Dailyhunt
ଅଜୁ ନନାଙ୍କ ଆରିସା ପିଠା

ଅଜୁ ନନାଙ୍କ ଆରିସା ପିଠା

କେନ୍ଦୁଝର, ୨୯।୭(ଡି.ଏନ.ଏ.): କେନ୍ଦୁଝର ସହରରେ ଆରିସା ପିଠା କଥା ଉଠିଲେ ଲୋକେ ଅଜୁ ନନାଙ୍କ କଥା ମନେ ପକାନ୍ତି। ତାଙ୍କ ଆରିସା ଯିଏ ଥରେ ଖାଇଛି ସେ ନିଶ୍ଚିତ ତା'ର ପ୍ରଶଂସା କରିଛି। କେନ୍ଦୁଝର ନ୍ୟୁ ମାର୍କେଟରେ ବହୁ ଦିନରୁ ଚାଲି ଆସିଛି ଅଜୁ ନନା( ଅଜୟ ଖଣ୍ଡେଇ )ଙ୍କ ଆରିସା ପିଠା ଦୋକାନ। ପୁରୁଣାବଜାରର ମୂଳ ବାସିନ୍ଦା ହୋଇଥିଲେ ବି ନ୍ୟୁ ମାର୍କେଟରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ରହି ଆସୁଛନ୍ତି ସେ। ଆରିସା ପିଠା ବ୍ୟବସାୟରୁ ପ୍ରତିଦିନ ହଜାରେରୁ ବାରଶହ ଟଙ୍କା ରୋଜଗାର କରି ପରିବାର ଚଳାନ୍ତି ବୋଲି ସେ କୁହନ୍ତି। ତାଙ୍କ ସ୍ତ୍ରୀ ଅନେକ ଦିନତଳୁ ମୃତ୍ୟୁବରଣ କରିଥିବାବେଳେ ଦୁଇ ପୁଅ ଦିଲ୍ଲୀପ ଓ ଆଦିତ୍ୟ ଚା' ଦୋକାନ କରି ଗୁଜରାଣ ମେଣ୍ଟାଉଛନ୍ତି। ତେବେ ତାଙ୍କ ଆରିସା ପିଠା ପାରମ୍ପରିକ ପଦ୍ଧତିରେ ତିଆରି କରିଥାନ୍ତି। ଏହି ଆଧୁନିକ ଯୁଗରେ ମେଶିନ୍‌କୁ ଭରସା ନ କରି ଚାଉଳକୁ ଢିଙ୍କିରେ ଚୁନା କରି ସେ ଆରିସା ପିଠା କରନ୍ତି।

ଓରମାସ ପକ୍ଷରୁ ତାଙ୍କର ଆରିସା ପିଠାକୁ ବିଭିନ୍ନ ମେଳା ଓ ପ୍ରଦର୍ଶନୀ ସମୟରେ ଷ୍ଟଲ ମାଧ୍ୟମରେ ବିକ୍ରି କରାଇ ପ୍ରୋତ୍ସାହନ ଯୋଗାଇ ଦେଲେ ଏହାର ଚାହିଦା ଆହୁରି ବଢି ପାରନ୍ତା ବୋଲି ସେ କହିଛନ୍ତି। ଅବଶ୍ୟ କାଳୀପୂଜା ସମୟରେ ହେଉଥିବା ମେଳାରେ ନିଜସ୍ବ ଏକ ଷ୍ଟଲ ତିଆରି କରି ସେ ପିଠା ବିକ୍ରି କରନ୍ତି। ଅଜୁ ନନାଙ୍କ ହାତ ତିଆରି ଆରିସା ପିଠାର ସ୍ବାଦ ନିଆରା ବୋଲି ନିୟମିତ ପିଠା କିଣୁଥିବା ଗ୍ରାହକ ଜୟକୃଷ୍ଣ ପଣ୍ଡା କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri