Dailyhunt
ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର...

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର...

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ କରିପାରିବ ଏବଂ ଏପରି କାର୍ଯ୍ୟ କେବେ ବି ହୋଇପାରେ। ଯଦି ଇରାନ୍ ନିର୍ଦ୍ଧାରିତ ସମୟ ମଧ୍ୟରେ Strait of Hormuzକୁ ନ ଖୋଲେ, ତେବେ ତାହାର ବିଦ୍ୟୁତ କେନ୍ଦ୍ର, ସେତୁ ଓ ଅନ୍ୟାନ୍ୟ ଜରୁରୀ ଢାଞ୍ଚା ଉପରେ ବଡ଼ ଆକ୍ରମଣ କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଇରାନ୍ ବିପକ୍ଷ ଯୁଦ୍ଧରେ ଆମେରିକା ଭଲ ପ୍ରଦର୍ଶନ କରୁଛି। ଆମେରିକୀୟ ସେନା ନିଜର ଜଣେ ସେନା ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ରେସ୍କ୍ୟୁ ଅପରେସନ୍ ଚାଲାଇଥିଲା। ଏହି ଅଭିଯାନରେ ପ୍ରାୟ ୨୦୦ ଜଣ ସେନା ନିଯୁକ୍ତ ହୋଇଥିଲେ ଏବଂ ଶତୃ ଆକାଶସୀମାରେ ୨୧ଟି ସାମରିକ ବିମାନ ପଠାଯାଇଥିଲା। ଆମ ପାଇଲଟଙ୍କୁ ଶତୃ ଅଞ୍ଚଳ ଅର୍ଥାତ୍ ଇରାନରୁ ଅତ୍ୟନ୍ତ ବିପଦଜନକ ପରିସ୍ଥିତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ଅଭିଯାନ ସମୟରେ ଆମେରିକୀୟ ବିମାନଗୁଡ଼ିକୁ ବହୁତ ନିକଟରୁ ଗୁଳିଚାଳନା କରାଯାଇଥିଲା, କିନ୍ତୁ ପାଇଲଟ୍‌ଙ୍କ ମନୋବଳ ଭଙ୍ଗି ଯାଇ ନ ଥିଲା ଏବଂ ସେନା ପୁରା ଶକ୍ତି ଲଗାଇ ତାଙ୍କୁ ବଞ୍ଚାଇଥିଲା। ଟ୍ରମ୍ପ ଆମେରିକୀୟ ସେନାର 'ଶୌର୍ଯ୍ୟ ଓ ସାହସ'କୁ ଉଚ୍ଚ ପ୍ରଶଂସା କରିଛନ୍ତି।

ଆମେରିକୀୟ ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ ଆହୁରି ମଧ୍ୟ କହିଛନ୍ତି,ଏହି ଅଭିଯାନ ସମୟରେ ଆମେରିକୀୟ ସେନା ନିଜ ବିମାନକୁ ନିଜେ ଧ୍ୱଂସ (ସେଲ୍ଫ-ଡିସ୍ଟ୍ରକ୍ଟ) କରିଥିଲା, ଯାହାଦ୍ୱାରା ସେହି ବିମାନ ଶତୃଙ୍କ ହାତକୁ ନ ପହଞ୍ଚେ। ଏହି ମିଶନ୍‌ ସମ୍ପର୍କିତ ସୂଚନା କେହି ଲିକ୍ କରିଦେଇଥିଲେ, ଯାହା ନେଇ ଏବେ ତଦନ୍ତ କରାଯାଉଛି। ଏପରି ସେନ୍ସିଟିଭ୍ ସୂଚନା ଲିକ୍ ହେବା ଗୁରୁତର ବିଷୟ ଏବଂ ଦୋଷୀମାନଙ୍କୁ କ୍ଷମା କରାଯିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri