ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦକୁ ବଢ଼ାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୧ଟି ଉପକରଣ ଆମଦାନୀ ଉପରେ ଖୁବ୍ ଶୀଘ୍ର ପ୍ରତିବନ୍ଧକ ଲଗାଯିବ ବୋଲି ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନେକ ଟୁଇଟ୍ କରି କହିଛନ୍ତି ଯେ, 'ଆତ୍ମନିର୍ଭର ଭାରତ' ଅଭିଯାନକୁ ତ୍ୱରାନ୍ବିତ କରିବା ଲାଗି ଏହି ପଦକ୍ଷେପ ଅତ୍ୟନ୍ତ ସହାୟକ ହେବ। ଉଲ୍ଲେଖଯୋଗ୍ୟ ଯେ, ଭାରତକୁ ଏକ ଆତ୍ମନିର୍ଭର ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟ ରଖାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ' ୨୦୨୦ରେ 'ଆତ୍ମନିର୍ଭର ଭାରତ' ଅଭିଯାନ ଘୋଷଣା କରାଯାଇଥିଲା। ତେବେ ୬ ବର୍ଷରୁ ଊର୍ଦ୍ଧ୍ୱ ଶାସନ କରିବା ପରେ ମଧ୍ୟ ପୂର୍ବ ସରକାରଗୁଡ଼ିକୁ ଦାୟୀ କରୁଥିବା ଆଜିର ଭାଜପା ସରକାରର ନିଦ ଏବେ ଭଙ୍ଗ ହୋଇଥିବା ଭଳି ମନେହେଉଛି। ଅବଶ୍ୟ ତା'ର କାରଣ ସମସ୍ତଙ୍କୁ ଜଣା। ଚାଇନାର ପିଏଲ୍ଏ ଭାରତ ଭିତରକୁ ପ୍ରବେଶ କରି ଆମର ୨୦ ଜଣ ସେନା ଅଧିକାରୀ ଓ ଯବାନଙ୍କୁ ମାରି ନ ଥିଲେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ସମ୍ଭବପର ହୋଇ ନ ଥାଆନ୍ତା।