Dailyhunt
ବଢୁଛି କିଡନୀ ରୋଗ: ୪ ଦିନରେ ଗଲାଣି ଏତିକି ଜଣଙ୍କ ଜୀବନ

ବଢୁଛି କିଡନୀ ରୋଗ: ୪ ଦିନରେ ଗଲାଣି ଏତିକି ଜଣଙ୍କ ଜୀବନ

ମରପାଲି, ୩୦।୪ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ଓ ଦୁର୍ଜନତୈଲା ପଞ୍ଚାୟତ ଅଞ୍ଚଳରେ କିଡନୀ ରୋଗ ଏବେ ମହାମାରୀ ଭଳି ବ୍ୟାପି ଚାଲିଛି। ଚଳିତ ସପ୍ତାହରେ ମାତ୍ର ୪ ଦିନ ମଧ୍ୟରେ ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ ୩ ଜଣ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଗତ ଶୁକ୍ରବାର ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମର ବାବୁ ବଗର୍ତ୍ତି (୭୪)ଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଥିବା ବେଳେ, ସୋମବାର ଗୁଦୁଗୁଦା ଗ୍ରାମର ଭବାବଧି ତରଙ୍ଗ ଘୁଟା (୪୯) ଏବଂ ବହଳପଦର ଗ୍ରାମର କରୁଣାକର ନାଏକ (୫୦)ଙ୍କ ମଧ୍ୟ କିଡନୀ ରୋଗରେ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ଅମରପାଲି ଗ୍ରାମର ବାବୁ ବଗର୍ତ୍ତି ଦୀର୍ଘ ୧୭ ବର୍ଷ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଜମିବାଡ଼ି ମଧ୍ୟ ନାମକୁ ମାତ୍ର ଥିଲା। ସେ ସମ୍ବଲପୁର, ବୁର୍ଲା ବଡ଼ ମେଡିକାଲ, କଟକ ଓ ଭୁବନେଶ୍ୱର ଆଦି ସ୍ଥାନରେ ଚିକିତ୍ସା କରାଉଥିଲେ। ନିଜ ଅଞ୍ଚଳରେ କିଡନୀ ରୋଗ ପାଇଁ ବିଶେଷ ଡାକ୍ତର ନଥିବାରୁ ସେ ବାଧ୍ୟ ହୋଇ ଦୂର ସ୍ଥାନକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ। ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ବଡ଼ ଝିଅଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ନଥିବା ବେଳେ ଏକମାତ୍ର ପୁଅ ଦାଦନ ଯିବା ସହ କୁଲି ମଜୁରୀ କରି ପରିବାର ଚଳାଇବା ସହ ବାପାଙ୍କ ଚିକିତ୍ସା କରୁଥିଲେ। ଏବେ ତାଙ୍କ ମୃତ୍ୟୁ ପରେ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହେଉଛି। ସେହିପରି ବହଳପଦର ଗ୍ରାମର କରୁଣାକର ନାଏକ ଜଣେ ଚାଷୀ ଶ୍ରମିକ ଥିଲେ। ପ୍ରାୟ ମାସେ ହେଲା ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ଜ୍ୱର ନ କମିବାରୁ ପ୍ରଥମେ ସୋନପୁର ଡାକ୍ତରଖାନା ଓ ପରେ ବୁର୍ଲା ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କ କିଡନୀ ସମସ୍ୟା ଚିହ୍ନଟ ହୋଇଥିଲା। ଆର୍ଥିକ ସମସ୍ୟା ଯୋଗୁ ସେ ଅଧିକ ଚିକିତ୍ସା କରାଇ ପାରିନଥିଲେ। ତାଙ୍କର ଗୋଟିଏ ୧୭ ବର୍ଷୀୟ ପୁଅ ଓ ଦୁଇ ଝିଅ ଅଛନ୍ତି। ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଗୁଦୁଗୁଦା ଗ୍ରାମର ଭବାବଧି ତରଙ୍ଗ ଘୁଟା ମଧ୍ୟ ଦୁଇ ବର୍ଷ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ। ଧାର ଉଧାର କରି ବୁର୍ଲା, କଟକ ଆଦି ସ୍ଥାନକୁ ଯାଇ ଚିକିତ୍ସା କରାଉଥିଲେ। ମାତ୍ର ସ୍ଥାନୀୟ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ଓ ମାଗଣା ଔଷଧ ନମିଳିବାରୁ ସେ ଅଧିକ ଚିକିତ୍ସା କରାଇ ପାରିନଥିଲେ। ଅଞ୍ଚଳରେ କିଡନୀ ରୋଗରେ ଲଗାତାର ଭାବେ ମୃତ୍ୟୁ ସଂଖ୍ୟା ବଢୁଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ୧୦୦ରୁ ଅଧିକ କିଡନୀ ଆକ୍ରାନ୍ତ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଅଛନ୍ତି। ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱ ସହ ନେଇ ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣ ଲୋକ ଦାବି କରିଛନ୍ତି। ଏନେଇ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉଷାରାଣୀ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ କିଡନୀ ରୋଗୀଙ୍କୁ ଡାଏଲିସିସ ସହ ଆବଶ୍ୟକ ଔଷଧ ଦେଉଛୁ। ଖୁବ ଶୀଘ୍ର ଏକ ଟିମ ଉକ୍ତ ଅଞ୍ଚଳକୁ ଯାଇ ତଦନ୍ତ କରିବ।

Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri