Dailyhunt
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା ପୂର୍ବରୁ ଜାନୁଆରୀ ୮, ମାର୍ଚ୍ଚ ୧ ଏବଂ ଏପ୍ରିଲ ୨ ତାରିଖରେ ଏଭଳି ତିନି ତିନିଥର ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପୂର୍ବକ ପୋଲିସ ସୁରକ୍ଷା ବାହିନୀ, ଦମକଳ ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜିଲାକୋର୍ଟ ପରିସର ସହିତ ସିଭିଲ କୋର୍ଟ ଆଦି ସମଗ୍ର ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି ।
ଏନେଇ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର କହିଛନ୍ତି, ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସମ୍ବଲପୁର ପୋଲିସ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି । ବର୍ତ୍ତମାନ ପ୍ରତ୍ୟେକ ପ୍ରବେଶ ପଥରେ ଲୋକଙ୍କର ସ୍କ୍ରିନିଂ କରାଯାଉଥିବା ବେଳେ ଡିଏଫଏମଡି ଏବଂ ଏଚଏଚଏମଡି ଭଳି ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ କଡ଼ା ଯାଞ୍ଚ କରାଯାଉଛି। ଏଥିସହିତ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ସାଇବର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୂର୍ବରୁ ଆସିଥିବା ଏଭଳି ଧମକପୂର୍ଣ୍ଣ ମେଲ୍‌ ଗୁଡ଼ିକ ବିଦେଶରୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ତଦନ୍ତକାରୀ ଦଳ ନେଦରଲାଣ୍ଡ ଏବଂ ଜର୍ମାନୀ ଭଳି ଦେଶରୁ ଆଇପି ଆଡ୍ରେସ ଚିହ୍ନଟ କରିଥିବା ବେଳେ ପ୍ରକୃତ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ଆନ୍ତର୍ଜାତୀୟ ନିୟମ ଅନୁସାରେ ପଦକ୍ଷେପ ନିଆଯାଉଛି। ଅନ୍ୟପଟେ ବାର୍ ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବୀ ଡ.ପ୍ରମୋଦ ରଥ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିବା ସହ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅପରାଧୀମାନେ ବାରମ୍ବାର ନିଜର ରଣନୀତି ବଦଳାଉଥିବାରୁ ପୋଲିସ ଏବେ ବୈଷୟିକ ଜ୍ଞାନକୌଶଳ ଓ ଏକ୍ସପର୍ଟଙ୍କ ସହାୟତାରେ ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି କହିଛନ୍ତି ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri