Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩ ପରେ ୪ର୍ଥ

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି, ଚୌଦ୍ୱାର ଜେଲରୁ ୨ ଜଣ ଅପରାଧୀ ଫେରାର ହୋଇଗଲେ। ଏହାପରେ ତତ୍କାଳୀନ ଜେଲର ସନ୍ତୋଷିନୀ ଦାଶଙ୍କୁ ନିଲମ୍ୱନ କରାଗଲା।

ସନ୍ତୋଷିନୀ କୁଆଡ଼େ ସୁଜିତ୍‌ କୁମାରଙ୍କ ସମ୍ପର୍କୀୟ। ସେଥିଲାଗି ସୁଜିତ୍‌ ତାଙ୍କ ଲିଖିତ ଅଭିଯୋଗରେ ସିଧାସଲଖ ଜେଲ ଡିଜି ସୁଶାନ୍ତ କୁମାର ନାଥ ଜେଲରୁ ଅପରାଧୀଙ୍କୁ ଛାଡ଼ିବା ଲାଗି ଷଡ଼ଯନ୍ତ୍ର କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଆସନ୍ତା ମାସର ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟର ନୂଆ ଡିଜି କିଏ ହେବେ ତାକୁ ନେଇ ଘୋଷଣା ହୋଇପାରେ। ରାଜ୍ୟର ନୂଆ ପୋଲିସ ନିର୍ଦ୍ଦେଶକ ହେବା ତାଲିକାରେ ଜେଲ ଡିଜି ସୁଶାନ୍ତ କୁମାରଙ୍କ ନାମ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ୨ୟ ସ୍ଥାନରେ ରହିଛି। ଏଭଳି ସ୍ଥିତିରେ ସୁଜିତ ଅଭିଯୋଗ କରିବା ଏବଂ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏହାକୁ ନେଇ ରଙ୍ଗ ଦେଲା ଭଳି ବାରମ୍ୱାର ଖବର ପ୍ରକାଶ ପାଇବା ବର୍ତ୍ତମାନ ଆଇପିଏସ୍‌ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଓ୍ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୬ରେ ଶେଷ ହେବ। ଅର୍ଥାତ୍‌ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସେ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ରହିବେ। ତେଣୁ ରାଜ୍ୟର ନୂଆ ଡିଜିପି କିଏ ହେବେ, ତାହା ପ୍ରାୟତଃ ଅଗଷ୍ଟ ୧୬ ପୂର୍ୱରୁ ଜଣାପଡ଼ିଯାଇଥିବ। ନୂଆ ଡିଜି ପାହ୍ୟାକୁ ନେଇ ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭକରି ପାଓ୍ୱାର କରିଡରରେ ପ୍ରବଳ ଚର୍ଚ୍ଚା ଚାଲୁଛି। ଉଲ୍ଲେଖଯୋଗ୍ୟ, ନୂଆ ଡିଜି ଚୟନ ଲାଗି କେତେକ ନିୟମ ରହିଛି। ରାଜ୍ୟର ଯେତେଜଣ ଆଇପିଏସ୍‌ ଅଫିସର ୩୦ ବର୍ଷ ଚାକିରିକାଳ ପୂରଣ କରିସାରିଥିବେ ସେମାନଙ୍କ ନାମକୁ ତାଲିକା କରି ରାଜ୍ୟ ସରକାର ପ୍ରଥମେ ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ(ୟୁପିଏସ୍‌ସି)କୁ ପଠାଇବେ। ତାଲିକାରେ ଥିବା ଅଫିସରଙ୍କ ଅବସର ସମୟ ଡିଜି ପଦରେ ବସିବା ବେଳକୁ ସର୍ୱନିମ୍ନ ୬ ମାସ ରହିଥିବା ଦରକାର। ଏହାଠାରୁ କମ୍‌ ଚାକିରି ସମୟ ଥିଲେ ବି ଜଣେ ଡିଜିପି ପଦରେ ବସିପାରିବେ ନାହିଁ। ସରକାର ଯେଉଁମାନଙ୍କ ନାମ ୟୁପିଏସ୍‌ସିକୁ ପଠାଇବେ ସେମାନଙ୍କ ୩୦ ବର୍ଷର ରେକର୍ଡ ମଧ୍ୟ ପ୍ରଦାନ କରିବେ। ୟୁପିଏସ୍‌ସି ସବୁ ଦିଗରୁ ତାଲିକାରେ ଥିବା ଅଫିସରଙ୍କ ରେକର୍ଡ ଯାଞ୍ଚ କରିବା ପରେ, ଶେଷରେ ଚୂଡ଼ାନ୍ତ ୩ ଜଣ ଆଇପିଏସ୍‌ ଅଫିସରଙ୍କ ନାମ ରାଜ୍ୟକୁ ପଠାଇବ। ଏହି ସମୟରେ ୟୁପିଏସ୍‌ସି ମୁଖ୍ୟତଃ ବରିଷ୍ଠତାକୁ ପ୍ରାଧାନ୍ୟ ଦେଇଥାଏ। ଏହି କ୍ରମରେ ଓଡ଼ିଶାର ନୂଆ ଡିଜି ଚୟନ କରିବା ଲାଗି ରାଜ୍ୟ ସରକାରଙ୍କ ଗୃହ ବିଭାଗ ୧୦ ଜଣିଆ ତାଲିକା ୟୁପିଏସ୍‌ସିକୁ ପଠାଇଥିବା ଜଣାପଡ଼ିଛି। ଖୁରାନିଆଙ୍କ ପରେ ରାଜ୍ୟରେ ବର୍ତ୍ତମାନ ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ସବୁଠାରୁ ବରିଷ୍ଠ। ସେ ଏବେ ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି। ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥ ବର୍ତ୍ତମାନ ଜେଲ ବିଭାଗ ଡିଜି ଅଛନ୍ତି। ତାଙ୍କ କାର୍ଯ୍ୟକାଳ ସରିବାକୁ ଆହୁରି ୨ ବର୍ଷ ପାଖାପାଖି ଅଛି। ସେହିପରି ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ଏବେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ଅଗଷ୍ଟ ବେଳକୁ ସରକାର ନୂଆ ଡିଜି ନିଯୁକ୍ତି କଲାବେଳକୁ ତାଙ୍କ ଅବସର ଲାଗି ଆଉ ମାତ୍ର ୩ ମାସ ସମୟ ଥିବ। ତେଣୁ ସରକାରଙ୍କ ତାଲିକାରେ ବିନୟତୋଷ ମଧ୍ୟ ରହି ନ ଥିବେ। ବର୍ତ୍ତମାନ ରାଜ୍ୟର ଗୋଇନ୍ଦା ନିର୍ଦ୍ଦେଶକ ଥିବା ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଆର୍‌.ପି. କୋଚ୍ଚେ ସରକାରଙ୍କ ତାଲିକାରେ ୩ୟ ସ୍ଥାନରେ ରହିଥିବେ। ତାଙ୍କ କାର୍ଯ୍ୟକାଳ ସରିବାକୁ ଆହୁରି ଗୋଟିଏ ବର୍ଷ ବାକି ଅଛି। ତେଣୁ ୟୁପିଏସ୍‌ସିକୁ ଯାଇଥିବା ୧୦ ଜଣିଆ ତାଲିକାରେ ବରିଷ୍ଠତା ଦୃଷ୍ଟିରୁ ସୁଧାଂଶୁ, ସୁଶାନ୍ତ ଏବଂ କୋଚ୍ଚେଙ୍କ ନାମ ସର୍ୱାଗ୍ରେ ରଖିବାକୁ ସରକାର ବାଧ୍ୟ। ଯଦି ଏହି ୩ ଆଇପିଏସ୍‌ ଅଫିସରଙ୍କ ମଧ୍ୟରୁ କାହା ବିରୋଧରେ କିଛି ପ୍ରୋସିଡିଂ ଥିବ ତେବେ ସେ ଡିଜିପି ହୋଇପାରିବେ ନାହିଁ। ନଚେତ୍‌ ଏମାନଙ୍କ ମଧ୍ୟରୁ କେହି ଯଦି ଡିଜିପି ପାହ୍ୟାକୁ ଯିବାକୁ ମନା କରିଦିଅନ୍ତି, ତା'ହେଲେ ମଧ୍ୟ ସରକାର ସେମାନଙ୍କୁ ଡିଜିପି ତାଲିକାରୁ ବାଦ୍‌ ଦେଇପାରିବେ। ସୂଚନାଯୋଗ୍ୟ, ଏହି ୩ ଜଣ ତାଲିକାଭୁକ୍ତ ବରିଷ୍ଠ ଆଇପିଏସ୍‌ଙ୍କ ବିରୋଧରେ କୌଣସି ପ୍ରୋସିଡିଂ ନାହିଁ, ଯାହା ସେମାନଙ୍କ ପଦୋନ୍ନତିରେ ବାଧା ସୃଷ୍ଟି କରିବ। ତେଣୁ କିଛି ଘଟଣା ମାଧ୍ୟମରେ ତାଲିକାର ପ୍ରଥମ ୩ ଆଇପିଏସ୍‌ଙ୍କ ମଧ୍ୟରୁ ଜଣଙ୍କୁ ହଟାଇବାକୁ ଏକ ପ୍ରକାର ଉଦ୍ୟମ ଆରମ୍ଭ ହେବାଭଳି ମନେହେଉଛି। ସୁଶାନ୍ତ କୁମାର ନାଥଙ୍କୁ ତାଲିକାରୁ ହଟାଇ ପ୍ରଥମ ୩ ଜଣଙ୍କ ଭିତରେ ଅନ୍ୟ ଜଣେ ଅଫିସରଙ୍କୁ ଅଣାଯିବା ପାଇଁ ଖେଳ ଚାଲିଥିବା ଜଣେ ଗୃହ ବିଭାଗର ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ମଧ୍ୟ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ରାଜନୈତିକ ଆଶାବାନ୍ଧି ବସିଥିବା ଜଣେ ପୂର୍ୱତନ ଡିଜିପି ନିଜର ପତିଆରା ରଖିବା ପାଇଁ ଡିଜିପି ଲାଗି ୟୁପିଏସ୍‌ସିକୁ ଯାଇଥିବା ୩ ଜଣିଆ ସେମାନଙ୍କ ତଳେ ଥିବା ଜଣେ ଅଫିସରଙ୍କୁ ପୂରାଇବାକୁ ଚେଷ୍ଟା କରୁଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri