Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଷାକ୍ତ ବାନର 'ବଙ୍ଗକା ସ୍ଲୋ ଲୋରିସ୍‌'ଙ୍କ ସନ୍ଧାନ ମିଳିଲା

ବିଷାକ୍ତ ବାନର 'ବଙ୍ଗକା ସ୍ଲୋ ଲୋରିସ୍‌'ଙ୍କ ସନ୍ଧାନ ମିଳିଲା

ଜାକର୍ତ୍ତା/ୱାଶିଂଟନ,୨୨ା୧୦ (ରଏଟର୍ସ): ୧୯୩୦ ଦଶକରୁ ବିଜ୍ଞାନ ଜଗତରୁ ଗାଏବ ହୋଇଯାଇଥିବା ଏବଂ ବିଲୁପ୍ତପ୍ରାୟ ଘୋଷିତ ହୋଇଥିବା ବିରଳ 'ବଙ୍ଗକା ସ୍ଲୋ ଲୋରିସ୍‌' ପ୍ରଜାତିର ଲାଜକୁଳା ପାତିବାନର ଇଣ୍ଡୋନେସିଆରେ ପୁନଃ ଦେଖିବାକୁ ମିଳିଛନ୍ତି। ଇଣ୍ଡୋନେସିଆର ସୁମାତ୍ରା ଉପକୂଳସ୍ଥ ବଙ୍ଗକା ଦ୍ୱୀପରେ ଏକ ବନ୍ୟପ୍ରାଣୀ ଉଦ୍ଧାରକାରୀ ସଂସ୍ଥା ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ଏହି ପ୍ରଜାତିର ସ୍ଲୋ ଲୋରିସ୍‌ଙ୍କୁ ଚିହ୍ନଟକରି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସୁରକ୍ଷିତ ଜଙ୍ଗଲକୁ ଫେରାଇ ଦେଇଥିବା ବିଜ୍ଞାନ ପତ୍ରିକା 'ସ୍ପିସିଆନା' ରେ ପ୍ରକାଶିତ ଏକ ଗବେଷଣାପତ୍ରରୁ ଜଣାପଡ଼ିଛି।

'ବଙ୍ଗକା ସ୍ଲୋ ଲୋରିସ୍‌' ହେଉଛି ବିଷାକ୍ତ ସ୍ତନ୍ୟପାୟୀ ଜୀବ, ଯାହାକି ଅତ୍ୟନ୍ତ ବିରଳ। ସ୍ଲୋ ଲୋରିସ୍‌ଙ୍କ କହୁଣି ନିକଟରେ ଥିବା ଏକ ସ୍ୱତନ୍ତ୍ର ଗ୍ରନ୍ଥିରୁ ରସ ନିର୍ଗତ ହୋଇଥାଏ, ଯାହାକୁ ସେମାନେ ନିଜ ସାଲିଭା ସହ ମିଶାଇ କାମୁଡ଼ିବା ଦ୍ୱାରା ଶରୀରକୁ ବିଷ ସଞ୍ଚାରିତ କରନ୍ତି। ଏହି ବିଷ ମଣିଷ ଶରୀରରେ ଗୁରୁତର ଆଲର୍ଜି ଓ ଜୀବନପ୍ରତି ବିପଦ ସୃଷ୍ଟି କରିପାରେ।
୨୦୨୦ ମସିହାରେ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ଏହାକୁ ସଙ୍କଟାପନ୍ନ ଏବଂ ସମ୍ଭାବ୍ୟ ବିଲୁପ୍ତ ବୋଲି ଘୋଷଣା କରିଥିଲା। ତେବେ ୨୦୧୫ରୁ ୨୦୨୫ ମଧ୍ୟରେ 'ଆଲୋବି ୱାଇଲ୍ଡଲାଇଫ୍‌ ରେସ୍କ୍ୟୁ ସେଣ୍ଟର' ଦ୍ୱାରା ୯୦ରୁ ଅଧିକ ସ୍ଲୋ ଲୋରିସ୍‌ ଉଦ୍ଧାର ହୋଇଥିଲେ। ବିଦ୍ୟୁତ୍‌ ତାର,

ଜନବସତି ଓ ଜଙ୍ଗଲ କ୍ଷୟ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଏହି ଜୀବମାନଙ୍କୁ ଚିକିତ୍ସା ପରେ ୮୬ଟିକୁୁ ନିରାପଦ ଜଙ୍ଗଲରେ ଛଡ଼ାଯାଇଛି। ବଙ୍ଗକା ଦ୍ୱୀପରେ ପ୍ରଚୁର ଟିଣ ଖନନ ଏବଂ ଓଏଲ୍‌ ପାମ୍‌ ଚାରାରୋପଣ ପାଇଁ ଜଙ୍ଗଲ କଟାଯାଉଥିବାରୁ ଏହି ପ୍ରଜାତିର ଅବଶିଷ୍ଟ ପ୍ରାକୃତିକ ପରିବେଶକୁ ସୁରକ୍ଷିତ ରଖିବା ଜରୁରୀ ବୋଲି ଗବେଷକ ଟିମୋନ ଗ୍ଲୋ ପ୍ରକାଶ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri