Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର ଗଭୀର ଅବପାତ ଓ ୨୬ ତାରିଖ ସୋମବାର ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବା ଆଶଙ୍କା ରହିଛି। ପରେ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଶକ୍ତିଶାଳୀ ହେବ।

୨୮ ତାରିଖ ପୂର୍ୱାହ୍ନରେ ଏହା ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟରେ ୟାନମ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ରହିବା ସହ ଝଟକା ପବନ ୧୪୦ କିମି ପର୍ଯ୍ୟନ୍ତ ପହଞ୍ଚତ୍ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ପ୍ରାକ୍‌-ବାତ୍ୟା ସତର୍କ ସୂଚନା ଜାରି କରିଛି। ତେବେ ବାତ୍ୟା ଓ ଅବପାତ ପ୍ରଭାବରେ ଓଡ଼ିଶାରେ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୭ ତାରିଖରେ ଜଗତ୍‌ସିଂହପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ନିଂ ରହିଛି। ଏହି ସମୟରେ ପବନର ବେଗ ୫୦ କି.ମି. ପର୍ଯ୍ୟନ୍ତ ରହିବ। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼ ଜିଲାରେ ପ୍ରବଳ ବର୍ଷା ହେବ। ବାତ୍ୟା ଆନ୍ଧ୍ର ଉପକୂଳ ଛୁଇଁବା ସମୟରେ ଅର୍ଥାତ୍‌ ୨୮ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବା
ନେଇ ରେଡ୍‌ ଓ୍ୱାର୍ନିଂ ଦିଆଯାଇଛି। ଏହି ସମୟରେ ସର୍ୱାଧିକ ୮୦ କି.ମି. ବେଗରେ ପବନ ବହିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ମଧ୍ୟ ବର୍ଷା ହେବ। ୨୯ରେ ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ୱଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ବର୍ଷା ଓ ପବନ ନେଇ ସତର୍କ କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri