ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍ର ଆଗ ଚକ ଫାଟି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପରେ ଗାଡି ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।
ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଜଣେ ନବଜାତକ ଶିଶୁଙ୍କ ସହିତ ପରିବାରର ୬ଜଣ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ବୌଦ୍ଧ ସହର ବଗିଚା ସାହିର ଶୁଭାଶିଷ ଆଚାର୍ଯ୍ୟ ତାଙ୍କ ସ୍ତ୍ରୀ ସ୍ୱସ୍ତିକା ହୋତା, ଶାଶୁ କମଳିନୀ ହୋତା, ୭ ବର୍ଷର ପୁଅ ଶ୍ରୀୟାନ୍ସ ଆଚାର୍ଯ୍ୟ ଏବଂ ୪ ଦିନର ନବ ଜାତକ ଶିଶୁ ଏକ କାର ଯୋଗେ ଟିଟିଲାଗଡରୁ ବୌଦ୍ଧ ଫେରୁଥିଲେ। ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞା ପିଠ ନିକଟରେ ହଠାତ କାରର ଆଗ ଚକ ଫାଟି ଯିବାରୁ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ପରେ କାର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।
ସ୍ଥାନୀୟ ବିଦ୍ୟୁତ୍ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଆଁ ଲିଭାଇ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତର ଖାନା ପଠାଇ ଥିଲେ। ଦୁର୍ଘଟଣାରେ କାର୍ ଚାଳକ ପ୍ରଭୁଦତ୍ତ ସିଂଙ୍କ ସମେତ ଗାଡିରେ ଥିବା ଆଚାର୍ଯ୍ୟ ପରିବାରର ସମସ୍ତ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

