Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ, ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ, ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

କେନ୍ଦ୍ରାପଡ଼ା,୪ା୫(ଜଗନ୍ନାଥ ଧଳ): ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଉନାହିଁ। ପ୍ରତିବର୍ଷ ଜିଲାର ୫୫ ପଞ୍ଚାୟତରେ ବନ୍ୟା ଜଳ ପଶୁଛି। ରାଜକନିକା, ଆଳି ଓ ଗରଦପୁର ବ୍ଲକ ଅଞ୍ଚଳର ସର୍ବାଧିକ କ୍ଷତି ହେଉଛି।

ନଦୀବନ୍ଧ ସୁଦୃଢ଼ ନ ଥିବାରୁ ଆଳି ବ୍ଲକର ୧୬ ପଞ୍ଚାୟତ, ପଟ୍ଟାମୁଣ୍ଡାଇର ୧୪, ରାଜନଗରର ୪, ମାର୍ଶାଘାଇର ୯, ଡେରାବିଶର ୨, ମହାକାଳପଡାର ୯ ଓ ଗରଦପୁର ବ୍ଲକ ଅଞ୍ଚଳରେ ବନ୍ୟା ଜଳ ମାଡିଯାଉଛି। ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ଜିଲାରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଏକ ବଡ଼ ସମସ୍ୟା ହୋଇଛି। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀରେ ସାମାନ୍ୟ ଅଧିକ ପାଣି ଜିଲାର ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ନଦୀବନ୍ଧର ସୁଦୃଢ଼ୀକରଣ ସହିତ ନିଷ୍କାସନ ପଥ ବର୍ଷାଋତୁ ପୂର୍ବରୁ ସଫା ରଖିବା ଆବଶ୍ୟକ। ଇତିମଧ୍ୟରେ କେନ୍ଦ୍ରାପଡା ଜିଲା ମାନ୍ୟତାକୁ ୩୩ ବର୍ଷ ବିତିଛି। ବନ୍ୟା ଜଳ ନିଷ୍କାସନ ପାଇଁ ଅଦ୍ୟାବଧି କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବା ସେ କହିଛନ୍ତି। ମହାକାଳପଡାର ସୂର୍ଯ୍ୟପ୍ରକାଶ ପାଣି କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ବର୍ଷା ଅଧିକ ହେଲେ ଜିଲାର ୧୬୦ ଗ୍ରାମରେ ବନ୍ୟାଜଳ ପ୍ରବେଶ କରୁଛି। ବିଶେଷଭାବେ ରାଜକନିକା ଓ ଆଳି ବ୍ଲକ ଅଞ୍ଚଳର ସର୍ବାଧିକ ୫୫ ଗାଁ ବନ୍ୟା ଯୋଗୁ ପ୍ରଭାବିତ ହେଉଛନ୍ତି। ସେହିପରି ରାଜନଗରର ୩୪ ଗାଁ, ପଟ୍ଟାମୁଣ୍ଡାଇର ୨୫ ଗାଁ ବନ୍ୟା ଘେରରେ ରହୁଛି। ମହାକାଳପଡା, ମାର୍ଶାଘାଇ, ଡେରାବିଶ, ଗରଦପୁର ବ୍ଲକ ଅଞ୍ଚଳର କେତେକ ଗ୍ରାମ ପ୍ରଭାବିତ ହେଉଛି। ଅତ୍ୟଧିକ ବନ୍ୟା ଆସିଲେ ଗରଦପୁର ବ୍ଲକ ଅଞ୍ଚଳର ୫ ଗାଁର ଜନଜୀବନକୁ ବ୍ୟତିବ୍ୟସ୍ତ କରୁଛି। ଚାଷ ଉଜୁଡିବା ସହ ଅନେକ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ନଦୀ ଶଯ୍ୟା ଖନନ, ବନ୍ଧବାଡର ମରାମତି ସହ ନୂତନ ବନ୍ଧର ଆବଶ୍ୟକତା ଅଛି। ସାମାଜିକ କର୍ମୀ ବିଭୂତିଭୂଷଣ ରାଉତ କହିଛନ୍ତି, ଗୋବରୀ ନଦୀରେ ବନ୍ଧ ନାହିଁ। ଏହି ନଦୀକୂଳରେ ଘର ଓ ଗ୍ରାମ ରହିଛି। ବର୍ଷାଋତୁରେ ନଦୀରୁ ପାଣି ଉଛୁଳି ଘରେ ପଶୁଛି। କୁମ୍ଭୀର ଭୟ ଥିବାରୁ ଗ୍ରାମବାସୀ ସର୍ବଦା ଭୟଭୀତ ହୋଇଥାନ୍ତି। ଏନେଇ ସ୍ଥାନୀୟ ଅଧିବାସୀ ରାଜନେତା ଓ ଜିଲା ପ୍ରଶାସନ ନିକଟରେ ବନ୍ଧ ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏହି ସମସ୍ୟାର ସମାଧାନ ହେଉନାହିଁ। ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ନଦୀ ସଂଯୋଗୀକରଣକୁ ଜିଲାବାସୀ ଅଗ୍ରାଧିକାର ଦେଇଛନ୍ତି। ନଦୀର ସୁମଧୁର ପାଣିକୁ ସମୁଦ୍ରକୁ ନିର୍ଦ୍ଦିଷ୍ଟ ମାତ୍ରାରେ ଛାଡି ଅବଶିଷ୍ଟ ଜଳକୁ ପାନୀୟ ଭାବେ ଓ କ୍ଷେତରେ ବ୍ୟବହାର କରିହେବ। ବିଭିନ୍ନ ସ୍ଥାନରେ କ୍ରିକ୍‌ ବନ୍ଧ ସହିତ ବନ୍ୟାକୁ ରୋକିବା ପାଇଁ ନଦୀବନ୍ଧ ବ୍ୟବସ୍ଥା କରିବାକୁ ପଡିବ। ଏଥିସହିତ କ୍ଷେତରୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ରାଜନେତାଙ୍କର ଏହି ସ୍ଥାନୀୟ ସମସ୍ୟା ପ୍ରତି ଧ୍ୟାନ ରହୁ ନ ଥିବା ସେ ମତ ଦେଇଛନ୍ତି।
ଏ ନେଇ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି, ଆଗାମୀ ବର୍ଷାଋତୁରେ ନଦୀବନ୍ଧ ସୁଦୃଢ଼ତା ସମ୍ପର୍କରେ ନିକଟରେ ଏକ ସମୀକ୍ଷା ବୈଠକ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏଥିରେ ବନ୍ୟା ସମସ୍ୟାରେ ପ୍ରଭାବିତ ହେଉଥିବା ଗ୍ରାମଗୁଡିକୁ ସୁରକ୍ଷା ଯୋଗାଇବା ପାଇଁ ଆଲୋଚନା ହୋଇଥିଲା। ବର୍ଷାଋତୁ ପୂର୍ବରୁ ନଦୀବନ୍ଧ ସୁଦୃଢ଼ୀକରଣକୁ ଏଠାରେ ଗୁରୁତ୍ୱ ଦିଆଯାଇଛି। ଆଲୋଚନା ଅନୁଯାୟୀ ନଦୀବନ୍ଧ ସୁଦୃଢ଼ୀକରଣ କରାଯାଉଥିବା ସେ କହିଛନ୍ତି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri