Dailyhunt
୪ ଦିନରେ ୩ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ଘରେ ପହଞ୍ଚିଲେ...

୪ ଦିନରେ ୩ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ଘରେ ପହଞ୍ଚିଲେ...

ମରପାଲି, ୧।୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗୀୟ ଟିମ ସେମାନଙ୍କ ଘରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିବା ସହିତ ମୃତ୍ୟୁର କାରଣ ତଦନ୍ତ କରିଛନ୍ତି। ଏପ୍ରିଲ ୨୯ ତାରିଖ ବୁଧବାର ଦୈନିକ ଖବରକାଗଜ 'ଧରିତ୍ରୀ'ରେ ୪ ଦିନରେ ୩ କିଡନୀ ଆକ୍ରାନ୍ତଙ୍କ ମୃତ୍ୟ ଖବର ପ୍ରକାଶ ପାଇଥିଲା।

ଏହି ଖବରକୁ ଆଧାର କରି ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉଷାରାଣୀ ଦାସଙ୍କ ନିର୍ଦ୍ଦେଶରେ ଏକ ମେଡିକାଲ ଟିମ ଗୁରୁବାର ପୂର୍ବାହ୍ନରେ କିଡନୀ ଆକ୍ରାନ୍ତ ମୃତକଙ୍କ ଘରକୁ ଯାଇ ତଦନ୍ତ କରିବା ସହିତ ମୃତ୍ୟୁର କାରଣ ଖୋଜୁଛନ୍ତି। ଉକ୍ତ ଟିମରେ ବୀରମହାରାଜପୁର ମେଡିକାଲ ମୋବାଇଲ ହେଲ୍ଥ ୟୁନିଟର ଡା. ମାନସ କୁମାର ନାୟକ, ବହଳପଦର ସିଏଚଓ ଲଫି ଦଳାଇ, ଏମଏଚୟୁ ଏନଏମ ଭଗବତୀ ହାତୀ, ଅମରପାଲି ଆଶା କର୍ମୀ ପୁଷ୍ପାଞ୍ଜଳି ପତି ଓ ଗୁଦୁଗୁଦା ଆଶା କର୍ମୀ ସବିତା କୁମୁରା ପ୍ରମୁଖ ସାମିଲ ହୋଇଥିଲେ। ସେମାନେ ଅମରପାଲି, ବହଳପଦର ଓ ଗୁଦୁଗୁଦା ଗ୍ରାମର ମୃତକଙ୍କ ଘରକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ। ସୂଚନା ଅନୁସାରେ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମର ବାବୁ ବଗର୍ତ୍ତି (୭୨), ବହଳପଦର ଗ୍ରାମର କରୁଣାକର ନାଏକ (୫୦) ଓ ଗୁଦୁଗୁଦା ଗ୍ରାମର ଭବାବଧି ତରଙ୍ଗ ଘୁଟା (୪୯)ଙ୍କ କିଡନୀ ରୋଗରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତଦନ୍ତ ପରେ ଟିମ ଜାଣିବାକୁ ପାଇଥିଲା ଯେ ସମସ୍ତେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା, କଟକ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଏହା ସହିତ ଅଞ୍ଚଳରେ ଆହୁରି ଅନେକ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଏବଂ ସ୍ଥାନୀୟ ଅଞ୍ଚଳରେ ଚିକିତ୍ସା ସୁବିଧା ନ ମିଳିବାରୁ କଟକ ଓ ଭୁବନେଶ୍ୱରର ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଉକ୍ତ ଟିମ ବିଭିନ୍ନ ସ୍ଥାନର ପାନୀୟ ଜଳର ନମୁନା ସଂଗ୍ରହ କରିଥିବା ମଧ୍ୟ ଜଣାପଡ଼ିଛି। ଏହା ସହିତ ମୃତକଙ୍କ ପରିବାର ଲୋକଙ୍କ ସହ କିଡନୀ ରୋଗ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri