ବିଶ୍ୱ ସ୍ତରରେ ବଢ଼ିବେ ୨୫ ଲକ୍ଷ ବେକାର

ବିଶ୍ୱ ସ୍ତରରେ ବଢ଼ିବେ ୨୫ ଲକ୍ଷ ବେକାର

ଧରିତ୍ରୀ

ଧରିତ୍ରୀ

2267d

Loading...

ଜାତିସଂଘ,୨୨ା୧: ସାରା ବିଶ୍ୱରେ ବେକାରି ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରି ହାର ବଢ଼ିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ ଯୋଡି ହେବେ। ସେହିଭଳି ପର୍ଯ୍ୟାପ୍ତ କାମ ନ ଥିବା ଯୋଗୁ ପ୍ରାୟ ୫୦ କୋଟି ଲୋକ କିଛିଘଣ୍ଟା ପାଇଁ କାମ କରୁଥିବା ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ଅନୁଷ୍ଠାନ(ଆଇଏଲ୍‌ଓ) ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ସୋମବାର ପ୍ରକାଶ ପାଇଥିବା ଓ୍ବାର୍ଲଡ ଏମ୍ପ୍ଲଏମେଣ୍ଟ ଆଣ୍ଡ ସୋସିଆଲ ଆଉଟ୍‌ଲୁକ: ଟ୍ରେଣ୍ଡସ ୨୦୨୦ ରିପୋର୍ଟରେ କୁହାଯାଇଛି ଯେ, ଗତ ୯ ବର୍ଷ ହେବ ବିଶ୍ୱ ସ୍ତରରେ ବେକାରି ହାର ସ୍ଥିର ରହିଥିଲା। ଏବେ ମାନ୍ଦାବସ୍ଥା ଥିବା ବେଳେ ଶ୍ରମଶକ୍ତି ବଢୁଛି। ଅଧିକ ସଂଖ୍ୟକ ନୂଆ ନିଯୁକ୍ତି ସୃଷ୍ଟି ହେଉନାହିଁ। ଫଳରେ ନିଯୁକ୍ତି ବଜାରରେ ନୂଆ ଲୋକଙ୍କୁ ନିଯୁକ୍ତି ଦେବା କଷ୍ଟକର ହେଉଥିବା ରିପୋର୍ଟରେ କୁହାଯାଇଛି।

ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କଲେ କାମ କରି ଏକ ଉନ୍ନତ ଜୀବନ ଧାରଣ ମାନ ହାସଲ କରିବା ନିୟୁତାଧିକ ଲୋକଙ୍କ ଲାଗି କଷ୍ଟସାଧ୍ୟ ହେବ ବୋଲି ଆଇଏଲ୍‌ଓର ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି। ରିପୋର୍ଟ ମୁତାବକ ବିଶ୍ୱ ସ୍ତରରେ ଏବେ ପ୍ରାୟ ୧୮୮ ନିୟୁତ ଲୋକ ବେକାର ଅଛନ୍ତି। ଅତିରିକ୍ତ ୧୬୫ ନିୟୁତଙ୍କୁ ପର୍ଯ୍ୟାପ୍ତ କାମ ମିଳୁନାହିଁ। ୧୨୦ ନିୟୁତ ଲୋକ କାମ ଖୋଜିବା ବାଦ ଦେଇଛନ୍ତି କିମ୍ବା ଶ୍ରମ ବଜାର ସହ ସେମାନଙ୍କର ପ୍ରତ୍ୟକ୍ଷ ଭାବେ ସମ୍ପର୍କ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ବିଶ୍ୱ ସ୍ତରରେ ୪୭୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ବିକାଶଶୀଳ ଦେଶଗୁଡିକ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସେମାନଙ୍କ ବିକାଶ ଗତି ଶିଥିଳ ହୋଇଛି। ଆଫ୍ରିକାର କିଛି ଦେଶ ଏବେ ଅଭିବୃଦ୍ଧି ନ କରି ସ୍ଥିିର ଅବସ୍ଥାରେ ରହିଥିବା କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା। ଏଭଳି ବିଭିନ୍ନ କାରଣ ଯୋଗୁ ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇ ପାରୁନାହିଁ। ଏହି ଆଧାରରେ ଆଫ୍ରିକାର ଅନେକ ଦେଶର ପ୍ରକୃତ ଆୟ କମିବା ସହ ଦାରିଦ୍ର୍ୟ ବଢୁଛି। ୨୦୨୦-୨୧ରେ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକରେ ଦାରିଦ୍ର୍ୟ ବଢିବ ବୋଲି ଆଇଏଲଓ ଏହାର ରିପୋର୍ଟରେ କହିଛି। ଏଭଳି କାରଣ ଯୋଗୁ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ-୧ ହାସଲ କରିବା କଷ୍ଟକର ହେଉଥିବା କୁହାଯାଇଛି। ବର୍ତ୍ତମାନ ୬୩୦ ନିୟୁତ ଶ୍ରମିକଙ୍କ କ୍ଷେତ୍ରରେ ଦାରିଦ୍ର୍ୟ ଦେଖାଯାଏ। ବିଶ୍ୱର ମୋଟ କାର୍ଯ୍ୟ କରୁଥିବା ଜନସଂଖ୍ୟାର ଏହା ଏକ ପଞ୍ଚମାଂଶ। ଲିଙ୍ଗଗତ ଅସମାନତା, ବୟସ, ଭୌଗୋଳିକ ଅବସ୍ଥିତ ନିଯୁକ୍ତି ବଜାର ଉପରେ ପ୍ରଭାବ ପକାଉଛି। ଏହା ଦ୍ୱାରା ବ୍ୟକ୍ତିବିଶେଷ ଲାଗି ରହିଥିବା ସୁଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସଙ୍କୁଚିତ କରୁଛି। ରିପୋର୍ଟ ମୁତାବକ, ୧୫ରୁ ୨୪ ବର୍ଷର ୨୬୭ ନିୟୁତ ଯୁବବର୍ଗ ଶିକ୍ଷା, ତାଲିମ କିମ୍ବା ଚାକିରିରେ ନାହାନ୍ତି। ଏହା ସହ ଅନେକ ଲୋକ ଖରାପ ସ୍ଥିତିରେ କାମ କରୁଛନ୍ତି। ବିଭିନ୍ନ ବାଣିଜ୍ୟ କଟକଣା, ସଂରକ୍ଷଣବାଦ ମଧ୍ୟ ନିଯୁକ୍ତି ଉପରେ ଗଭୀର ପ୍ରଭାବ ପକାଉଛି। ଯାହା ଚିନ୍ତାର କାରଣ ବୋଲି କୁହାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri