Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ ମଧୁର ଜଳରେ ପରିଣତ କରିପାରିବ। ଏହି ପ୍ରଯୁକ୍ତିରେ କୌଣସି ବାହ୍ୟ ବିଦ୍ୟୁତ୍‌ ଶକ୍ତି ବା ପାୱାର ଗ୍ରୀଡ୍‌ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ସୂର୍ଯ୍ୟକିରଣ ଉପରେ କାର୍ଯ୍ୟ କରିବ।

ଏହାଦ୍ୱାରା ବଜାରରେ ମିଳୁଥିବା ବୋତଲ ପାଣିଠାରୁ ମଧ୍ୟ କମ୍‌ ଖର୍ଚ୍ଚରେ ସ୍ୱଚ୍ଛ ପିଇବା ପାଣି ମିଳିପାରିବ ବୋଲି 'ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ' ରିପୋର୍ଟରେ ପ୍ରକାଶ ପାଇଛି। ସାଧାରଣତଃ ସମୁଦ୍ର ପାଣିକୁ ସ୍ୱଚ୍ଛ କରିବା ପ୍ରକ୍ରିୟା ଅଧିକ ବ୍ୟୟବହୁଳ ଏବଂ ଏଥିପାଇଁ ପ୍ରଚୁର ବିଦ୍ୟୁତ୍‌ଶକ୍ତିର ଆବଶ୍ୟକତା ପଡ଼ିଥାଏ, ଯାହାକି କେବଳ ଧନୀ ଦେଶଗୁଡ଼ିକ ପାଇଁ ସମ୍ଭବ ହୋଇଥାଏ। ମାତ୍ର ଏହି ନୂଆ ଆବିଷ୍କାର ଉକ୍ତ ଧାରାକୁ ବଦଳାଇ ଦେବାକୁ ଯାଉଛି। ଚାଇନା ଗବେଷକମାନେ ଏକ ବାହ୍ୟ ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରି ଏହାକୁ ବର୍ଷେ କାଳ ପରୀକ୍ଷା କରିଥିଲେ। ଏଥିରେ ବିଦ୍ୟୁତ୍‌ ବାବଦରେ ଶୂନ ଖର୍ଚ୍ଚ ହୋଇଥିଲା। ଏହି ସଫଳତାର ମୁଖ୍ୟ କାରଣ ହେଉଛି ଏକ ନୂତନ ଭାବେ ଡିଜାଇନ କରାଯାଇଥିବା ଫୋଟୋଥର୍ମାଲ ସାମଗ୍ରୀ। ଗବେଷକମାନେ ନାନୋପାର୍ଟିକଲଗୁଡ଼ିକୁ ଗୋଟିଏ ସାଙ୍ଗରେ ଯୋଡ଼ି ଥ୍ରୀ-ଡି ଜାଲି ସଦୃଶ ସଂରଚନା ପ୍ରସ୍ତୁତ କରିଛନ୍ତି, ଯାହା ସୂର୍ଯ୍ୟକିରଣକୁ ଅତି ଦ୍ରୁତଗତିରେ ଉତ୍ତାପରେ ପରିଣତ କରେ। ଏହି ଉତ୍ତାପ ସମୁଦ୍ର
ବିନା ବିଦ୍ୟୁତ୍‌ରେ ସମୁଦ୍ର …
ପାଣିକୁ ବାଷ୍ପୀଭୂତ କରିବାରେ ସାହାଯ୍ୟ କରିଥାଏ, ଯାହା ଜଳ ବିଶୋଧନର ପ୍ରମୁଖ ପ୍ରକ୍ରିୟା। ପରୀକ୍ଷଣ ସମୟରେ ଦେଖାଯାଇଛି ଯେ, ଏହି ନୂତନ ସାମଗ୍ରୀ ସୂର୍ଯ୍ୟକିରଣକୁ ପ୍ରାୟ ୯୦.୨% ପର୍ଯ୍ୟନ୍ତ ଶୋଷଣ କରିବାରେ ସଫଳ ହୋଇଛି। ପାରମ୍ପରିକ ପଦ୍ଧତି ତୁଳନାରେ ଏହି ବ୍ୟବହାର ଦ୍ୱାରା ସମାନ ପରିମାଣର ସମୁଦ୍ର ଜଳକୁ ବାଷ୍ପରେ ପରିଣତ କରିବା ପାଇଁ ଆବଶ୍ୟକ ହେଉଥିବା ଶକ୍ତି ପ୍ରାୟ ୪୫.୭ ପ୍ରତିଶତ ହ୍ରାସ ପାଇଛି। ଏକ ଛୋଟ ପରୀକ୍ଷଣ ସ୍ଥଳରେ ଏହି ପ୍ରଣାଳୀରୁ ବାହାରିଥିବା ପାଣିକୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥିଲା ଏବଂ ଏହା ସମ୍ପୂର୍ଣ୍ଣ ଫସଲ ଚକ୍ର ମଧ୍ୟରେ ପ୍ରାୟ ୫ ବର୍ଗ ମିଟର ଚାଷ ଜମିରେ ସଫଳତାର ସହ ଜଳସେଚନ କରିପାରିଥିଲା।
ଗବେଷଣାକାରୀ ଦଳଙ୍କ ୨ବର୍ଷର କାର୍ଯ୍ୟକାରିତା ଆକଳନ ଅନୁଯାୟୀ, ଏହି ପଦ୍ଧତିରେ ପାଣି ତିଆରି କରିବାର ଖର୍ଚ୍ଚ ସାଧାରଣ ବୋତଲ ପାଣିର ମୂଲ୍ୟଠାରୁ ଯଥେଷ୍ଟ କମ୍‌ ରହିବ। ଯଦି ଏହି ପ୍ରଯୁକ୍ତିକୁ ବୃହତ୍‌ ଆକାରରେ କିମ୍ୱା ଦୀର୍ଘ ସମୟ ପାଇଁ ବ୍ୟବହାର କରାଯାଏ, ତେବେ ଏହାର ଉତ୍ପାଦନ ଉପାଦାନ ଖର୍ଚ୍ଚ ଆହୁରି ହ୍ରାସ ପାଇବ। ବିଶେଷକରି ସେହି ଅଞ୍ଚଳଗୁଡ଼ିକ ପାଇଁ ଏହି ନୂଆ ପ୍ରଯୁକ୍ତି ଶସ୍ତା ଓ ସ୍ଥାୟୀ ବିକଳ୍ପ ସାବ୍ୟସ୍ତ ହେବ, ଯେଉଁଠାରେ ପ୍ରଚଣ୍ଡ ସୂର୍ଯ୍ୟକିରଣ ହେଉଥିଲେ ମଧ୍ୟ ପିଇବା ପାଣିର ଚରମ ସଙ୍କଟ ରହିଛି ଏବଂ ବିଦ୍ୟୁତ୍‌ ଭିତ୍ତିଭୂମିର ଅଭାବ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri