ଭୁବନେଶ୍ୱର, ୨୪।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍ ଟିକାକରଣ ଅଭିଯାନ ସଫଳ ଭାବେ ଚାଲିଛି। ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶନିବାର ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, କର୍ନାଟକ ଓ ଆନ୍ଧ୍ରପ୍ରଦେଶ ପରେ ତୃତୀୟ ସ୍ଥାନରେ ଓଡ଼ିଶା ରହିଛି। ଗତ ୭ଦିନ ଭିତରେ କର୍ନାଟକରେ ସର୍ବାଧିକ ୧,୮୨, ୫୦୩ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧,୩୦,୦୦୭ ଜଣଙ୍କୁ ଟିକା ଦିଆଗଲାଣି। ପାଣିଗ୍ରାହୀ କହିଛନ୍ତି, ସମସ୍ତଙ୍କର ଟିକାକରଣ କରିବାକୁ ଚେଷ୍ଟା କରାଯିବ। ଶୁକ୍ରବାର ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ମୋଟ ୧୬,୩୮୪ ଜଣଙ୍କୁ ଟିକା ଦିଆଯାଇଛି। ୨୨୧ ସେସନ ସାଇଟ୍ରେ ୨୦,୩୩୦ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।