Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ୍ଧାକୋବି ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ବନ୍ଧାକୋବି ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

ବାଲିମେଳା,୧୦।୯(ଶିବଦତ୍ତ ସାହୁ): ମାଫିଆମାନେ ବିଭିନ୍ନ ଅଭିନବ ଉପାୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଘଟଣା ସାମ୍ନାକୁ ଆସୁଛି। ବଡ଼ ଚତୁରତାର ସହିତ ଏକ ପିକଅପ ଭ୍ୟାନ୍‌ର ଡାଲାରେ ତଳେ ବିପୁଳ ପରିମାଣର ଗଞ୍ଜେଇ ରଖି ତା ଉପରେ ବନ୍ଧାକୋବି ରଖି ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଲକାନଗିରି ଜିଲା ଓର୍କେଲ ପୋଲିସ ହାବୁଡ଼ରେ ପଡିଛି।

ଉକ୍ତ ଗାଡିରୁ ପୋଲିସ ୧୩ଟି ଜରି ବସ୍ତାରେ ଥିବା ମୋଟ ୩ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କୋରୁକୋଣ୍ଡା ସଦର ଥାନା ଅଧିନସ୍ଥ ଏମଭି -୩୪ ଗ୍ରାମର ଶରତ ଚନ୍ଦ୍ର ବର୍ମନ (୪୩) ଏବଂ କାଲିମେଳା ଥାନା ଅଧିନସ୍ତ ଭେଙ୍କେଟାପାଲମ ଗ୍ରାମର ତାପସ ପାଲ (୩୦)। ସେମାନଙ୍କ ଠାରୁ ୨ଟି ମୋବାଇଲ ଏବଂ ନଗଦ ୩ ହଜାର ୫ ଶହ ଟଙ୍କା ପୋଲିସ ଜବତ କରିଛି।

ପୋଲିସ ସୂଚନା ମୁତାବ କ, ଏକ ପିକ୍‌ଅପ ଭ୍ୟାନ ନଂ(ଓଡି ୩୦ ଏଚ-୩୫୬୯) ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସମ୍ପର୍କରେ ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।

ଏସ୍‌ଆଇ ଧନୁର୍ଜୟ ଖିଲଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ବୁଧବାର ରାତିରେ ବାଣ୍ଡିଗୁଡା ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଚିତ୍ରକୋଣ୍ଡା ପଟୁ ବାଣ୍ଡିଗୁଡା ଗାଁ ରାସ୍ତା ଦେଇ ଦ୍ରୁତ ଗତିରେ ଆସୁଥିବା ଉକ୍ତ ପିକଅପ୍‌କୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ ଗାଡିର ଡାଲାରେ ଥିବା ବନ୍ଧା କୋବି ତଳେ ୧୩ଟି ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।

ମାଜିଷ୍ଟ୍ରେଟ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ଭତ୍ରାଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଜିବା ପରେ ଜବତ କରଯାଇଥିଲା । ଏହି ଗଞ୍ଜେଇକୁ ଏମ୍‌ଭି-୩୦ ନମ୍ବର ଗ୍ରାମର ଜୟଦେବ ହାଲଦାର ନାମକ ବ୍ୟକ୍ତି ବାହାର ରାଜ୍ୟକୁ ପଠାଉଥିଲେ ବୋଲି ଥାନାରେ ପଚରାଉଚୁରା ସମୟରେ ଗିରଫ ଅଭିଯୁକ୍ତ ଦ୍ୱୟ ପୋଲିସ ସମ୍ମୁଖରେ ପ୍ରକାଶ କରିଥିବା ଜଣାପଡିଛି। ଏ ନେଇ ଓର୍କେଲ ଥାନାରେ କେସ ନଂ ୨୬୨/୨୬ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଏସ୍‌ଆଇ ଖିଲ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri