Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେବା ସାଧାରଣରେ ଚର୍ଚ୍ଚାରେ ବିଷୟ ହୋଇଛି। ଗତ କିଛିମାସ ତଳେ ହାତୀନଦୀଠାରୁ ଚିଚୈଗୁଡାକୁ ପଡିଥିବା ପିଡବ୍ଲ୍ୟୁଡି ରାସ୍ତା ନିମ୍ନମାନର କାମ ଯୋଗୁ ଗୋଟିଏ ସ୍ଥାନରେ ଧସିଯାଇଥିଲା।

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭାଗ ପକ୍ଷରୁ ତରବରିଆ ଭାବେ ମରାମତି କରାଯାଇଥିଲା। ଏବେ ପୁଣି ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଚଳିତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ବ୍ଲକ ଛୋରିଆଗଡ଼ ରାମସାଗର ବନ୍ଧ ଉପରେ ନିର୍ମାଣ ହୋଇଥିବା ପିଡବ୍ଲ୍ୟୁଡି ରାସ୍ତା ପ୍ରାୟ ୫୦ ମିଟର ଧସିଯାଇଛି। ନିମ୍ନମାନର କାମ ଓ ଗାର୍ଡୱାଲ ନିର୍ମାଣ କରାଯାଇ ନ ଥିବାରୁ ଏପରି ହୋଇଥିବା ଗ୍ରାମବାସୀଙ୍କଠାରୁ ଜଣାପଡିଛି। ଫଳରେ ଏହି ରାସ୍ତା ଏବେ ବିପଦସଙ୍କୁଳ ଥିବାରୁ ଚାରିଚକିଆ ଯାନ ଚଳାଚଳ ବନ୍ଦ ରହିଛି।
ରାମସାଗର ରାସ୍ତା ପୂର୍ବରୁ ଆର୍‌ଡି (ଗ୍ରାମ୍ୟ ଉନ୍ନୟନ ବିଭାଗ) ଅଧୀନରେ ଥିବାବେଳେ ଗତ ବର୍ଷଠାରୁ ପିଡବ୍ଲ୍ୟୁଡି ଅଧୀନକୁ ଆସିବା ପରେ ରାସ୍ତା ନିର୍ମାଣ କରାଯାଇଥିଲା। ଠିକାଦାର ନୂତନ ଗାର୍ଡୱାଲ ନିର୍ମାଣ ନ କରି ପୂର୍ବରୁ ଥିବା ଏମ୍‌ଆଇ (କ୍ଷୁଦ୍ର ଜଳସେଚନ) ବିଭାଗ ଗାର୍ଡୱାଲରେ ମାଟି ପକାଇ ପିଚୁ ରାସ୍ତା କାମ କରି ଦେଇଥିଲେ। ଫଳରେ ମାଟି ହାଲୁକା ଥିବା ଗାର୍ଡୱାଲ ନ ଥିବାରୁ ବର୍ଷାରେ ରାସ୍ତା ଧସିଯାଇଛି। ଜିଲିଙ୍ଗଦରଠାରୁ ବସୁଲ ୩୦କିମି ଦୀର୍ଘ ଏହି ରାସ୍ତାଟି ପ୍ରାୟ ୪୮ କୋଟି ଟଙ୍କାରେ ନିର୍ମିତ ହୋଇଛି। ତେବେ ଶେଷ ଭାଗରେ ଛୋରିଆଗଡ଼ ରାମସାଗର ବନ୍ଧରାସ୍ତା କାମକୁ ଦେଖିଲେ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ରାମସାଗର ବନ୍ଧରାସ୍ତା ଯଦି ଧସିଯାଏ ତା'ହେଲେ ଅଞ୍ଚଳର ସମସ୍ତ ଜମି ଜଳମଗ୍ନ ହେବା ସହ ସେଠାରେ ଚାଷ ହୋଇଥିବା ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଏ ନେଇ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ରଶ୍ମି ରଞ୍ଜନ ଭୋଇଙ୍କୁ ପଚାରିବାରୁ ପୂର୍ବରୁ ରାସ୍ତା ଯେମିତି ଥିଲା ଆମେ ସେମିତି କରିଛୁ। ବନ୍ଧ ତଳେ ଏମ୍‌ଆଇ ବିଭାଗ ଗାର୍ଡୱାଲ ନିର୍ମାଣ କରିଥିବାରୁ ଆମେ କଲୁ ନାହିଁ। ଏମ୍‌ଆଇ ବିଭାଗ ଗାର୍ଡୱାଲ ନିର୍ମାଣ କଲା ପରେ ଆମେ ରାସ୍ତା ମରାମତି କରିବୁ ବୋଲି କହିଥିଲେ। ଦାୟିତ୍ୱରେ ଥିବା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନନ୍ତ ନାଏକଙ୍କୁ ପଚାରିବାରୁ ସେ ନୂଆ ଆସିଛନ୍ତି, ଘଟଣାସ୍ଥଳ ପରିଦର୍ଶନ କରି ପଦକ୍ଷେପ ନେବେ ବୋଲି କହିଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri