Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ...

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ...

ତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ରାଜପୁର ଗ୍ରାମର ଧ୍ରୁବ ଗୌଡ଼ ବୋଲି ଜଣାପଡ଼ିଛି। ପୂର୍ବରୁ ୨୦୧୧ ବଳାତ୍କାର ମାମଲାରେ ଧ୍ରୁବ ପ୍ରାୟ ୪ ବର୍ଷ ଜେଲ୍‌ରେ ରହିଥିବା ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ନାବାଳିକା ଜଣକ ତାଙ୍କ ଜେଜେମା'ଙ୍କ ସହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିଲେ। ଏହି ସମୟରେ ଅଭିଯୁକ୍ତ ଧ୍ରୁବ ନାବାଳିକାଙ୍କୁ ବିସ୍କୁଟ ଓ ଫ୍ରୁଟି ଦେଇଥିଲା। ପରେ ତାଙ୍କୁ ସାଙ୍ଗରେ ନେଇ ସେଠାରୁ ଚାଲିଯାଇଥିଲେ। କିଛି ସମୟ ପରେ ଜେଜେମା' ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା।

ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଚିକିତ୍ସାଳୟ ପରିସରର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଏଥିରେ ଜଣେ ବ୍ୟକ୍ତି ନାବାଳିକାଙ୍କୁ ସାଙ୍ଗରେ ନେଇ ଯାଉଥିବା ଦୃଶ୍ୟ ପୋଲିସ ହାତରେ ଲାଗିଥିଲା। ନାବାଳିକାଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ପୋଲିସ ପକ୍ଷରୁ ୪ଟି ଟିମ୍‌ ଗଠନ କରାଯାଇଥିଲା। ଏଥିସହ ନାବାଳିକାଙ୍କ ଫଟୋ ବିଭିନ୍ନ ସ୍ଥାନକୁ ପଠାଯିବା ସହ ସୋସିଆଲ ମିଡିଆରେ ମଧ୍ୟ ପ୍ରଚାର କରାଯାଇଥିଲା।

ପରେ ଚିକିତ୍ସାଳୟଠାରୁ ପ୍ରାୟ ୧୦ କିଲୋମିଟର ଦୂର ଦନେଇ ବ୍ରହ୍ମପୁର ଗ୍ରାମରେ ନାବାଳିକା ଥିବା ନେଇ ଗ୍ରାମବାସୀ ଜାଣିବାକୁ ପାଇଥିଲେ। ସୋସିଆଲ ମିଡିଆରେ ପ୍ରଚାରିତ ଫଟୋ ଦେଖି ଗ୍ରାମବାସୀ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ। ଛତ୍ରପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଧ୍ରୁବଙ୍କୁ ଗିରଫ କରିଥିଲା।

ଏନେଇ ଛତ୍ରପୁର ଥାନାରେ ମାମଲା ନଂ ୪୧୨ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ପକ୍ଷରୁ ପ୍ରେସ୍‌ମିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri