Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା 'ଘୋ' ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ'ରେ ପରୀକ୍ଷା ପରିଚାଳନା କରିଥିବା ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ)କୁ ଭର୍ତ୍ସନା କରିଛନ୍ତି। ଏଥିସହିତ ୨୦୨୪ ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ.

ରାଧାକ୍ରିଷ୍ଣନ୍‌ଙ୍କ ଦ୍ୱାରା ପରୀକ୍ଷା ସଂସ୍କାର ଅଣାଯିବା ଦିଗରେ ଗଠିତ କମିଟିର ସୁପାରିସ କେତେ ମାତ୍ରାରେ ପାଳନ କରାଯାଇଛି ତାହା ଉପରେ ଜାଣିବାକୁ ଚାହିଁଛନ୍ତି। କେବଳ ସେତିକି ନୁହେଁ, ଆଗାମୀ ୩ ଦିନ ମଧ୍ୟରେ ଉଭୟ ଏନ୍‌ଟିଏ ଓ ରାଧାକ୍ରିଷ୍ଣନ୍‌ ସତ୍ୟପାଠ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ କଂଗ୍ରେସ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛି। ଏହିପରି ଦାବି ୨୦୨୪ ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ପରେ କରାଯାଇଥିଲା। ବାସ୍ତବତା ଦେଖିଲେ ଭାରତବର୍ଷରେ ଯେତେ ପ୍ରକାର ଅନିୟମିତତା, ଦୁର୍ନୀତି ବା ଅସଙ୍ଗତି ଦେଖାଦେଲେ କେବଳ ତଳତଳିଆଙ୍କୁ ପ୍ରଥମେ ଦାୟୀ କରାଯାଇଥାଏ। ଯେତେବେଳେ ଉପରସ୍ତରରେ ପ୍ରଶାସନିକ ଅବ୍ୟବସ୍ଥା ଦେଖାଦେବ, ବ୍ୟବସ୍ଥାକୁ କଳୁଷିତ କରିଦେବା ପାଇଁ ଦୁର୍ନୀତିର ଠିକାଦାରମାନେ ପଶିଆସିବା ଥୟ। ଅପରପକ୍ଷରେ ରାଜନୈତିକ ନେତୃତ୍ୱ ଏହିଭଳି ପିଲାଙ୍କ ଭବିଷ୍ୟତ ସହିତ ଜଡ଼ିତ ସମ୍ବେଦନଶୀଳ ବିଷୟରେ କୌଣସି ନୀତି ନିୟମ ନିର୍ଦ୍ଧାରଣ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।
୨୦୨୪ ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ପରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସେହି ବର୍ଷ ଜୁନ୍‌ରେ ରାଧାକ୍ରିଷ୍ଣନ୍‌ କମିଟି ଗଠନ କରାଯାଇ ଅକ୍ଟୋବରରେ ଉପସ୍ଥାପିତ ପରୀକ୍ଷା ସଂସ୍କାର ରିପୋର୍ଟରେ ଅନେକ ସୁପାରିସ କରାଯାଇଥିଲା। ସେଥିମଧ୍ୟରୁ ପ୍ରମୁଖ ଥିଲା ଏନ୍‌ଇଇଟିର ବହୁସ୍ତରୀୟ ପରୀକ୍ଷା ବ୍ୟବସ୍ଥା। ଅର୍ଥାତ୍‌ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ରେ ଅବଲମ୍ବନ କରାଯାଉଥିବା ପ୍ରକ୍ରିୟା ଭଳି ପ୍ରିଲିମ୍‌ନାରୀ ଓ ମୁଖ୍ୟ ପରୀକ୍ଷା ଲାଗି କମିଟି ପ୍ରସ୍ତାବ ଦେଇଥିଲା। ପରୀକ୍ଷାରେ ଅସ୍ବାଭାବିକତାକୁ ଦୂର କରିବା ସକାଶେ ସରକାରୀ ଶିକ୍ଷାନୁଷ୍ଠାନ ବିଶେଷକରି କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ପରିଚାଳନା କରିବା ଲାଗି ସୁପାରିସ କରାଯାଇଥିଲା। କିନ୍ତୁ ସେହି ଦିଗରେ ସରକାର ନୀରବଦ୍ରଷ୍ଟା ହୋଇ ବସିରହିଲେ। ୨୦୨୬ରେ ପୂର୍ବଭଳି ଗୋଟିଏ ଦିନରେ ପରୀକ୍ଷା ହେବା ସହ ପରୀକ୍ଷା କେନ୍ଦ୍ର ଚୟନରେ କମିଟିର ସୁପାରିସକୁ ଗ୍ରହଣ କରାଯାଇ ନ ଥିବା ଦେଖାଯାଇଛି। ଉଲ୍ଲେଖ କରାଯାଇପାରେ ଯେ, ୨୦୨୬ ମେ'୩ରେ ହୋଇଥିବା ପରୀକ୍ଷାରେ ଦେଶବ୍ୟାପୀ ୫,୪୦୦ କେନ୍ଦ୍ରରେ ୨୨ ଲକ୍ଷ ୭୦ ହଜାର ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଏପ୍ରିଲ ୨୦୨୫ ତଥ୍ୟ ଅନୁଯାୟୀ ଭାରତରେ ୧,୨୫୭ କେନ୍ଦ୍ରୀୟ ବିଦ୍ୟାଳୟ ଥିବାରୁ ଉପରୋକ୍ତ ସଂଖ୍ୟାର ପିଲାଙ୍କ ଲାଗି ପ୍ରତି କେନ୍ଦ୍ରରେ ୧,୮୦୬ ପିଲା ପରୀକ୍ଷା ଦେଇପାରିଥାନ୍ତେ। କେତେକେ କହିପାରନ୍ତି ଯେ, ସରକାରୀ ବିଦ୍ୟାଳୟରେ ପରୀକ୍ଷା କରାଗଲେ ଅସାଧୁ ବ୍ୟକ୍ତିଙ୍କ ପ୍ରବେଶକୁ ରୋକାଯାଇ ପାରିବ ବୋଲି କିଛି ସୁନିଶ୍ଚିତତା ନାହିଁ। ଅବଶ୍ୟ ଏହି ଯୁକ୍ତିକୁ ଅସ୍ବୀକାର କରିହେବ ନାହିଁ। ଅନ୍ୟପକ୍ଷରେ କହିଲେ ସରକାରୀ ବ୍ୟବସ୍ଥାର ଉପରସ୍ତରରେ ଆନ୍ତରିକତାର ଅଭାବ ରହୁଛି ବୋଲି ଦେଶର ଶିକ୍ଷିତ ଯୁବପିଢ଼ିକୁ ଏହି ଅନ୍ଧକାରମୟ ଭବିଷ୍ୟତ ସରକାରୀ ଉପାଧି ଭାବେ ମିଳୁଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri