Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାଲୁ ନେଲା ଜୀବନ

ଭାଲୁ ନେଲା ଜୀବନ

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଭାଲୁଚୁଆଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିକୁ ଯାଇଥିବା ଜଣେ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଭାଲୁଚୁଆଁ ଗାଁର ଜୟରାମ ଜାଲ(୪୭)।

ଜୟରାମ ବୁଧବାର ସକାଳୁ ସାହଜଖୋଲ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ତାଙ୍କ ଚାଷ ଜମିକୁ ଯାଇଥିଲେ।

ମଧ୍ୟାହ୍ନ ପରେ ଜୟରାମ ଘରକୁ ନ ଫେରିବାରୁ ପରିବାର ଲୋକେ ବିଲକୁ ଖୋଜିବାକୁ ଯାଇଥିଲେ। ସେତିକିବେଳେ ଚାଷଜମି ନିକଟରେ ତାଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଲିଥିଲା। ଏପରିକ ଦେହ ସାରା ଭାଲୁ ଆକ୍ରମଣ କରିଥିବା ଚିହ୍ନ ଦେଖି ପରିବାର ଲୋକେ ବେହେରା ବନ ବିଭାଗକୁ ଖବର ଦେବା ସହିତ କୋକସରା ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ।

କୋକସରା ଥାନା ପୋଲିସ ଏବଂ ବନ ବିଭାଗ ପକ୍ଷରୁ ଧର୍ମଗଡ଼ ରେଞ୍ଜ ଅଫିସର ଭାବାନୀ ଶଙ୍କର କାଉର, ବେହେରା ବନପାଳ ରାଜେନ୍ଦ୍ର ନାଏକ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଲିସ ଏବଂ ବନ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡ଼ିକାଲ ପଠାଯାଇଥିଲା। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପଟେ ଦିନକୁ ଦିନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ କାଠ ମାଫିଆ ଓ ପୋଡୁଚାଷ ପାଇଁ ପଦା ହେବାକୁ ଲାଗିଥିବା ବେଳେ ଶିକାରୀଙ୍କ ପାଦୁର୍ଭାବ ଯୋଗୁଁ ବନ୍ୟଜନ୍ତୁ ଜୀବନ ବିକଳରେ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଫଳରେ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷେ ବନ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ବେହେରା ସେକ୍ସନ ଫରେଷ୍ଟର ରାଜେନ୍ଦ୍ର ନାଏକଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି।ମୃତକଙ୍କ ପରିବାରକୁ ସରକାରୀ ହିସାବରେ ଯାହା ସହାୟତା ରହିଛି ଯୋଗେଇଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri