ନୂଆଦିଲ୍ଲୀ,୨୪।୧: ଗୁଇନ୍ଦା ବିଭାଗରୁ ତଥ୍ୟ ମିଳିବା ପରେ ଦିଲ୍ଲୀ ପୋଲିସ ସମସ୍ତ ପାଓ୍ବର ସବ୍-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଆତଙ୍କବାଦୀ ସଂଗଠନ ସିଖସ ଫର ଜଷ୍ଟିସ (ଏସ୍ଏଫ୍ଜେ) ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀକୁ ଅନ୍ଧାର କରିଦେବାକୁ ଧମକ ଦେଇଛି। ଏଣୁ ବିଭିନ୍ନ ସବ୍-ଷ୍ଟେଶନ ଉପରେ ଆକ୍ରମଣ ହେବାର ଆଶଙ୍କା କରାଯାଉଛି। ସ୍ପେଶାଲ ବ୍ରାଞ୍ଚର ଡିସିପି କହିଛନ୍ତି, ଆତଙ୍କବାଦୀ ସଂଗଠନର ସମର୍ଥକମାନେ ଦିଲ୍ଲୀରେ ୨୫ ଓ ୨୬ ତାରିଖରେ ବିଦ୍ୟୁତ ଯୋଗାଣ ରୋକିବାକୁ ଯୋଜନା କରୁଛନ୍ତି। ଦିଲ୍ଲୀକୁ ବିଦ୍ୟୁତ ଯୋଗାଉଥିବା ବିଏସ୍ଇଏସ୍ କମ୍ପାନୀକୁ ମଧ୍ୟ ଏସ୍ଏଫ୍ଜେଠାରୁ ଧମକ ମିଳିଥିବା କୁହାଯାଇଛି। ନିକଟରେ ଏହି ସଂଗଠନକୁ ସମର୍ଥନ କରୁଥିବା ଯୁବକମାନେ ପଞ୍ଜାବରେ ବହୁ ସଂଖ୍ୟାରେ ମୋବାଇଲ ଟାଉରକୁ ଭାଙ୍ଗି ଦେଇଥିଲେ।