Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁଲ୍‌ ପ୍ରସଙ୍ଗ

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ ଭୁଲ୍‌ ବୋଲି ସ୍ବୀକାର କରିବା ପୂର୍ବରୁ ଲାଗେ ଯେମିତି ଏକ ଅନିଷ୍ଟକାରୀ ତତ୍ତ୍ୱ ବା ଶକ୍ତି ଆମ ମୁଣ୍ଡରେ ସବାର ହୋଇ ଆମକୁ କହିବାକୁ ପ୍ରବର୍ତ୍ତାଏ, 'ନା,ମୁଁ କିଛି ଭୁଲ୍‌ କରିନାହିଁ, ଯାହା ବି କରିଛି, ଠିକ୍‌ କରିଛି।'

ଏଇ ଅନିଷ୍ଟକାରୀ ଶକ୍ତି ଆମ ମୁଣ୍ଡ ଭିତରେ ଏମିତି ଆସ୍ଥାନ ଜମେଇଦିଏ ଯେ ତାକୁ ସେଠାରୁ ବାହାର କରିବା ସହଜ ନୁହେଁ। ନିଜର ଭୁଲ୍‌ ବାସିବା ବଦଳରେ ଗନ୍ଧେଇବା ବେଳକୁ ହୁଏତ ମୁଣ୍ଡରୁ କେଶ ଓ ପାଟିରୁ ଦାନ୍ତ ଝଡି ସାରିଥିବ ! ଅର୍ଥାତ୍‌ ବାର୍ଦ୍ଧକ୍ୟାବସ୍ଥାରେ ପହଞ୍ଚିଲେ ହୁଏତ ନିଜର ଭୁଲ୍‌ ପାଇଁ ଅନୁଶୋଚନା ଓ ଅନୁତାପ ଆସିପାରେ ମନରେ। ସେତେବେଳକୁ ହୁଏତ ଅବସ୍ଥା ବାର ବାଜିଯାଇଥିବ।
ଶ୍ରୀମଦ୍‌ ଭାଗବତର ପଦ-'ଆପଣା କଲା କର୍ମମାନ, ବେଳୁଁ ହୋଇବ ସାବଧାନ'ର ଅବତାରଣା ଏଠାରେ କରିବା ପ୍ରାସଙ୍ଗିକ ହେବ। ଯେଉଁ କର୍ମ କରିବାକୁ ଆମେ ଯାଉଛେ, ସେ କର୍ମର ପ୍ରକୃତି ଓ ପବିତ୍ରତା ସମ୍ପର୍କରେ ଆମର ଜ୍ଞାନ ଥିବା ଉଚିତ। 'କର୍ମ ହିଁ ଭଗବାନ୍‌ ', ତେବେ ସବୁ କର୍ମ ଭଗବାନ୍‌ ବୋଲି କହିହେବନାହିଁ। ଅନ୍ୟମାନଙ୍କର ହିତ ଅର୍ଥାତ୍‌ ଜନହିତକର କର୍ମ କଲେ, କିଛି ଅସୁବିଧା ନାହିଁ। ସେମନ୍ତ କର୍ମକୁ ଭଗବାନ୍‌ କହିବା ସମୀଚୀନ। ହେଲେ ଯେଉଁ କର୍ମ ସମ୍ପୂର୍ଣ୍ଣଭାବରେ ସ୍ବାର୍ଥସାଧନ ପାଇଁ ଉଦ୍ଦିଷ୍ଟ, ସେମନ୍ତ କର୍ମକୁ ଭଗବାନ୍‌ କହିବା ସତ୍ୟର ଅପଳାପ ହେବ। ତେବେ କର୍ମ କରିବା ଭିତରେ ଜାଣତରେ ହେଉ ଅବା ଅଜାଣତରେ, ଯଦି କିଛି ଭୁଲ୍‌ ନଜରକୁ ଆସୁଛି କିମ୍ବା ଆଗରୁ ଭୁଲ୍‌ ହୋଇଯାଇଛି ତେବେ ତୁରନ୍ତ ତାକୁ ସ୍ବୀକାର କରିବା ଉଚିତ ଏବଂ ତା'ର ସଂଶୋଧନ କିମ୍ବା ସମାଧାନର ପନ୍ଥା ନିରୂପଣ କରିବା ଦରକାର। ତା' ନ କରି ନିଜର ଭୁଲ୍‌ ଯଦି ନିଜକୁ ମହମହ ବାସିବ ଏବଂ ଭୁଲ୍‌କୁ ଘଣ୍ଟଘୋଡେଇ ରଖିବା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯିବ, ତେବେ ପରିଣାମ ହେବ,'ଆପଣା ହସ୍ତେ ଜିହ୍ବା ଛେଦି, କେ' ଅଛି ତାର ପ୍ରତିବାଦୀ?' ଅର୍ଥାତ୍‌ ନିଜେ କରିଥିବା ଭୁଲ୍‌ ପାଇଁ ନିଜେ ହିଁ ଦାୟୀ ! ଅନ୍ୟକେହି ଦାୟୀ ନୁହନ୍ତି ଏଥିପାଇଁ। ନିଜ ଭୁଲ୍‌ ପାଇଁ ନିଜେ ହିଁ ପକ୍ଷ ବା ବାଦୀ। ଏ କ୍ଷେତ୍ରରେ କେହି ବିପକ୍ଷ କି ପ୍ରତିବାଦୀ ନାହାନ୍ତି। ନିଜର ଭୁଲ୍‌ ପାଇଁ ନିଜକୁ ଭୋଗିବାକୁ ହେବ ଦଣ୍ଡ, ନିଜକୁ କରିବାକୁ ହେବ ପ୍ରାୟଶ୍ଚିତ୍ତ।
ନିଜର ଭୁଲ୍‌କୁ ଭୁଲ୍‌ ବୋଲି କେହି କ'ଣ ସହଜରେ ସ୍ବୀକାର କରନ୍ତି କି ? ସ୍ବୀକାର କରୁଥିଲେ ତ ସବୁ ସମସ୍ୟାର ସମାଧାନ ହୋଇଯାଉଥାଆନ୍ତା। ଥାନା, କୋର୍ଟ କଚେରି ଯାଏ ଆଉ ମାମଲା ଯାଆନ୍ତା ନାହିଁ। ଭୁଲ୍‌କୁ ସ୍ବୀକାର କରିବା ପରିବର୍ତ୍ତେ ଆମେ ଭୁଲ୍‌କୁ ସୁରକ୍ଷା ଦେବା ପାଇଁ ଅର୍ଥାତ୍‌ ନିଜର ଭୁଲ୍‌କୁ ଲୁଚେଇବା ପାଇଁ କିମ୍ବା 'ମୁଁ ଭୁଲ୍‌ କରିନାହିଁ' ଦମ୍ଭୋକ୍ତି ବାଢିବା ପାଇଁ ପ୍ରାୟ ସଭିଏଁ ଅଣ୍ଟାଭିଡି ବାହାରିପଡୁ, ଭୁଲ୍‌ ସପକ୍ଷରେ ଅବାନ୍ତର ଯୁକ୍ତି କରୁ।
ମୋ ଜୀବଦ୍ଦଶାରେ ମୁଁ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ଓ ସୌଭାଗ୍ୟ ଲାଭ କରିପାରିଛି ଏବଂ ଅନେକ ମିଶ୍ରିତ ଜୀବନାଭୂତିକୁ ମୁଁ ସଂଗ୍ରହ କରିପାରିଛି। ଯେଉଁ ସାଙ୍ଗ, ସହକର୍ମୀ, ସତୀର୍ଥ, ସମଧର୍ମା, ସାହିତି୍ୟକଙ୍କୁ ମୁଁ ଦୀର୍ଘବର୍ଷ ଧରି ଅତି ନିକଟରୁ ଦେଖିଆସୁଛି,ଯେଉଁମାନେ ପରବର୍ତ୍ତୀ ସମୟରେ ଭାଗ୍ୟବଶତଃ ଉଚ୍ଚ ପଦ ପଦବୀରେ ଆସୀନ ହୋଇପାରିଛନ୍ତି। ତେବେ କେଉଁଠି ନା କେଉଁଠି ସେମାନଙ୍କର ମିଛୁଆ ସ୍ବଭାବ ଓ ଚାଲବାଜିଆ ନୀତିକୁ ମୋ ସ୍ମୃତି ବନ୍ଧେଇରେ ବାନ୍ଧି ରଖିଛି। ବାହାରକୁ ସେମାନେ ଲାଗନ୍ତି ସ୍ବଭାବତଃ ଭଦ୍ର, ମାର୍ଜିତ, ଗୁଣୀ, ଜ୍ଞାନୀ, ସଂସ୍କାରୀ, କୃତଜ୍ଞ, ବନ୍ଧୁବତ୍ସଳ, ବିଚାରନ୍ତ! ଭୁଲ୍‌ ସେମାନଙ୍କର ଜାତକରେ ଲେଖାନାହିଁ ବୋଲି ଅନ୍ୟମାନଙ୍କ ନିକଟରେ ସେମାନେ ଚହଟଚିକ୍କଣ ସଫେଇ ଦିଅନ୍ତି। ହେଲେ ଅତିପାଖରୁ ମୁଁ ସେମାନଙ୍କୁ ପ୍ରତ୍ୟକ୍ଷ କରିଛି, ସେମାନେ ଯାହା କହୁଛନ୍ତି କି ଦେଖାଯାଉଛନ୍ତି, ଅସଲରେ କିନ୍ତୁ ସେମାନେ ସେଇୟା ନୁହନ୍ତି।
ନିଜର ଭୁଲ୍‌କୁ ଅସ୍ବୀକାର କରିବା, ନିଜର ଦୋଷକୁ ଯଥାମାନ୍ୟ ଦେଇ ନିଜଭିତରେ ସଯତ୍ନରେ ସାଇତି ରଖିବାର ପ୍ରବୃତ୍ତି ଆଉ ବ୍ୟକ୍ତିଗତ ସ୍ତରରେ ସୀମିତ ହୋଇରହିନାହିଁ। ସଂକ୍ରାମକ ରୋଗ ପରି ଏ ପ୍ରବୃତ୍ତି ସଞ୍ଚରିଯାଇଛି ସର୍ବତ୍ର। ବିଲେଇ ଆଖି ବୁଜିବୁଜି କ୍ଷୀର ପିଇଲା ଭଳି ଅନେକ ଭାବନ୍ତି ମୁଁ ଲୁଚିଛପି ଅତି ଗୋପନରେ ଭୁଲ୍‌ କରିଦେଇଛି ଯେ ଅନ୍ୟକେହି ତା'ର ଟେର୍‌ ପାଇପାରିବେନାହିଁ। କିନ୍ତୁ ଅନ୍ୟମାନେ ଅନାୟାସରେ ଜାଣିପାରନ୍ତି ଯେ ମିଷ୍ଟର୍‌ ଗାଲୁଆ ନିଜକୁ ମନ୍ଦିର ପରିଚାଳନା କମିଟିର ଚେୟାରମ୍ୟାନ୍‌ ବୋଲାଇ ଧର୍ମ ନାମରେ ମନ୍ଦିର ଟ୍ରଷ୍ଟକୁ ଆସୁଥିବା ଦାନ, ଅନୁଦାନ, ଚାନ୍ଦା, ଭଡା ଆଦି ଅର୍ଥ ଏକାକୀ ଚଳୁ କରୁଛନ୍ତି ! ମିଷ୍ଟର୍‌ ଅବାଗିଆ କଲୋନୀର ସର୍ବସାଧାରଣ ଭୂସମ୍ପତ୍ତିକୁ ଜବରଦଖଲ କରି ନିଜ କବ୍ଜାରେ ରଖି ନିଜକୁ ମହାପରାକ୍ରମୀ ବୋଲାଉଛନ୍ତି !
ମିଷ୍ଟର୍‌ ପୋତାମୁହାଁ ଖଞ୍ଜରେ ଖଞ୍ଜରେ ଦୁର୍ନୀତି କରୁଛନ୍ତି ଏବଂ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି! ଅନୁଷ୍ଠାନର ସମ୍ବିଧାନ ଓ ଗଣତନ୍ତ୍ରକୁ ଅବଜ୍ଞା,ଉପେକ୍ଷା କରି ଏକଚ୍ଛତ୍ରବାଦ ଶାସନ ଚଳେଇଛନ୍ତି।
ନିଜର ଭୁଲ୍‌ ଓ ଦୋଷକୁ ସ୍ବୀକାର କରିବା ଆବଶ୍ୟକ। କାରଣ ଭୁଲ୍‌ ହିଁ ଭୁଲ। ଭୁଲ୍‌ କେବେ ବି ଠିକ୍‌ ହୋଇ ନ ପାରେ। ଯଦି ଭୁଲ୍‌ ସୁଗନ୍ଧିତ ଫୁଲ ପରି ମହମହ ବାସୁଛି, ତେବେ ତାହା ମନର ଭ୍ରମ, ଅବାଟରେ ଯିବାର ଉପକ୍ରମ। ଆମର ବୁଝିବା ଉଚିିତ ଗୋଟିଏ ଭୁଲ: ଅନେକ ଜ୍ୱାଳା,ଅନେକ ଯନ୍ତ୍ରଣା। ଅର୍ଥାତ୍‌ ଗୋଟିଏ ଭୁଲ୍‌ ପାଇଁ ଆମେ ହୁଏତ ଅନ୍ୟମାନଙ୍କ ଦ୍ୱାରା ଅପଦସ୍ଥ, ହଟହଟା ହୋଇପାରୁ। ଅନ୍ୟମାନେ ଆମକୁ ହୁଏତ ଭିନ୍ନଦୃଷ୍ଟିରେ ଦେଖିବେ। ଆମକୁ ସମାଲୋଚନାର ଶରବ୍ୟ ହେବାକୁ ପଡିପାରେ। ଆମର ମାନ, ସମ୍ମାନ, ଇଜ୍ଜତ, ମହତ ନଷ୍ଟ ହୋଇଯାଇପାରେ। ପ୍ରଶାସନ, ଆଇନକାନୁନ ମଧ୍ୟ ଆମକୁ ଦଣ୍ଡିତ କରିପାରେ। ସର୍ବୋପରି ଆମର ସାମାଜିକ ପରିଚୟ, ପ୍ରତିଷ୍ଠା ଉପରେ ଝଟକା ଲାଗିପାରେ। ତେଣୁ ଭୁଲ୍‌ ସହ କୌଣସିମତେ ବୁଝାମଣା କରିବା ଅନୁଚିତ। ନିଜ ଭୁଲ୍‌ର ବାସ ନୁହେଁ,ବରଂ ଗନ୍ଧ କି ଦୁର୍ଗନ୍ଧକୁ ଜାଣି ତା'ର ବିହିତ ପ୍ରତିକାର କରିପାରିଲେ ଜୀବନ ସୁଗମ, ସୁନ୍ଦର, ସଫଳ ହୋଇପାରିବ ନିଶ୍ଚୟ !
ବୀମାବିହାର, ମର୍କତନଗର, , କଟକ
ମୋ: ୮୯୧୭୪୭୯୬୪୦


Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri