Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଆଣ୍ଟାର୍କଟିକାରେ ସମ୍ପୂର୍ଣ୍ଣ ବିପରୀତ ତଥା ଅତି ମାତ୍ରାରେ ଅନୁଭୂତ ହେଉଛି ଶୀତ। 'ଲାଇଭ୍‌ ସାଇନ୍ସ'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ୧୮ରେ ଆଣ୍ଟାର୍କଟିକାର କୋନ୍‌କୋର୍ଡିଆ ରିସର୍ଚ୍ଚ ଷ୍ଟେଶନରେ ତାପମାତ୍ରା ମାଇନସ୍‌ ୧୧୯.୪ ଡିଗ୍ରୀ ଫାରେନହାଇଟ୍‌ (ମାଇନସ୍‌ ୮୪.୧ ଡିଗ୍ରୀ ସେଲସିୟସ୍‌)ରେ ପହଞ୍ଚିଥିଲା।

ଏହା ୧୬ ବର୍ଷର ଏକ ପ୍ରମୁଖ ରେକର୍ଡ ହୋଇଥିଲେ ସୁଦ୍ଧା ପୃଥିବୀର ସର୍ବକାଳୀନ ସର୍ବନିମ୍ନ ତାପମାତ୍ରା ରେକର୍ଡ (୧୯୮୩ ଜୁଲାଇରେ ଆଣ୍ଟାର୍କଟିକାର ଭୋଷ୍ଟୋକ୍‌ ଷ୍ଟେଶନରେ ରେକର୍ଡ ହୋଇଥିବା ମାଇନସ୍‌ ୧୨୮.୬ ଡିଗ୍ରୀ ଫାରେନହାଇଟ୍‌ ତଥା ମାଇନସ୍‌ ୮୯.୨ ଡିଗ୍ରୀ ସେଲସିୟସ୍‌)କୁ ଭାଙ୍ଗିପାରି ନାହିଁ।
ଫ୍ରାନ୍ସ ଏବଂ ଇଟାଲୀ ଦ୍ୱାରା ଯୁଗ୍ମ ଭାବେ ପରିଚାଳିତ କୋନ୍‌କୋର୍ଡିଆ ରିସର୍ଚ୍ଚ ଷ୍ଟେଶନଟି 'ଇଷ୍ଟ ଆଣ୍ଟାର୍କଟିକ ପ୍ଲାଟୋ' ଉପରେ ସମୁଦ୍ର ପତ୍ତନରୁ ପ୍ରାୟ ୩,୨୦୦ ମିଟର (୧୦,୫୦୦ ଫୁଟ) ଉଚ୍ଚତାରେ ଅବସ୍ଥିତ। ଆଣ୍ଟାର୍କଟିକା ଶୀତଦିନେ ମାସ ମାସ ଧରି ସମ୍ପୂର୍ଣ୍ଣ ଅନ୍ଧକାରରେ ରହେ। ସୂର୍ଯ୍ୟାଲୋକ ନ ମିଳିବା ଏବଂ ବରଫାବୃତ୍ତ ଭୂପୃଷ୍ଠରୁ କ୍ରମାଗତ ଭାବେ ତାପମାତ୍ରା ମହାକାଶକୁ ବିକିରଣ ହୋଇଯାଉଥିବାରୁ ଏଠାରେ ଭୟଙ୍କର ଶୀତ ଅନୁଭୂତ ହୁଏ। ଶୁଷ୍କ ଆକାଶ, ପବନର ଅନୁପସ୍ଥିତି ଏବଂ ମେଘମୁକ୍ତ ପରିବେଶ ଏହି ଅଞ୍ଚଳକୁ ସମଗ୍ର ପୃଥିବୀର ଅନ୍ୟତମ ଶୀତଳତମ ସ୍ଥାନରେ ପରିଣତ କରିଥାଏ। ପାଣିପାଗ ଏବଂ ଜଳବାୟୁ ଗବେଷଣାର ଗୁରୁତ୍ୱକୁ ଦେଖିଲେ, ଏଠାକାର ଉଚ୍ଚ ଆଞ୍ଚଳିକ ଚାପ ଯୋଗୁ ଭୂପୃଷ୍ଠର ଉପର ଭାଗରେ ଥିବା ଥଣ୍ଡା ବାୟୁ ସ୍ଥିର ହୋଇ ରହିଯାଏ ଏବଂ ଗରମ ବାୟୁ ସହ ମିଶିପାରେ ନାହିଁ, ଯାହା ଅତି ନିମ୍ନ ତାପମାତ୍ରା ସୃଷ୍ଟି କରିଥାଏ। ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଗୋଟିଏ ଦିନର ସାମୟିକ ପାଣିପାଗ ଘଟଣାକୁ ଦୀର୍ଘକାଳୀନ ଗ୍ଲୋବାଲ ୱାର୍ମିଂ (ଜଳବାୟୁ ପରିବର୍ତ୍ତନ)ର ପ୍ରଭାବ ସହ ସୀମିତ କରାଯାଇପାରିବ ନାହିଁ। ତେବେ ଅତ୍ୟଧିକ ନିର୍ଜନତା, ଅନ୍ଧକାର ଏବଂ ପ୍ରତିକୂଳ ପରିବେଶ ଯୋଗୁ ନାସା ଓ ଇଏସ୍‌ଏ ଭଳି ସଂସ୍ଥାଗୁଡ଼ିକ ଦୀର୍ଘକାଳୀନ ମହାକାଶ ଅଭିଯାନ ପାଇଁ କୋନ୍‌କୋର୍ଡିଆ ଷ୍ଟେଶନ୍‌କୁ ଗବେଷଣାଗାର ଭାବେ ବ୍ୟବହାର କରିଥାନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri