Dailyhunt
ଚର୍ଚ୍ଚାରେ ବିଜୟଙ୍କ ଗାଡ଼ି ନମ୍ବର 'TN 07CM 2026': ଥିଲା ମାଷ୍ଟରପ୍ଲାନ୍‌

ଚର୍ଚ୍ଚାରେ ବିଜୟଙ୍କ ଗାଡ଼ି ନମ୍ବର 'TN 07CM 2026': ଥିଲା ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର, ୬।୫(ସୁନିତ୍‌ ମିଶ୍ର):ତାମିଲନାଡୁ ବିଧାନସଭା ନିର୍ବାଚନରେ ଲୋକପ୍ରିୟ ତାମିଲ ଅଭିନେତା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟଙ୍କ ଦଳ ଟିଭିକେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଟିଭିକେ ବର୍ତ୍ତମାନ ତାମିଲନାଡୁରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ବିଜୟଙ୍କ ଗୋଟିଏ ଗାଡି ନମ୍ବର ଆହୁରି ଚର୍ଚ୍ଚା ସୃଷ୍ଟି କରିଛି।

ସେହି ଗାଡିର ନମ୍ବର ହେଉଛି ଟିଏନ୍‌ ୦୭ସିଏମ୍‌ ୨୦୨୬(tn 07 cm 2026)। ୨୦୨୪ରେ ବିଜୟଙ୍କ ଏକ ଚଳଚିତ୍ର ଆସିଥିଲା, ଯାହାର ନାମ ଥିଲା ଗୋଟ୍‌( ଗ୍ରେଟେଷ୍ଟ ଅଫ ଅଲ ଟାଇମ)। ଏହି ଚଳଚିତ୍ରରେ ବିଜୟ ସିଏମ୍‌ ୨୦୨୬ ଉଲ୍ଲେଖ ଥିବା ଗାଡି ବ୍ୟବହାର କରିଥିଲେ। ଏହାକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ଦଳ ଯେତେବେଳେ ରାଜ୍ୟରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ଏହାପରେ ବିଜୟଙ୍କ ସମର୍ଥକ ଏବଂ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ସେହି ଗାଡିର ଫଟୋକୁ ପୋଷ୍ଟ କରିବାରେ ଲାଗିଛନ୍ତି। ୨୦୨୬କୁ ନିର୍ବାଚନୀ ବର୍ଷ ଭାବେ ପୂର୍ବରୁ ବିଜୟ ସୂଚନା ଦେଇଥିଲେ ଏବଂ ସେ ସେହିବର୍ଷ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢ ନିଶ୍ଚିତ ଥିବା କଥା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେଇଛି।

ବିଜୟ ସେହି ଗାଡି ସହିତ ଥିବାବେଳର ଗୋଟିଏ ଭିଡିଓ ପୋଷ୍ଟ କରାଯାଇ ଏହା ତାଙ୍କର ମାଷ୍ଟରପ୍ଲାନ୍‌ ଥିଲା ବୋଲି ମଧ୍ୟ କୁହାଯାଉଛି। ବିଜୟଙ୍କ ସମର୍ଥକମାନଙ୍କ ଭିତରେ ମଧ୍ୟ ଦ୍ରୁତଗତିରେ ଗୋଟିଏ ବାର୍ତ୍ତା ଯାଇଛି ଯେ ଗୋଟ୍‌ ଚଳଚିତ୍ର ବିଜୟ ନିଜର ରାଜନୈତିକ ଇଚ୍ଛାକୁ ଲକ୍ଷ୍ୟ କରି ଜାଣିକି ପ୍ରସ୍ତୁତ କରିଥିଲେ। ଚଳଚିତ୍ର ନିର୍ଦ୍ଦେଶକ ଭେଙ୍କେଟ ପ୍ରଭୁ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ବିଜୟ ସେହି ଗାଡି ସହିତ ଅଛନ୍ତି। ତାଙ୍କ ଭିଡିଏ ଏବେ ଭାଇରାଲ ହେବାରେ ଲାଗିଛି। ଚଳଚିତ୍ରର ସେହି ଭିଡିଓକୁ ମଧ୍ୟ ତାମିଲନାଡୁ ଲୋକମାନେ ବହୁତ ମାତ୍ରାରେ ଦେଖିବା ସହିତ ସେୟାର ମାରିବାରେ ଲାଗିଛନ୍ତି। ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିର୍ଦ୍ଦେଶକ ଭେଙ୍କେଟଙ୍କ ପୂର୍ବାନୁମାନ ଥିଲା ବୋଲି କହିବା ଆରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ମୁତାବକ, ୨୦୨୪ରେ ଗୋଟ୍‌ ଚଳଚିତ୍ର ପରଦାକୁ ଆସିବାର ବହୁ ଆଗରୁ ବିଜୟ ଏହି ଗାଡି କିଣିଥିଲେ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri