Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ...

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ...

ହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା ସଙ୍ଗଠନର ଷଷ୍ଠ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।

ସେ ତାଙ୍କ ବକ୍ତବ୍ୟରେ କହିଥିଲେ, ସରକାର ଚାଷୀମାନଙ୍କ ପାଇଁ ଏହି ବଜେଟରେ ୪୨ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରିକ୍‌କୁ ନେଇ ଜମି ଅଧିଗ୍ରହଣ ପାଇଁ ଜିଲାପାଳଙ୍କ ସହ ଆଲୋଚନା ହୋଇଛି। ଦୁଇ ସପ୍ତାହ ମଧ୍ୟରେ ଆଖଡ଼ାଶାଳୀଠାରେ ଉଚ୍ଚପଦସ୍ଥ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବେ। ପାଣି ନିକାଶ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ବର୍ଷା ଯୋଗୁ ଫସଲ ନଷ୍ଟ ହେବା ନେଇ ବିଧାୟକ ଏହି ଅବସରରେ ଦୁଃଖ ପ୍ରକାଶ କରିଥିଲେ। ଏହାସହ ବିଧାୟକ ନାୟକ କହିଥିଲେ, ଛେଡାକଣୀ ଗ୍ରାମ ନାରାୟଣୀ ପୀଠ ସଂଲଗ୍ନ ବିଶାଳ ପଡ଼ିଆରେ ୧୭କୋଟି ଟଙ୍କା ବ୍ୟୟରେ ବ୍ଲକସ୍ତରୀୟ ଅତ୍ୟାଧୁନିକ କ୍ରୀଡ଼ା ଷ୍ଟାଡିୟମ୍‌ ନିର୍ମାଣ ହେବ। ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ। ଏହି ଅବସରରେ ବିଧାୟକ ନାୟକ ତାଙ୍କ ବାପା ଚାଷ କରୁଥିବା ବେଳେ ପିଲାଦିନେ କିଭଳି ବିଲକୁ ଯାଇ ସହଯୋଗ କରିଥିଲେ ତାହା କହି ଭାବବିହ୍ବଳ ହୋଇଥିଲେ।
ସମାବେଶରେ ଯୋଗଦେଇଥିବା ଚାଷୀମାନେ କହିଥିଲେ, ୨୦୦୨ ମସିହାରେ ମହାନଦୀ ସଂଲଗ୍ନ ଆଖଡ଼ାଶାଳୀଠାରେ ସ୍ଲୁଇସ୍‌ କ୍ରିକ ଭୁଶୁଡ଼ି ପଡିଥିଲା। ଏହାପରେ ୨୦୧୯ ମସିହାରେ ଅନ୍ୟ ଏକ ସ୍ଥାନରେ ନୂଆ ସ୍ଲୁଇସ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହେଲେ କ୍ରିକ ଆଖପାଖରେ ଥିବା ଜମି ଅଧିଗ୍ରହଣଜନିତ ସମସ୍ୟା ଯୋଗୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଫଳରେ ଭଙ୍ଗା ସ୍ଲୁଇସ ଦେଇ ଅଞ୍ଚଳର ୧୦ହଜାର ହେକ୍ଟର ଜମିରେ ୬ ପଞ୍ଚାୟତର ବନ୍ୟା ଜଳ ପ୍ରବେଶ କରି ଖରିଫ ଫସଲ ନଷ୍ଟ ହେଉଛି। ଏଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଓ ବିଧାୟକ ଏଥିପ୍ରତି ଉଦ୍ୟମ କରନ୍ତୁ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଚାଷୀ ସଙ୍ଗଠନ ସଭାପତି ଅଭୟ ପରିଡ଼ା, ସମ୍ପାଦକ ନରୋତ୍ତମ ପାର୍ଥ ସାରଥି, ସମିତି ସଭ୍ୟ ରଞ୍ଜନ ଚୌଧୁରୀ, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ସରୋଜକାନ୍ତ ସାହୁ, ବରିଷ୍ଠ ଚାଷୀ ତଥା ମୁରବି କୁଳମଣି ଚୌଧୁରୀ, ଅଶୋକ କୁମାର ମହାପାତ୍ର, ବିଚିତ୍ର ରାଉତ, ଜୋନ ସଭାପତି ତ୍ରିଲୋଚନ ରାଉତ, ପ୍ରଶାନ୍ତ ସେଠୀଙ୍କ ସହ ବହୁ ସଂଖ୍ୟାରେ ଚାଷୀ, ମୁରବି, ମହିଳା ଉପସ୍ଥିତ ଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri