Dailyhunt
ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି ଜାତୀୟ ଫସଲ ନଷ୍ଟ ହୋଇଯାଇଛି । ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ରେ ଏକର ଏକର ପନିପରିବା ଓ ରବି ଧାନ ଫସଲ ନଷ୍ଟ ହୋଇଯାଇଛି । କ୍ଷେତରେ ଉଜୁଡ଼ା ଫସଲକୁ ଦେଖି ଏବେ ଚାଷୀ କୂଳ ମୁଣ୍ଡରେ ହାତ ଦେଇ ବସିଛି ।

ବନ୍ତ ବ୍ଲକର ବନ୍ତ, ଟିଲୋ, ଗଣିଜାଙ୍ଗ, ଛୟାଳସିଂ, ରାମକୃଷ୍ଣପୁର, ବସନ୍ତିଆ, ଅଣିଜୋ, ବଡ଼ମହିଷଗୋଠ, ଗୋପିନାଥପୁର, ଚାରିଗାଁ, ବଡ଼ବର୍ଚ୍ଚିକୟାଁ, କାଦବରାଙ୍ଗ, ଆଡିଆ, ପୁରୁଷଣ୍ଢ, ବିଟିପୁର ଆଦି ପଞ୍ଚାୟତର ଚାଷୀ ମାନେ ପ୍ରାୟ ୨୪୦୦ ହେକ୍ଟର ଜମିରେ ମୁଗ, ବିରି ଆଦି ଡାଲି ଜାତୀୟ ଫସଲ ସହ ପ୍ରାୟ ୬୫ହେକ୍ଟର ଜମିରେ ପନିପରିବା ଚାଷ କରିଥିଲେ । କାଳବୈଶାଖୀ ପ୍ରଭାବରେ ଚାଷ କ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବିଶେଷ କରି ବାଇଗଣ, ଭେଣ୍ଡି, ବୋଇତାଳୁ, ଫୁଲକୋବି ଏବଂ ବିଭିନ୍ନ ଡାଲି ଜାତୀୟ ଫସଲ ସହ ଅମଳ ସମୟ ହୋଇଥିବା ରବି ଧାନ ଫସଲ ଗୁଡ଼ିକ ପବନ ଓ କୁଆପଥର ମାଡ଼ରେ କ୍ଷେତରେ ଶୋଇ ପଡ଼ିଛି । ଋଣ ବୋଝରେ ଚାଷୀ, ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ଚିନ୍ତା ରେ ପଡିଯାଇଛନ୍ତି । କରଜ ସୁଝିବା ଏବଂ ଗୁଜୁରାଣ ମେଣ୍ଟାଇବା କ୍ଷତିଗ୍ରସ୍ତ ଚାଷୀଙ୍କ ଚିନ୍ତାର ମୁଖ୍ୟ କାରଣ ସାଜିଛି । ଛୟାଳସିଂ ପଞ୍ଚାୟତର ଗୋପାଳପୁର, ଗଣ୍ଡକୁରା, ଦୋଳପଦୀ, ମଙ୍ଗୁଲି, ବୋଡକପାଟଣା ଏବଂ ଗଣିଜାଙ୍ଗ ପଞ୍ଚାୟତର ବିନାୟକପୁର, ପାଳସା, ବରହମପୁର, ନାଖବିଲି ଆଦି ଗ୍ରାମର ପ୍ରଭାବିତ ଚାଷୀ ଶ୍ରୀଧର ଗିରି, ପ୍ରଫୁଲ୍ଲ ଗିରି, ଅନାମ ପାଳ, ରମେଶ ଗିରି, ଶରତ ଦାସ, କାଳନ୍ଦୀ ଗିରି, ମହେଶ୍ବର ଦାସ, ରମାକାନ୍ତ ଗିରି, ସୁକାନ୍ତ ଗିରି, ଚକ୍ରଧର ଗିରି, ହଳଧର ଗିରି, ଗଣନାଥ ଗିରି, ବନମାଳୀ ପାଳ, ସୁଦର୍ଶନ ବାରିକ୍, ବାପୁଜୀ ବାରିକ୍ ଓ ଗଙ୍ଗାଧର ବାରିକ୍ ପ୍ରମୁଖ ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ଦାବି କରିଛନ୍ତି । ତୁରନ୍ତ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ତଦନ୍ତ କରାଯାଇ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri