Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳା ପ୍ରସଙ୍ଗରେ...

ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳା ପ୍ରସଙ୍ଗରେ...

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଗୁରୁବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ବିଧାନସଭାକୁ ରଖାଯାଇଛି। ଏହାସହିତ ଲୋୟର ପିଏମ୍‌ଜିରେ ୧୪୪ ଧାରା ଜାରି କରାଯାଇଥିବାବେଳେ ବିଧାନସଭା ଭିତର ଏବଂ ବାହାରେ କଡ଼ା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।

ବୁଧବାର ମଧ୍ୟାହ୍ନ ୧୨ଟାରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏହି ସ୍ବତନ୍ତ୍ର ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହିତ ୧୦୦ ଅଫିସର ମୁତୟନ କରାଯିବ। ଏହାସହ ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିବେ। ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି। ବିଧାନସଭା ଭିତର ଏବଂ ବାହାରେ ସିସିଟିଭି ଫୁଟେଜ୍‌ ଯେଭଳି ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିପାରିବ ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତେବେ ଗୃହରେ ପୂର୍ବାହ୍ନ ୧୧ଟାରେ ଗଣତନ୍ତ୍ରରେ ମହିଳାମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ହେବ। ସରକାରୀ ଦଳ ପକ୍ଷରୁ ଏହି ମୋଶନ ଦିଆଯାଇଥିବାରୁ ଏହାକୁ ନେଇ ବିରୋଧୀ ଏବଂ ଶାସକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି।
ଏ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଅଦିନ ମେଘ ଭଳି ଭାଜପା ସରକାର ମହିଳା ସୁରକ୍ଷା ପ୍ରସଙ୍ଗରେ ସଂସଦରେ ହାରିଯିବା ପରେ ଏବେ ରାଜ୍ୟ ସରକାର ସ୍ବତନ୍ତ୍ର ଅଧିବେଶନ ଡାକି ନାଟକ କରୁଛନ୍ତି। ମହିଳାମାନଙ୍କୁ ନ୍ୟାୟ ପାଇଁ କଂଗ୍ରେସ ସବୁବେଳେ ତତ୍ପର ରହିଆସିଛି। ତେବେ କେନ୍ଦୁଝରରେ ଜିତୁ ମୁଣ୍ଡା ଯେପରି ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ନିଜ ଭଉଣୀ କଙ୍କାଳ ଧରି ବ୍ୟାଙ୍କ ପର୍ଯ୍ୟନ୍ତ ଗଲେ ଏବଂ ସେଠାରେ ଅଭାବନୀୟ ସ୍ଥିତି ସୃଷ୍ଟିହେଲା, ତାହାକୁ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ବାଚସ୍ପତିଙ୍କୁ ଏକ ନୋଟିସ ଦିଆଯିବ ବୋଲି ସେ କହିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର କେବଳ ମହିଳାମାନଙ୍କ ଉପରେ ଆଲୋଚନା କରିବେ। ଏହା ବାହାରେ ମଧ୍ୟ ହୋଇପାରିଥାନ୍ତା। ଜୟଦେବ ଭବନରେ ବି କରିପାରିଥାନ୍ତେ। କ'ଣ ପାଇଁ ଲୋକଙ୍କ ଝାଳବୁହା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବେ ତାହା ସରକାର ଜାଣିଥିବେ। ସରକାର ମହିଳା ସଂରକ୍ଷଣକୁ ରାଜନୈତିକ ଦୃଷ୍ଟିରେ ଦେଖୁଛନ୍ତି। ୨୦୨୩ରେ ସଂସଦରେ ସର୍ବସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିଲା। ଏହାକୁ ତୁରନ୍ତ ଲାଗୁ କରିବା କଥା। ମାତ୍ର ସରକାର ତାକୁ ସ୍ଥଗିତ ରଖି ଏପ୍ରିଲ ୧୬ରେ ଆଣି ପୁଣି ହାରିଲେ। ବିଧାନସଭାକୁ ଆମେ ସମ୍ମାନ ଦେଉଛୁ, ତେଣୁ ସାମିଲ ହେବୁ। ହେଲେ ଏ ବିଧାନସଭା ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି। ଆମେ ଶୁଣୁଛୁ, ବିରୋଧୀ ଦଳ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣି ବିରୋଧୀଙ୍କୁ ସମାଲୋଚନା ପାଇଁ ସରକାର ବିଧାନସଭା ଅଧିବେଶନ ଡାକିଛନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି।
ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶାର ଜନସାଧାରଣ ବୁଝିସାରିଲେଣି ବିରୋଧୀ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ତାଙ୍କର ଅସଲ ମୁଖା ସଂସଦରେ ଖୋଲି ଯାଇଛି। ଏହି ବିଲ୍‌ ପାରିତ ହୋଇଥିଲେ ବିଧାନସଭା ଓ ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିଥାନ୍ତା। ହେଲେ ବିରୋଧୀ ଏହାକୁ କରାଇଦେଲେ ନାହିଁ। ପୂର୍ବ ସରକାର ଦୀର୍ଘବର୍ଷ ଧରି ମହିଳାଙ୍କୁ ଭୁଆଁ ବୁଲାଇ ଭୋଟ ନେଉଥିଲେ, ଯାହାର ଅସଲ ମୁଖା ଏବେ ଖୋଲିଯାଇଛି। ଗୁରୁବାର ମହିଳାମାନଙ୍କ ଭୂମିକା ଶୀର୍ଷକ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri