Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରତର ବିକାଶ ଯାତ୍ରା

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ ଭିତରେ କ୍ରମାଗତ ଭାବରେ ପ୍ରଶ୍ନ ସବୁ ଉଠୁଥିଲା: ଭାରତ କେବେ ତା'ର ହରାଇଥିବା ଗୌରବ ଫେରିପାଇବ? ବିଶ୍ୱ ଦରବାରରେ ଏହା କେବେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭାହେବ? ଆମର ଗରିବ ଏବଂ ବଞ୍ଚିତ ଭାଇ ଓ ଭଉଣୀମାନେ କେବେ ଏକ ସମ୍ମାନର ଜୀବନ ପାଇବେ?

ମୁଁ ଆଜି ବହୁତ ଖୁସି ଯେ ମୋର କିଶୋର ଅବସ୍ଥାରେ ମୁଁ ଯେଉଁ ଚିନ୍ତାଧାରା ରଖିଥିଲି, ତାହା ଏବେ ବାସ୍ତବତାରେ ରୂପାନ୍ତରିତ ହେଉଛି।
ଅଧିକାଂଶ ସମୟରେ ମୁଁ ସ୍ବାମୀ ବିବେକାନନ୍ଦଙ୍କ ଏହି କଥାକୁ ସ୍ମରଣ କରୁଥିଲି: 'ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ଅଟକିଯାଅ ନାହିଁ।' ତାମିଲନାଡୁର ମାଟିରୁ ସ୍ବାମିଜୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ଶବ୍ଦଗୁଡ଼ିକ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଦେଶପ୍ରେମ ଏବଂ ପ୍ରତିବଦ୍ଧତାକୁ ପ୍ରେରଣା ଯୋଗାଇବା ନିମନ୍ତେ ଅପାର ଶକ୍ତି ବହନକରେ।
ମୁଁ ସଦାସର୍ବଦା ବିଶ୍ୱାସ କରୁଥିଲି ଯେ ଯେତେବେଳେ ଭାରତର ପୂର୍ଣ୍ଣ ସମ୍ଭାବନା ପ୍ରକଟିତ ହେବ, ସେତେବେଳେ ଏହା ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବାକୁ ସକ୍ଷମ ଏକ ରାଷ୍ଟ୍ର ଭାବରେ ଉଦିତ ହେବ। ଗତ ୧ ଦଶନ୍ଧି ଧରି, ଆମ ଦେଶ ପ୍ରଚଣ୍ଡ ଶକ୍ତି ଏବଂ ଦୃଢ଼ତାର ସହିତ କାର୍ଯ୍ୟ କରୁଥିବା ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ।
ସନ୍ଥ ଥିରୁଭଲ୍ଲୁଭରଙ୍କ ସେହି ମହାନ୍‌ ବାଣୀର ସତ୍ୟତାକୁ ଆଜି ଆମେ ନିଜ ଆଖିରେ ଦେଖିବାର ସୁଯୋଗ ପାଇଛୁ: 'ଯେଉଁମାନେ ନିଜ ସଂକଳ୍ପରେ ଦୃଢ଼, ସେମାନେ ତାହା ହାସଲ କରନ୍ତି ଯାହା ସେମାନେ କଳ୍ପନା କରିଥାନ୍ତି'।
ଆମେ ବର୍ତ୍ତମାନ ଲକ୍ଷ୍ୟ କରିପାରୁଛୁ ଯେ ଆମ ଦେଶ ଦ୍ରୁତଗତିରେ ପ୍ରଗତି ହାସଲ କରିଚାଲିଛିି। ଗତ ୧ ଦଶନ୍ଧି ମଧ୍ୟରେ ଭାରତରେ ହାସଲ ହୋଇଥିବା ପ୍ରଗତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଯେତେବେଳେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଏବଂ ଅନିଶ୍ଚିତତା ବ୍ୟାପି ରହିଛି, ଭାରତର ଅର୍ଥନୀତି ଦୃଢ଼ ଏବଂ ଦ୍ରୁତଗତିରେ ଆଗକୁ ବୃଦ୍ଧି ପାଇଚାଲିଛି। ଏହି ସମୟକୁ ନିରନ୍ତର ବିକାଶର ଯୁଗରେ ରୂପାନ୍ତରିତ କରିବା ପାଇଁ ସରକାର ଏବଂ ଜନସାଧାରଣ ଉଭୟଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଉତ୍ସାହ ଏହି ପ୍ରଗତିର ମୂଳ କାରଣ। ଏକ ଦୁର୍ବଳ ଅର୍ଥନୀତିରୁ ବର୍ତ୍ତମାନ ଆମର ଦେଶ ଚତୁର୍ଥ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ଯଥାଶୀଘ୍ର ବିଶ୍ୱର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥାରେ ସ୍ଥାନିତ ହେବାକୁ ଯାଉଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଆମର ଅର୍ଥନୈତିକ ବିକାଶ ସମାବେଶୀ ହୋଇପାରିଛି।
ଗତ ୧ ଦଶନ୍ଧି ମଧ୍ୟରେ ପ୍ରାୟ ୨୫ କୋଟି ଭାରତବାସୀ ଅତ୍ୟନ୍ତ ଦାରିଦ୍ର୍ୟ ଅବସ୍ଥାରୁ ବାହାରି ସମ୍ମାନର ସହ ଜୀବନଯାପନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏପର୍ଯ୍ୟନ୍ତ, ଭାରତରେ ବାସହୀନ ଗରିବଙ୍କ ପାଇଁ ପ୍ରାୟ ୪ କୋଟି ସ୍ଥାୟୀ ବାସଗୃହ ନିର୍ମାଣ କରାଯାଇଛି। ୧୨ କୋଟିରୁ ଅଧିକ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଇଛି। ଆମେ ମୁକ୍ତାକାଶ ମଳତ୍ୟାଗ ମୁକ୍ତ ଦେଶ ହେବାକୁ ଲକ୍ଷ୍ୟ ରଖିଥିଲୁ ଏବଂ ମାତ୍ର ୬୦ ମାସ ମଧ୍ୟରେ ଦେଶ ୬୦ କୋଟି ଲୋକଙ୍କ ପାଇଁ ଏହା ଯୋଗାଇ ଏହି ଲକ୍ଷ୍ୟକୁ ସମ୍ଭବ କରିସାରିଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ, ପ୍ରତିବର୍ଷ ୮୦ କୋଟି ଲୋକଙ୍କୁ ୨.୩ ଲକ୍ଷ କୋଟି ଟଙ୍କା ବ୍ୟୟରେ ମାସିକ ୫ କିଲୋଗ୍ରାମ ଲେଖାଏ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯାଉଛି।
ମୁଁ ପିଲାଟି ଦିନରୁ ଏହା ଦେଖିଆସିଛି, ଗାଁଗୁଡ଼ିକରେ ଲୋକମାନେ ଚିକିତ୍ସା ସୁବିଧା ପାଇବାରେ ଅସମର୍ଥ ହୋଇଥିବାରୁ ଅକଥନୀୟ କଷ୍ଟ ପାଉଥିଲେ। ସେମାନଙ୍କ ପରିବାର ଦ୍ୱାରା ସହ୍ୟ କରାଯାଉଥିବା ଯନ୍ତ୍ରଣା ଦେଖି ମୁଁ ଖୁବ୍‌ ଦୁଃଖ ଅନୁଭବ କରୁଥିଲି। ଆଜି ଦେଶରେ ସମସ୍ତ ନାଗରିକଙ୍କ ନିମନ୍ତେ ସ୍ବାସ୍ଥ୍ୟସେବା ସୁବିଧା ଉପଲବ୍ଧ କରିବା ପାଇଁ ପ୍ରତିବଦ୍ଧତା ସହିତ ଆୟୁଷ୍ମାନ୍‌ ଭାରତ ଯୋଜନା କାର୍ଯ୍ୟକାରୀ କରାଯାଉଛି। ପରିଣାମ ସ୍ବରୂପ, ପ୍ରଧାନମନ୍ତ୍ରୀ- ଆୟୁଷ୍ମାନ୍‌ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ୪୪ କୋଟିରୁ ଅଧିକ ଲୋକ ପ୍ରତ୍ୟେକେ ଏବେ ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା ସୁବିଧା ପାଇପାରୁଛନ୍ତି। କେବଳ ୧ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ୨.୫ କୋଟି ନାଗରିକ ଏଭଳି ମାଗଣା ଚିକିତ୍ସା ସୁବିଧା ପାଇପାରିଛନ୍ତି।
ଆମର ଅନ୍ନଦାତାମାନେ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ୩୫୦ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ କରିଛନ୍ତି, ଯାହା ଭାରତକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଖାଦ୍ୟ ଉତ୍ପାଦକ ରାଷ୍ଟ୍ର ଭାବେ ସମସ୍ତଙ୍କ ସମ୍ମୁଖରେ ଉଭାକରିଛି। ଭାରତ ଦ୍ୱିତୀୟ ବୃହତ୍ତମ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ରର ମାନ୍ୟତା ହାସଲକରି ଏହାର ରପ୍ତାନି ମାଧ୍ୟମରେ ସମଗ୍ର ବିଶ୍ୱକୁ ଆପଣାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ, ଏପର୍ଯ୍ୟନ୍ତ ୪ ଲକ୍ଷ କୋଟି ଟଙ୍କାର ରାଶି ସିଧାସଳଖ ଅନ୍ନଦାତାମାନଙ୍କ ବ୍ୟାଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଇଛି।
ଦେଶର ବିକାଶରେ ପୂର୍ଣ୍ଣ ଯୋଗଦାନ ଦେବା ନିମନ୍ତେ ଆମର ନାରୀ ଶକ୍ତିଙ୍କ ଲାଗି ବର୍ତ୍ତମାନ ପର୍ଯ୍ୟାପ୍ତ ସୁଯୋଗ ଉନ୍ମୁକ୍ତ ହୋଇଛି। ୩ କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ୍‌ ଦିଦି ହୋଇପାରିଛନ୍ତି। କୃଷି, ଶିକ୍ଷା, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କିମ୍ବା ମହାକାଶ ପ୍ରଯୁକ୍ତିବିଦ୍ୟା- ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଗକୁ ଆସିଛନ୍ତି। ମହିଳାମାନେ ଏବେ ସଶସ୍ତ୍ର ବାହିନୀରେ ସ୍ଥାୟୀ କମିଶନ ପାଉଛନ୍ତି ଏବଂ ଯୁଦ୍ଧକ୍ଷେତ୍ରରେ ସଂଗ୍ରାମୀ ଭୂମିକାରେ ଅଂଶଗ୍ରହଣ କରୁଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦ ଏବଂ ରାଜ୍ୟ ବିଧାନସଭାମାନଙ୍କରେ ସେମାନଙ୍କର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ।
ସାରା ଦେଶ ଭ୍ରମଣ କରୁଥିବା ସମୟରେ, ଯେତେବେଳେ ମୁଁ ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ୍‌ ଦିଦିମାନଙ୍କୁ ଭେଟେ, ମୁଁ ଆମର ଭଉଣୀମାନଙ୍କ ମୁହଁରେ ଆଶାର ଆଲୋକକୁୁ ଲକ୍ଷ୍ୟ କରିଥାଏ। ମହିଳାଙ୍କ ଦୈନନ୍ଦିନ ଜୀବନକୁ ସହଜସାଧ୍ୟ କରିବା ଏବଂ ସେମାନଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ କରିବା ପାଇଁ ସାରା ଦେଶରେ ପ୍ରାୟ ୨ କୋଟି ନୂତନ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ଯୋଗାଇ ଦିଆଯାଇଛି।
ଯେତେବେଳେ ଆମେ ଯୁବପିଢ଼ିଙ୍କୁ ଉତ୍ସାହର ସହ ଷ୍ଟାର୍ଟଅପ୍‌ ଗଢ଼ିବା ପାଇଁ ଆଗକୁ ଆସୁଥିବାର ଦେଖୁ, ସେତେବେଳେ ଏହା ଆମକୁ ଦେଶପ୍ରେମୀ କବି ସୁବ୍ରମଣ୍ୟ ଭାରତୀଙ୍କ ସେହି ଅମୂଲ୍ୟ ବାଣୀ ମନେପକାଇଦିଏ:
'ଆସ, ଆସ, ଆସ ଏବଂ ତୁମେ ଯାହା କଳ୍ପନା କରିଛ ତାହାକୁ ସାକାର କର;
ସମଗ୍ର ଦେଶ ଏକତା ମଧ୍ୟରେ ଜାଗ୍ରତ ହେଉ ଏବଂ ସମୃଦ୍ଧି ହାସଲ କରୁ;
ଆସ, ଆସ, ଆସ ଏବଂ ଏକ ମହାନ୍‌ କାର୍ଯ୍ୟ ସମ୍ପନ୍ନକର'।
ଦେଶର ଯୁବଗୋଷ୍ଠୀଙ୍କ ପାଇଁ, ଗତ ୧୦ ବର୍ଷ ମଧ୍ୟରେ ୧୩ଟି ନୂତନ ଆଇଆଇଟି ପ୍ରତିଷ୍ଠା କରାଯାଇଛି, ଯାହା ଏବେ ଦେଶରେ ଆଇଆଇଟି ସଂଖ୍ୟାକୁ ୨୩କୁ ବୃଦ୍ଧି କରିଛି। ଭାରତରେ ଏହି ଅବଧି ମଧ୍ୟରେ ଆଇଆଇଏମ୍‌ ସଂଖ୍ୟା ମଧ୍ୟ ୧୩ରୁ ୨୧କୁ ବୃଦ୍ଧି ପାଇଛି। ଏମ୍ସ ସଂଖ୍ୟା ୭ ରୁ ୨୩ କୁ ୩ଗୁଣ ବୃଦ୍ଧି ପାଇଛି ଏବଂ ମେଡିକାଲ କଲେଜ ୩୮୭ ରୁ ୮୨୩ କୁ ଦ୍ୱିଗୁଣିତ ହୋଇଛି। ଏହା ଗୌରବର ବିଷୟ ଯେ ଡାକ୍ତରୀ ଛାତ୍ରଙ୍କ ପାଇଁ ସିଟ୍‌ ସଂଖ୍ୟା ୫୧,୩୪୮ରୁ ୧,୨୯,୬୦୩କୁ ବୃଦ୍ଧି ପାଇଛି।
ଆମେ ଭିତ୍ତିଭୂମି ନିର୍ମାଣରେ ବିଶ୍ୱସ୍ତରୀୟ ମାନଦଣ୍ଡ ଆଡ଼କୁ ମଧ୍ୟ ଅଗ୍ରସର ହେଉଛୁ। ଦେଶର ରେଳପଥର ପ୍ରାୟ ୯୯% ବିଦ୍ୟୁତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ସାରା ଦେଶରେ, ୧୬୪ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ସହିତ ଏକ ନୂତନ ଯୁଗର ଅୟମାରମ୍ଭ ଘଟିଛି। ବିମାନବନ୍ଦର ସଂଖ୍ୟା ମଧ୍ୟ ୭୪ରୁ ଦ୍ୱିଗୁଣିତ ହୋଇ ୧୬୩ ଛୁଇଁଛି ଏବଂ ଉଡାନ ଯୋଜନା ଅଧୀନରେ ସାଧାରଣ ଲୋକଙ୍କ ପାଇଁ ବିମାନଯାତ୍ରା ସୁଲଭ ହୋଇପାରିଛି।
ତାମିଲନାଡୁ ପାଇଁ ରେଳ ବଜେଟ ଆବଣ୍ଟନ, ଯାହା ୧ ଦଶନ୍ଧି ପୂର୍ବରୁ ପ୍ରାୟ ୮୮୦ କୋଟି ଟଙ୍କା ଥିଲା, ୨୦୨୬-୨୭ରେ ତାହା ବୃଦ୍ଧି ପାଇ ୭,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ଏହା ଆନନ୍ଦର ବିଷୟ ଯେ ତାମିଲନାଡ଼ୁ ରାମେଶ୍ୱରମ ଏବଂ ପାମ୍ବନ ମଧ୍ୟରେ ନୂତନ ପାମ୍ବନ ସେତୁ ନିର୍ମାଣ କରାଯାଇଛି, ଯାହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସେତୁ, ଆଧ୍ୟାତ୍ମିକ ପର୍ଯ୍ୟଟନ ଏବଂ ଆର୍ଥିକ ବିକାଶ ନିମନ୍ତେ ଏହା ଏକ ବିରଳ ସୁଯୋଗ ଭାବରେ କାର୍ଯ୍ୟ କରୁଛି। ଜମ୍ମୁ-କଶ୍ମୀରରେ ଚେନାବ୍‌ ସେତୁ ନିର୍ମାଣ ହେଉ କିମ୍ବା ଆସାମର ବୋଗିବିଲ ସେତୁ, ଭାରତ ବର୍ତ୍ତମାନ ନୂତନ ଯୁଗର ଭିତ୍ତିଭୂମିରେ ତା'ର ଚମତ୍କାରିତା ପ୍ରଦର୍ଶନ କରୁଛି।
ଦେଶବ୍ୟାପୀ, ବିଶ୍ୱସ୍ତରୀୟ ୪ଲେନ୍‌ ଏବଂ ୮ ଲେନ୍‌ ବିଶିଷ୍ଟ ସଡ଼କ ଦୂରଦୂରାନ୍ତ ଗ୍ରାମକୁୁ ବିସ୍ତାରିତ ସଡ଼କ ସଂଯୋଗୀକରଣ ସହିତ ଭାରତର ଅଭିବୃଦ୍ଧି ନିମନ୍ତେ ମଜଭୁତ ଭାବରେ ବିକଶିତ ହୋଇଛି। ତାମିଲନାଡୁରେ ଗତ ୧୦ ବର୍ଷ ମଧ୍ୟରେ ୪,୦୦୦ କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ କରାଯାଇଛି। କେବଳ ଉତ୍ତର- ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟଗୁଡ଼ିକରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୭,୨୦୦ କିଲୋମିଟର ଦୈର୍ଘ୍ୟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। 'ପ୍ରଗତି' ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ନିବିଡ଼ ତଦାରଖ ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ବିକାଶ ଯୋଜନାଗୁଡ଼ିକ ସାକାର ହୋଇପାରିଛି।
ପ୍ରାକ୍‌-ମାଟ୍ରିକ୍‌ ଏବଂ ପୋଷ୍ଟ ମାଟ୍ରିକ୍‌ ଛାତ୍ରବୃତ୍ତି ଯୋଜନା ଏବଂ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟଗୁଡ଼ିକ ଯଥାକ୍ରମେ ଅନୁସୂଚିତ ଜାତି ଏବଂ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସୁଫଳ ପ୍ରଦାନ କରିଛି।
ମୁଁ ସର୍ବଦା ବିଶ୍ୱାସକରେ ଯେ ବିକାଶ କେବଳ ସାମାଜିକ ଗୋଷ୍ଠୀ ଦ୍ୱାରା ସମ୍ଭବ ହୋଇ ନ ଥାଏ, ବରଂ ଦେଶର ପ୍ରତ୍ୟେକ କ୍ଷେତ୍ର ମଧ୍ୟ ଏଥିରେ ସମାଯୁକ୍ତ ଅନ୍ତର୍ଭୁକ୍ତ ହେବା ବାଞ୍ଛନୀୟ। ସୀମାନ୍ତ ଗ୍ରାମଗୁଡ଼ିକ ଯାହାକୁ ଏକଦା ଭାରତର ଶେଷ ଗ୍ରାମ ଭାବରେ ବିବେଚନା କରାଯାଉଥିଲା, ଏବେ ସେଗୁଡ଼ିକ ପ୍ରଥମ ଗ୍ରାମରେ ପରିଣତ ହୋଇଛନ୍ତି ଏବଂ 'ଭାଇବ୍ରାଣ୍ଟ ଭିଲେଜ ସ୍କିମ୍‌' ମାଧ୍ୟମରେ ବିକଶିତ କରାଯାଇଛି।
ମାନ୍ୟବର ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଦେଶର 'ଅଷ୍ଟଲକ୍ଷ୍ମୀ' ଭାବରେ ସମ୍ବୋଧନ କରିଥିବା କଥା ମୁଁ ଆନନ୍ଦର ସହ ମନେପକାଉଛି। ନିକଟରେ, ଯେତେବେଳେ ମୁଁ ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା ଏବଂ ସିକିମ ରାଜ୍ୟ ଗସ୍ତ କରିଥିଲି, ସେତେବେଳେ ମୁଁ ସେଠାରେ ପରିବହନ ବ୍ୟବସ୍ଥା ସହିତ ଭିତ୍ତିଭୂମି ସୁବିଧାରେ ବ୍ୟାପକ ସୁଧାର ଆସିଥିବାର ଦେଖିବାକୁ ପାଇଲି।
ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବୋନ୍ମେଷ କ୍ଷେତ୍ରରେ ଦେଶ ହାସଲ କରିଥିବା ପ୍ରଗତି ଆମକୁ ଗର୍ବରେ ଭରିଦିଏ। ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭକରି ଚିକିତ୍ସା ବିଜ୍ଞାନ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହେଉଛି। କୋଭିଡ୍‌-୧୯ ମହାମାରୀ ସମୟରେ ଭାରତ ଟିକା ବିକାଶ ପ୍ରୟାସରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ଟିକା ପ୍ରସ୍ତୁତ କରାଯାଇ ଅତି ଦ୍ରୁତଗତିରେ ସମସ୍ତଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଥିଲା। ଏହା ସହିତ ମାନବୀୟ ସମ୍ବେଦନଶୀଳତା ରଖି ଭାରତ ବିଶ୍ୱର ୧୦୦ ରୁ ଅଧିକ ଦେଶକୁ ଟିକା ଯୋଗାଇଥିଲା-ଏହି ପଦକ୍ଷେପଗୁଡ଼ିକ ବିଶ୍ୱ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଚନ୍ଦ୍ରଯାନ-୩ର ସଫଳ ଉତ୍‌କ୍ଷେପଣ ଭାରତକୁ ଉନ୍ନତ ମହାକାଶ ଗବେଷଣାର ଏକ ନୂତନ ଯୁଗକୁ ନେଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ, ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତକୁ ସେମାନଙ୍କର ପ୍ରମୁଖ କେନ୍ଦ୍ର ଭାବରେ ବାଛୁଛନ୍ତି, ଯାହାଫଳରେ ପୁଞ୍ଜିନିବେଶ ବହୁଗୁଣିତ ହୋଇଛି। ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତ ଏବେ ବିଶ୍ୱ ପାଇଁ ଏକ ମଡେଲ ଭାବେ ଉଭା ହେଉଛି। ମୋବାଇଲ ଫୋନ ଉତ୍ପାଦନରେ ଆମେ ବିଶ୍ୱରେ ଦ୍ୱିତୀୟ ସ୍ଥାନ ହାସଲ କରିଛୁ। ଦିନେ ମୋବାଇଲ ଫୋନ ଆମଦାନୀ କରୁଥିବା ଆମେ, ଆଜି ୩୦୦ କୋଟି ଆମେରିକୀୟ ଡଲାର ମୂଲ୍ୟର ମୋବାଇଲ ଫୋନ ରପ୍ତାନି କରୁଥିବା ଦେଶରେ ପରିଣତ ହୋଇଛୁ। ଏହି ସମସ୍ତ ସଫଳତା ଆଗାମୀ ପିଢ଼ିର ଏକ ସମୃଦ୍ଧ ଭବିଷ୍ୟତ ପାଇଁ ମୂଳଦୁଆ ସଦୃଶ କାର୍ଯ୍ୟ କରିବ।
ଦୀର୍ଘ ଦଶନ୍ଧି ଧରି, ଆମ ଦେଶ କେବଳ ଆତଙ୍କବାଦର ଆହ୍ବାନ ନୁହେଁ ବରଂ ବିଦ୍ରୋହ ଏବଂ ବାମପନ୍ଥୀ ଉଗ୍ରବାଦର ମଧ୍ୟ ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଛି। ସାହସିକ ନୀତିଗତ ନିଷ୍ପତ୍ତି ଏବଂ ଆଇନର ଅନୁପାଳନ ଦ୍ୱାରା ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇଛି ଏବଂ ଏହି କ୍ଷେତ୍ରଗୁଡ଼ିକରେ ବିକାଶର ଦ୍ୱାର ଉନ୍ମୁକ୍ତ ହୋଇଛି।
ଆମେ ଏକ ସଂକଳ୍ପ ନେଇଛୁ ଯେ ୨୦୪୭ ସୁଦ୍ଧା, ଅର୍ଥାତ୍‌ ସ୍ବାଧୀନତାର ଏକ ଶତାବ୍ଦୀ ମଧ୍ୟରେ, ଭାରତ ଏକ ଅଗ୍ରଣୀ ବିଶ୍ୱ ଶକ୍ତିରେ ପରିଣତ ହେବ ଏବଂ ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବା ସ୍ଥିତିରେ ପହଞ୍ଚିବ। କଠିନ ପରିଶ୍ରମର ଏହି ସମୟ ହେଉଛି 'ଅମୃତ କାଳ'। ଯେପରି ପ୍ରତ୍ୟେକ ସ୍ବାଧୀନତା ସଂଗ୍ରାମୀଙ୍କ ହୃଦୟରେ ସ୍ବାଧୀନତା ପାଇଁ ବ୍ୟାକୁଳତା ଥିଲା, ସେହିପରି ଆଜିର ଯୁବପିଢ଼ିଙ୍କ ମନରେ ଦେଶର ବିକାଶ ପାଇଁ ଚିନ୍ତାଧାରା ଜାଗ୍ରତହେବା ଉଚିତ। ଏହି ଅମୃତ କାଳରେ, ଯଦି ଯୁବପିଢ଼ିଙ୍କ ଚିନ୍ତା ଓ ପ୍ରୟାସ ଦେଶପ୍ରେମରେ ପରିପୂର୍ଣ୍ଣ ହୁଏ ଏବଂ ସେମାନେ ମହାନ୍‌ ଆଦର୍ଶ ଓ ଚରିତ୍ରବାନ୍‌ ନାଗରିକ ଭାବରେ ଗଢ଼ି ହୁଅନ୍ତି, ତେବେ ଯାଇ ଆମେ ୨୦୪୭ ମସିହାରେ ଏକ 'ବିକଶିତ ଭାରତ'ର ସାକ୍ଷୀ ହୋଇପାରିବା।
ସ୍ବାମୀ ବିବେକାନନ୍ଦଙ୍କ ବାଣୀ ମୋର ଭାଇମାନେ, ଆସନ୍ତୁ ଆମେ ସମସ୍ତେ କଠିନ ପରିଶ୍ରମ କରିବା। ଏହା ନିଦ୍ରା ଯିବାର ସମୟ ନୁହେଁ। ଭାରତର ଭବିଷ୍ୟତ ଆମର ପ୍ରୟାସ ଉପରେ ନିର୍ଭର କରିବ, ଆମକୁ ପ୍ରେରଣା ଏବଂ ଦିଗ୍‌ଦର୍ଶନ ଉଭୟ ପ୍ରଦର୍ଶନ କରେ।
ଆସନ୍ତୁ, ଆମେ ଆମର କଠିନ ପରିଶ୍ରମ ମାଧ୍ୟମରେ ଏକ ବିକଶିତ ଭାରତ ଗଠନ ନିମନ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା।

ଶ୍ରୀ ସି. ପି. ରାଧାକୃଷ୍ଣନ୍‌

ଲେଖକ ଭାରତର ଉପରାଷ୍ଟ୍ରପତି

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri