Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ ଥାନା ଘେରାଉ କରିଥିଲେ। ତାଙ୍କ ପୁଅକୁ କାହିଁକି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି, ତାଙ୍କୁ କାହିଁକି ପରିବାର ଲୋକଙ୍କୁ ଦେଖିବାକୁ ଦିଆଯାଉ ନାହିଁ ଏବଂ ପୁଅକୁ ନ ଫେରାଇବା ପର୍ଯ୍ୟନ୍ତ ସେମାନେ ଥାନା ଆଗରୁ ହଟିବେ ନାହିଁ ବୋଲି ପରିବାର ଲୋକେ ଚେତାବନୀ ଦେଇଥିଲେ।

ଏପରି କି ଥାନା ହାଜତରେ ପୁଅକୁ ପିଟି ପିଟି ମାରି ଦିଆଯାଇଥିବା ମଧ୍ୟ ଅଭିଯୋଗ କରିଥିଲେ। ଖବରପାଇ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଏକାଧିକ ଏସିପି ବୁଝାଶୁଝା କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଉତ୍ତେଜନା ଥମି ନ ଥିବା ଜଣାପଡ଼ିଛି।

ଗତ ୨୧ତାରିଖ ଗୁରୁବାର ବାରଙ୍ଗ ଥାନା ଅଧୀନ ବ୍ରାହ୍ମଣୀ ଗାଁ ପାଖ କାଠଯୋଡ଼ି ନଦୀ ବାଲିରୁ ଜଣେ ମହିଳାଙ୍କ ଅଧା ପୋତା ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ତେବେ ମୃତ ମହିଳାଙ୍କ ପ୍ରକୃତ ପରିଚୟ ପୋଲିସ ଏଯାବତ୍‌ ପାଇ ପାରିନାହିଁ। ଏଭଳିସ୍ଥିତିରେ ଚଣ୍ଡୀପ୍ରସାଦ ଗ୍ରାମର ଜଣେ ବିବାହିତ ମହିଳା ନିଖୋଜ ଥିବା ନେଇ ଗତ ୧୬ତାରିଖରେ ବାରଙ୍ଗ ଥାନାରେ ଏକ ଅଭିଯୋଗ ହୋଇଥିଲା। ତେବେ କାଠଯୋଡ଼ି ନଦୀବାଲିରୁ ମିଳିଥିବା ମୃତଦେହ ନିଖୋଜ ମହିଳାଙ୍କ ବୋଲି ପୋଲିସ ସନ୍ଦେହ କରି ସେହିଦିନ ଉକ୍ତ ମହିଳାଙ୍କ ସ୍ବାମୀ ରାକେଶ ବେହେରା, ଶାଶୁ ଲକ୍ଷ୍ମୀପ୍ରିୟା ଓ ସାଙ୍ଗ ମିଥୁନ ବେହେରାଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା। ପରବର୍ତ୍ତୀ ସମୟରେ ନିଖୋଜ ମହିଳାଙ୍କ ସହ ପରିବାର ପକ୍ଷରୁ ଭିଡିଓ କଲ୍‌ରେ କଥା କରାଇବା ପରେ ପୋଲିସ ଲକ୍ଷ୍ମୀପ୍ରିୟା ଏବଂ ମିଥୁନ୍‌ଙ୍କୁ ଛାଡ଼ିଥିବାବେଳେ ରାକେଶଙ୍କୁ ଛାଡ଼ି ନ ଥିଲା। ପୋଲିସ ମହିଳାଙ୍କ ଭିଡିଓ କଲ୍‌କୁ ବିଶ୍ୱାସ କରି ନ ଥିଲା। ଗୁରୁବାରଠାରୁ ରାକେଶଙ୍କୁ ଥାନା ହାଜତରେ ରଖି ପୋଲିସ ନିର୍ଯାତନା ଦେବା ସହ ମାଡ଼ ମାରିଥିଲା। ସୋମବାର ଦ୍ୱିପ୍ରହରରେ ଲକ୍ଷ୍ମୀପ୍ରିୟା ପୁଅ ପାଇଁ ଖାଇବାକୁ ଆଣି ଥାନାକୁ ଆସିଥିଲେ। ହେଲେ ପୁଅକୁ ଥାନାରେ ପାଇ ନ ଥିଲେ। ଏନେଇ ସେଠାରେ ଉପସ୍ଥିତ ପୋଲିସଙ୍କୁ ପଚାରିବାରେ ନିଖୋଜ ହୋଇଥିବା ବୋହୂ ନିକଟକୁ ରାକେଶଙ୍କୁ ନିଆଯାଇଥିବା ଥାନା ପକ୍ଷରୁ କୁହାଯାଇଥିଲା। ଏହାପରେ ଲକ୍ଷ୍ମୀପ୍ରିୟା ପୁଅକୁ ନ ଦେଖି ନିରାଶରେ ଘରକୁ ଫେରିଥିଲେ। କିନ୍ତୁ ରାକେଶଙ୍କୁ ଫୁଲନଖରାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦିନବେଳେ ଭର୍ତ୍ତି କରାଯିବା ଏବଂ ସେଠାରୁ ରାତିରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା, ପୋଲିସର ଥାର୍ଡ ଡିଗ୍ରୀ ଯୋଗୁ ସେ ଗୁରୁତର ହୋଇଥିବା ନେଇ ଖବର ପ୍ରଚାର ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ରାତିରେ ରାକେଶଙ୍କ ପରିବାର ଲୋକ ପୁଅକୁ ଦେଖା କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା, ସେମାନଙ୍କୁ ପୋଲିସ ସୁଯୋଗ ଦେଇ ନ ଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଚଣ୍ଡୀପ୍ରସାଦ ଗ୍ରାମବାସୀ ଥାନାକୁ ଆସି ରୁଣ୍ଡ ହୋଇ ତୁରନ୍ତ ରାକେଶଙ୍କୁ ଫେରାଇବାକୁ ଦାବି କରି ହୋହହ୍ଲା କରିଥିଲେ। ହସ୍ପିଟାଲ୍‌ରେ ପୁଅକୁ ଦେଖାଇ ଦିଆଯାଉ ନ ଥିବାରୁ ତାଙ୍କୁ ପୋଲିସ ପିଟି ପିଟି ମାରି ଦେଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି। ଅନ୍ୟପଟରେ ରାକେଶ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ପୋଲିସ କହୁଛି। ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରିବା ପାଇଁ ଥାନାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri