Dailyhunt
ବାଜିରେ ଲାଗୁଛି ପକ୍ଷୀଙ୍କ ଜୀବନ

ବାଜିରେ ଲାଗୁଛି ପକ୍ଷୀଙ୍କ ଜୀବନ

ମହାକାଳପଡା, ୨୫।୧(ଡି.ଏନ.ଏ.) : ପକ୍ଷୀପଶୁଙ୍କୁ ନିର୍ଯାତନା ଦେବା, ବଳପୂର୍ବକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ଲଢେଇ କରିବା ଏହା ଧର୍ତ୍ତବ୍ୟ ଅପରାଧ। ଜୀବେ ନିଷ୍ଠୁରତା ନିବାରଣ ଆଇନ ୧୯୬୦କୁ କାର୍ଯ୍ୟକାରୀ କରାଯାଇଛି। ଏହାସତ୍ତ୍ୱେ ପକ୍ଷୀପଶୁଙ୍କୁ ନେଇ ବିଭିନ୍ନ ସ୍ଥାନରେ ପର୍ବପର୍ବାଣି, ଉତ୍ସବ ହେଉଥିବା ଜାଗାରେ ପାରମ୍ପରିକ ବଳପୂର୍ବକ ଲଢେଇରେ ନିୟୋଜିତ କରାଯାଉଛି। ଏହି ଲଢେଇରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ବର୍ଷେ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ଅଦ୍ୟାବଧି ବହୁ ବ୍ୟକ୍ତି ଏହି ବେଆଇନ ଲଢେଇରେ ଅର୍ଥ ବାଜି ଲଗାଉଛନ୍ତି। ଯାହାକି ଜୁଆ ଖେଳରେ ଅନ୍ତର୍ଭୁକ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ଉପକୂଳ ବଙ୍ଗ ଭାଷାଭାଷି ଅଞ୍ଚଳରେ ପ୍ରଥାମାଷ୍ଟମୀଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ସପ୍ତାହର ରବିବାର କୁକୁଡା ଲଢେଇ ଆୟୋଜନ କରାଯାଇଥାଏ।

ଏହା ମୁଖ୍ୟତଃ ନିକାଞ୍ଚନ ସ୍ଥାନରେ ହେଉଛି। ଏହି ଲଢେଇରେ ଦୁଇଟି ଅଣ୍ଡିରା କୁକୁଡା(ଗଞ୍ଜା)ଙ୍କ ଗୋଡରେ ୩ ଇଞ୍ଚତ୍ଆ ଧାରୁଆ ଅସ୍ତ୍ର ବା ଛୁରିକୁ ବାନ୍ଧି ଦିଆଯାଇଥାଏ। ପରେ ଦୁଇ ଲଢୁଆ ଗଞ୍ଜାକୁ ଲଢେଇ ଖଳାରେ ଛାଡି ଦିଆଯାଇଥାଏ। ଏହି ସମୟରେ ବୁଦ୍ଧିମାନ ଗଞ୍ଜା ସାଥୀକୁ ଛୁରି ବିଦ୍ଧ କରି ଖଳାରେ ଧରାଶାୟୀ କରିଥାଏ।

ବିଜୟ ହୋଇଥିବା ମାଲିକ ପରାସ୍ତ ଗଞ୍ଜାକୁ ନେଇଥାନ୍ତି। ଏହି ବିଜୟକୁ ଫାଡୁ କୁହାଯାଏ। ଏହି ବେଆଇନ ପକ୍ଷୀ ଲଢ଼େଇ ବ୍ଲକର ଜମ୍ବୁ, ବଉଳକଣୀ, ବାରନମ୍ବର, ବାଘୁଆମେଦ, ଲୁଣି ମାଠିଆ, ସୁନିତି ସର୍ଦ୍ଧାର ଫିଲ୍ଡ ,ପାଣିଖିଆ ଆଦି ଅଞ୍ଚଳରେ ଲଢେଇ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବାକୁ ଓ ଲଢେଇରେ ଟଙ୍କା ବାଜି ଲଗାଇବାକୁ ଜିଲା ବାହାରୁ ଲୋକ ଆସୁଥିବା ଦେଖିବାକୁ ମିଳୁଛି। ଏହାକୁ ବନ୍ଦ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri