ଛତ୍ରପୁର,୦୪/୦୭: ସମୁଦ୍ର ଗର୍ଭରେ ଭାସିଯାଉଛି ବଡ଼ ବଡ଼ ଘର। ଭୟଙ୍କର ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ପୋଡମପେଟା ଗାଁର । ପୋଡମପେଟା ଗାଁର ୭୦ ପ୍ରତିଶତ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ଆଉ ୧୨ ଖଣ୍ଡ ଗାଁକୁ ବିପଦ ମାଡ଼ି ଆସୁଛି । ପୋଡ଼ମପେଟାରେ ସମୁଦ୍ର କୂଳ ଲଙ୍ଘିବା ପରେ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି।
ଗୋଟିଏ ପରେ ଗୋଟିଏ ଘର ଗିଳୁଛି ସମୁଦ୍ର । ଶ୍ରୀହୀନ ହେବାକୁ ବସିଲାଣି ଜନବସତି । ଗାଁ ଗିଳିବା ପାଇଁ ମାଡ଼ି ଆସୁଛି ଲହଡ଼ି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୋଡମପେଟା ଗାଁରେ । କିଛି ଦିନ ପୂର୍ବରୁ ଗାଁର ୧୦ରୁ ଅଧିକ ଘର ସମୁଦ୍ରରେ ମିଶିଯାଇଥିଲା । ଗତକାଲି ଅପରାହ୍ନରେ ମଧ୍ୟ ପୁଣି କିଛି ଘର ଭାଙ୍ଗିରୁଜି ସମୁଦ୍ର ଗର୍ଭକୁ ଚାଲିଯାଇଛି । ଦରିଆର ଉଗ୍ରରୂପ ଦେଖି ଭୟଭୀତ ଗ୍ରାମବାସୀ । ଗାଁର ଏଭଳି ଦୃଶ୍ୟକୁ ଦେଖି ଜିଲ୍ଲା ପ୍ରଶାସନ ଆଲୋଚନା ପାଇଁ ସ୍ଥାନୀୟ ଗାଁ ଲୋକଙ୍କୁ ଡାକିଥିଲେ । ୬ ଖଣ୍ଡ ଗାଁର ଲୋକେ ଜିଲ୍ଲାପାଳଙ୍କୁ ନିଜର ଦୁଃଖ ଜଣାଇଛନ୍ତି । ବିଳମ୍ବ ନକରି ତୁରନ୍ତ ସମୁଦ୍ର କୂଳରେ ପଥର ବନ୍ଧ ସହ କଂକ୍ରିଟ ୱାଲ୍ କରାଇବାକୁ ଦାବି ହୋଇଛି । ନଚେତ କେବଳ ପୋଡ଼ମପେଟା ନୁହେଁ, ବରଂ ୧୨ ଖଣ୍ଡ ଗାଁ ଦିନେ ଅତୀତ ପାଲଟିଯିବ ବୋଲି ଆଶଙ୍କା କରିଛନ୍ତି।
ପଢନ୍ତୁ ଏହି ଖବର: ରାତିରେ ବଦଳିଗଲା ଦୃଶ୍ୟ, ସକାଳେ ଘର ଆଗରେ ସମୁଦ୍ର ପାଣି
ସେପଟେ ପାଳିବନ୍ଧ ପଞ୍ଚାୟତବାସୀ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି । ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର ୯ଟି ଗାଁ ଏବଂ ରାମଗଡ଼ ପଞ୍ଚାୟତର ୭ରୁ ଅଧିକ ଗାଁ ନିକଟରେ କ୍ଷିପ୍ରଗତିରେ ସମୁଦ୍ର କୂଳ ଖାଉଛି । ଜନବସତି, କୃଷିଜମି ଓ ଜନଜୀବନ ବିପଦରେ ପଡ଼ିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଏହି ପ୍ରସଙ୍ଗରେ ପୂର୍ବରୁ ସରକାରଙ୍କ ବୈଷୟିକ କମିଟି ସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେଇଥିବା ବେଳେ, ସେହି ସୁପାରିଶକୁ ଆଧାର କରି ସମୁଦ୍ରକୂଳରେ ସ୍ଥାୟୀ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ବିଧାୟକ।

