳା ନାଳ। ମୁକୁଳା ନାଳ ପ୍ରତିବର୍ଷ ମୁଣ୍ଡ ଗଡ଼ାଉଛି ଓ ଲୋକଙ୍କୁ କନ୍ଦାଉଛି। ତଥାବି ବିଏମ୍ସିର ଅଧିକାରୀମାନଙ୍କ ନିଦ ଭାଙ୍ଗୁନି।
ରାଜଧାନୀରେ ବିଏମ୍ସି ଅଧୀନରେ ୧୪୦୦ କିଲୋମିଟର, ପୂର୍ତ୍ତ ବିଭାଗ ଅଧୀନରେ ୩୬୦ କିଲୋମିଟର, ଇଡ୍କୋ ଅଧୀନରେ ୬୫ କିଲୋମିଟର ଓ ଏନ୍ଏଚ୍ଏଆଇ ଅଧୀନରେ ୩୪.୫ କିଲୋମିଟର ନାଳ ରହିଛି। ଏସବୁ ୧୧ଟି ମୁଖ୍ୟ ନାଳକୁ ସଂଯୋଗ କରୁଛି, ଯାହାର ଲମ୍ବ ୭୭ କିଲୋମିଟର। ପ୍ରତିବର୍ଷ ରାଜଧାନୀର ଜଳବନ୍ଦି ଓ ମୁକୁଳା ନାଳ ପ୍ରସଙ୍ଗ ବିଧାନସଭାରେ ଉଠୁଛି ଓ ଏହାକୁ ନେଇ ତମ୍ବିତୋଫାନ ବି ହେଉଛି। କିନ୍ତୁ ପ୍ରତିବର୍ଷ ମୁକୁଳା ନାଳରେ ସ୍ଲାବ୍ ପକାଯିବ, ଆବଶ୍ୟକ ସ୍ଥଳେ ମୁଖ୍ୟ ନାଳକୁ ଲୁହାର ବ୍ୟାରିକେଡିଂ କରାଯିବ ବୋଲି ଫମ୍ପା ଭାଷଣବାଜି କରାଯାଉଛି।
ପଢନ୍ତୁ ଏହି ଖବର: ରାଜଧାନୀରେ ମୁକୁଳା ଡ୍ରେନ୍ରେ ଭାସିଗଲେ ଯୁବକ
ଆଜି ପର୍ଯ୍ୟନ୍ତ ରାଜଧାନୀର ବର୍ଷ ବର୍ଷର ନାଳ ସମସ୍ୟାରେ ସୁଧାର ଆସିପାରିନି। ଡ୍ରେନେଜ୍ ସଂଯୋଗୀକରଣ ବ୍ୟବସ୍ଥିତ ନ ଥିବାରୁ ସାମାନ୍ୟ ବର୍ଷାରେ ପ୍ରମୁଖ ରାସ୍ତାଘାଟ ଜଳାର୍ଣ୍ଣବ ହେଉଛି। ବୋଝ ଉପରେ ନଳିତ ବିଡ଼ା ହୋଇଛି, ଅସଜଡ଼ା ଓ ମୁକୁଳା ନାଳ। ସବୁଠୁ ଅଧିକ ଦୟନୀୟ ସ୍ଥିତିରେ ଭୁବନେଶ୍ବର ସୀମାନ୍ତ ଅଞ୍ଚଳବାସୀ। ଏଠି ବର୍ଷ ବର୍ଷ ଧରି ନାଳ ସଜଡ଼ା ଯାଉନି କି ସ୍ଲାବ ପଡ଼ୁନି। ଯାହାର ପରିଣାମ, ଅତୀତରେ ଏଥିପାଇଁ ଅନେକଙ୍କ ମୁଣ୍ଡ ଗଡ଼ିଛି। ଏବେ ବର୍ଷା ଆରମ୍ଭ ହୋଇ ସାରିଲାଣି। କିନ୍ତୁ ଅଦ୍ୟାବଧି ଅନେକ ନାଳ ଅସଜଡ଼ା ତଥା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିବା, ପ୍ରତି ସାହି ଗଳିକନ୍ଦିର ନାଳ ମୁକୁଳା ରହିବା, ପୂର୍ବ ଘଟଣାର ପୁନରାବୃତ୍ତି ଘଟାଇବା ଆରମ୍ଭ କରିଛି।
ଜୀବନ ନେଉଛି ମୁକୁଳା ଡ୍ରେନ୍
୨୦୨୬ ଫେବ୍ରୁଆରି: ଭୁବନେଶ୍ୱରରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ
୨୦୨୬ ଜାନୁଆରି: ଭୁବନେଶ୍ୱରର ସାଲିଆସାହି ବସ୍ତି ନିକଟରେ ଚାଲିଥିବା ଏକ ନୂଆ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସମୟରେ ଗୋଡ଼ ଖସିଯିବାରୁ ସିନୁ ଗାଗରାଇ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା
୨୦୨୪ ଜୁନ୍: ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନିରେ ପ୍ରବଳ ବର୍ଷା ସମୟରେ ବେଲୁନ୍ ଧରିବାକୁ ଯାଇ ଏସ୍କେ ରାଜେଶ ନାମକ ଜଣେ ୮ ବର୍ଷର ନାବାଳକ ମୁକୁଳା ଡ୍ରେନ୍ରେ ଭାସିଯାଇ ପ୍ରାଣ ହରାଇଥିଲା
୨୦୨୨ ଜୁଲାଇ: ଭୁଆସୁଣି ଲେନ୍ ପତିତପାବନ ନଗର ଅଞ୍ଚଳରେ ଖେଳୁଥିବା ସମୟରେ ଗୌତମ ନାମକ ଜଣେ ୪ ବର୍ଷର ଶିଶୁ ମୁକୁଳା ଡ୍ରେନ୍ରେ ଭାସିଯାଇଥିଲା, ପରେ ଗଙ୍ଗୁଆ ନାଳରୁ ତାର ମୃତଦେହ ମିଳିଥିଲା
୨୦୨୧ ସେପ୍ଟେମ୍ବର: ବରମୁଣ୍ଡା ପଲାସପଲ୍ଲୀ ନିକଟରେ ଜ୍ୟୋତିର୍ମୟ ବେହେରା ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ସାଇକେଲ୍ରେ ଯାଉଥିବା ବେଳେ ମୁକୁଳା ଡ୍ରେନ୍ରେ ଭାସିଯାଇ ପ୍ରାଣ ହରାଇଥିଲା
୨୦୧୯ ଜୁଲାଇ: ଜୟଦେବ ବିହାର-ଏକାମ୍ର ଭିଲ୍ଲା ରାସ୍ତାରେ ପ୍ରବଳ ବର୍ଷା ଯୋଗୁଁ ନାଳ ଉଛୁଳିବା କାରଣରୁ ଟି. ଆପାଲାମା ନାମକ ଜଣେ ୬୦ ବର୍ଷର ବୃଦ୍ଧା ମୁକୁଳା ଡ୍ରେନରେ ପଡ଼ି ପ୍ରାଣ ହରାଇଥିଲେ
ଠିକାଦାରଙ୍କ ଆନ୍ଦୋଳନ ପାଇଁ କାମ ବିଳମ୍ବ: ମେୟର
ଯେଉଁଠି ବି ଅର୍ଦ୍ଧନିର୍ମିତ ନାଳ ରହିଛି, ତାକୁ ଯଥାଶୀଘ୍ର ଆମେ ସାରିବାକୁ ଚେଷ୍ଟା କରୁଛୁ। ବାକି ୱାର୍ଡୱାରି ମୁକୁଳା ନାଳରେ ସ୍ଲାବ୍ ପକାଇବାର ଟେଣ୍ଡର ବି ଦିଆଯାଇଥିଲା। ସେହି ଅନୁସାରେ କାମ ହେଉଛି। ଯେଉଁଠି ବି ନାଳ ମୁକୁଳା ପଡ଼ିଛି, ସେଠାରେ ତୁରନ୍ତ ସ୍ଲାବ୍ ପକାଇବାର ବ୍ୟବସ୍ଥା କରୁଛୁ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ମେୟର କହିଛନ୍ତି, ଚଳିତବର୍ଷ ଠିକାଦାରଙ୍କ ଆନ୍ଦୋଳନ କାରଣରୁ ଟେଣ୍ଡର ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଏଣୁ ବିଳମ୍ବରେ ନାଳ ନିର୍ମାଣ, ସ୍ଲାବ୍ ପକାଇବା ଆଦି କାମ ସବୁ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ନାଳ କାମ ସରିପାରିନି। ତଥାପି ଯଥାଶୀଘ୍ର ଏହାକୁ ସାରିବାକୁ ଚେଷ୍ଟା କରୁଛୁ।

