Dailyhunt
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ...

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ...

ତ୍ରପୁର, ୪।୪ (ଦିଲ୍ଲୀପ ସାମଲ): 'ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା'ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର ଶୁଭାରମ୍ଭ ହୋଇଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ପଞ୍ଚାୟତର ସାନନୋଳିଆନୂଆଗାଁ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପାରମ୍ପାରିକ ରୀତିନୀତି ଅନୁସାରେ, ଜିଲାପାଳ ନିଜେ କୋମଳମତି ଶିଶୁମାନଙ୍କ ହାତ ଧରି ସିଲଟ ଓ ଖଡ଼ିରେ ଅକ୍ଷର ଲିଖନ କରାଇଥିଲେ।

ଏହି ଅବସରରେ ଜିଲାପାଳ ପିଲାମାନଙ୍କୁ ମିଷ୍ଟାନ୍ନ ବାଣ୍ଟିବା ସହ ସେମାନଙ୍କୁ ସ୍କୁଲ ବ୍ୟାଗ ଓ ବିଭିନ୍ନ ଶିକ୍ଷା କିଟ ପ୍ରଦାନ କରିଥିଲେ। ପିଲାମାନଙ୍କ ରଙ୍ଗୀନ ପାପୁଲି ଛାପକୁ ବିଦ୍ୟାଳୟର କାନ୍ଥରେ ଲଗାଯାଇଥିଲା, ଯାହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା। ପରେ ଜିଲାପାଳ ଏକ ଶିକ୍ଷା ସଚେତନତା ରଥର ମଧ୍ୟ ଶୁଭାରମ୍ଭ କରିଥିଲେ।

ଜିଲାପାଳ ନିଜ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହିଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଆଜି ଗଞ୍ଜାମ ଜିଲ୍ଲାର ୨୬୧୭ଟି ସରକାରୀ ବିଦ୍ୟାଳୟରେ ଏହି ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲାପାଳ ଶିବା ଶିଷ ବରାଳ, ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ଅଗସ୍ତିନୁଆଗାଁ ସରପଞ୍ଚ ଉର୍ମିଳା ଦାସ, ଜିଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଏସ୍‌. ଧନଞ୍ଜୟ, ଛତ୍ରପୁର ବିଇଓ ସୁଜିତ କୁମାର ପାଢ଼ୀ, ଏବିଇଓ ନମିତା ରାଉତ, ସମଗ୍ର ଶିକ୍ଷା ଅଭିଯାନର ଜିଲା ଶୈକ୍ଷିକ ସଂଯୋଜକ ଡଃ ସନ୍ତୋଷ କୁମାର ପଣ୍ଡା, ଜିଲା ଅନୁସୂଚିତ ଜାତି/ଜନ ଜାତି ସଂଯୋଜକ ଡଃ ସରୋଜ ମୋହନ ପାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାଣିଶ୍ରୀ ମହାରଣା, ସିଆର୍‌ସିସି ଆର. ଲିପ୍ସାଙ୍କ ସହ ଗ୍ରାମ୍ୟ କମିଟି, ଏସ୍‌ଏମ୍‌ସି କମିଟି ଏବଂ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ତୁଳସୀରାମ ମେହର ସଂଯୋଜନା କରିଥିଲେ। ଆଜି ଏହି ବିଦ୍ୟାଳୟରେ ୨୧ ଜଣ ପିଲା ପ୍ରଥମ ଥର ପାଇଁ ଖଡ଼ିଛୁଆଁଇ ଶିକ୍ଷା ଜୀବନ ଆରମ୍ଭ କରିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri